Unknown

 

 

 

 

 

 

 

 

 

 

ପୁରାଣ ପ୍ରଭା

(ଚତୁର୍ଥ ଭାଗ)

ଶ୍ରୀ କୃଷ୍ଣଚନ୍ଦ୍ର କର

 

ସୂଚୀପତ୍ର

 

୧.

ଅଗସ୍ତ୍ୟଙ୍କ ଜନକଲ୍ୟାଣ

୨.

ଲବଣ ବଧ

୩.

ଅଗ୍ନିଙ୍କ ପ୍ରତି ଶାପ

୪.

ପିତାମାତାଙ୍କ ସେବା

୫.

ମତ୍ସ୍ୟାବତାର

୬.

ଉଦାର ପ୍ରତିଶୋଧ

୭.

ଭକ୍ତିର ଶକ୍ତି

୮.

ଦୈତ୍ୟଦଳନ ନାରାୟଣ

୯.

ଶତ୍ରୁ ପ୍ରତି କ୍ଷମା

୧୦.

ଅନ୍ୟାୟ ଧନ-ଦାନର ଫଳ

୧୧.

ଉପବର୍ହଣ

୧୨.

କୁକୁରୀର ଅଭିଶାପ

୧୩.

ମୁକ୍ତିପିପାସୁ ଭରତ

Image

 

ପୁରାଣପ୍ରଭା

ଅଗସ୍ତ୍ୟଙ୍କ ଜନକଲ୍ୟାଣ

 

ଜପତପ ଦ୍ୱାରା କେବଳ ନିଜ ଆତ୍ମାର ଉନ୍ନତି ସାଧନକଲେ ମନୁଷ୍ୟ ବଡ଼ ହୋଇଯାଏ ନାହିଁ । ଯେଉଁ ବ୍ୟକ୍ତି ଜନହିତକୁ ବ୍ରତ କରି ସେହି ଉଦ୍ଦେଶ୍ୟରେ ଜୀବନ ଉତ୍ସର୍ଗ କରିପାରେ, ସେହି ବ୍ୟକ୍ତି ହିଁ ପୃଥିବୀରେ ପ୍ରକୃତ ବଡ଼ଲୋକ ବୋଲି ପୂଜା ପାଏ । ଅଗସ୍ତ୍ୟ ମୁନି ଏହିପରି ଜଣେ ମହାନୁଭବ ବ୍ୟକ୍ତି । ସେ ପୃଥିବୀବାସୀଙ୍କ ମଙ୍ଗଳପାଇଁ ମହତ୍ ଜୀବନର ଯେଉଁ ଆଦର୍ଶ ଦେଖାଇଥିଲେ ସେଥିଲାଗି ଆଜି ମଧ୍ୟ ଲୋକେ ତାଙ୍କର ନାମ ସ୍ମରଣ କରୁଛନ୍ତି ।

 

ଦେବର୍ଷି ନାରଦ ହରିଭକ୍ତି ଓ ସଙ୍ଗୀତବିଦ୍ୟା ପ୍ରଭତି ଗୁଣଯୋଗୁଁ ଅଶେଷ ଖ୍ୟାତି ଲାଭ କରିଥିଲେ ହେଁ ତାଙ୍କର ଗୋଟିଏ ବଡ଼ ଦୋଷ ଥିଲା । ପରସ୍ପର ମଧ୍ୟରେ ବିବାଦ ସୃଷ୍ଟି କରାଇବାରେ ତାଙ୍କର ଶକ୍ତି ଅଦ୍ୱିତୀୟ ଥିଲା ଏବଂ ଅନେକ ସମୟରେ ଅଯଥା କନ୍ଦଳ ଭିଆଇଦେଇ ସେ ଅପାର ଆତ୍ମପ୍ରସାଦ ଅନୁଭବ କରୁଥିଲେ ।

 

ଭାରତବର୍ଷର ମଧ୍ୟସ୍ଥଳରେ ବିନ୍ଧ୍ୟ ପର୍ବତ ଅବସ୍ଥିତ । ପୃର୍ବକାଳରେ ଏହି ପର୍ବତର ଶୀର୍ଷଦେଶ ଆକାଶ ଭେଦକରି କ୍ରମଶଃ ଊର୍ଦ୍ଧ୍ୱକୁ ବର୍ଦ୍ଧିତ ହେଉଥିଲା । ଦିନେ ନାରଦ ସେହି ବିନ୍ଧ୍ୟ ପର୍ବତ ନିକଟରେ ଉପଗତ ହୋଇ ତାହାକୁ କହିଲେ–

 

“ବିନ୍ଧ୍ୟାଚଳ ! ଚୁପ୍ ହୋଇ ରହିଛ କିପରି ? ସୂର୍ଯ୍ୟ ତୁମକୁ ଯେଉଁ ଅପମାନ ଦେଉଛନ୍ତି, ତାହା କ’ଣ ବୁଝିପାରୁ ନାହଁ ?”

 

ବିନ୍ଧ୍ୟଗିରି ବିସ୍ମିତ ହୋଇ ଉତ୍ତର ଦେଲା–

 

“ଦେବର୍ଷି ! ତୁମ କଥାର ତାତ୍ପର୍ଯ୍ୟ ମୁଁ କିଛି ବୁଝିପାରୁ ନାହିଁ ! ପ୍ରକୃତ ଘଟନାଟି ବିସ୍ତାରିତ ଭାବରେ କୁହ ।”

 

ତହୁଁ ନାରଦ ବିନ୍ଧ୍ୟକୁ ଉତ୍ତେଜିକ କରିବା ଉଦ୍ଦେଶ୍ୟରେ କହିଲେ–

 

“ସୂର୍ଯ୍ୟ ପ୍ରତିଦିନ ସୁମେରୁ ପର୍ବତକୁ ପ୍ରଥମେ ପ୍ରଦକ୍ଷିଣ କରନ୍ତି, ତା'ପରେ ତୁମ ମସ୍ତକର ଉପର ଦେଇ ଆକାଶ ଅତିକ୍ରମ କରି ଶେଷରେ କୁମେରୁ ପର୍ବତକୁ ମଧ୍ୟ ପ୍ରଦକ୍ଷିଣ କରନ୍ତି । ମାତ୍ର ବଡ଼ ଦୁଃଖର କଥା, ତୁମକୁ ତ କେବେହେଲେ ସେ ପ୍ରଦକ୍ଷିଣ କରନ୍ତି ନାହିଁ । ତାହାହେଲେ ତୁମେ କ’ଣ ସୁମେରୁ ବା କୁମେରୁଠାରୁ ହୀନ ? ସେ ଦୁହିଁଙ୍କ ଅପେକ୍ଷା ତୁମ ସମ୍ମାନ କ’ଣ ନ୍ୟୁନ ? ମୁଁ ଭଲକରି ଜାଣେ, ସୂର୍ଯ୍ୟ ଇଚ୍ଛାକରି ତୁମ ପ୍ରତି ଏପରି ଉପେକ୍ଷାଭାବ ଦେଖାଉଛନ୍ତି । ତାଙ୍କର ଏ ଆସ୍ପର୍ଦ୍ଧା ଆଦୌ କ୍ଷମଣୀୟ ନୁହେଁ । ତୁମେ ଅତି ଶୀଘ୍ର ଏହାର ଗୋଟାଏ କିଛି ପ୍ରତିକାର କର ଏବଂ ସୂର୍ଯ୍ୟଙ୍କୁ ଉଚିତ ଶିକ୍ଷା ଦିଅ ।

 

କଥାଟା ବିନ୍ଧ୍ୟ ମନକୁ ଖୁବ୍ ପାଇଲା । ସୂର୍ଯ୍ୟଙ୍କ କାର୍ଯ୍ୟ ତାକୁ ବଡ଼ ଅପମାନଜନକ ବୋଧହେଲା । ସେ ସଙ୍ଗେ ସଙ୍ଗେ କ୍ରୋଧରେ ଜର୍ଜର ହୋଇଉଠିଲା ଏବଂ ପରଦିନ ସୂର୍ଯ୍ୟ ତାହାର ମସ୍ତକ ଉପର ଦେଇ ଗତି କରୁଥିବାବେଳେ ତାଙ୍କୁ ସମ୍ବୋଧନ କରି ରୁକ୍ଷ ସ୍ୱରରେ କହିଲା–

 

“ସୂର୍ଯ୍ୟ ! ମୁଁ ତୁମର ବ୍ୟବହାରରେ ଅତ୍ୟନ୍ତ କ୍ଷୁବ୍‍ଧ ହୋଇଛି । ପ୍ରତିଦିନ ତୁମେ ସୁମେରୁ ଓ କୁମେରୁ ଉଭୟ ପର୍ବତକୁ ପ୍ରଦକ୍ଷିଣ କରୁଛ, ଅଥଚ ମୋରି ମସ୍ତକ ଉପର ଦେଇ ଯାଉଥିଲେ ମଧ୍ୟ ଦିନେ ହେଲେ ମୋତେ ପ୍ରଦକ୍ଷିଣ କରୁନାହଁ । ତୁମେ କ’ଣ ଭାବିଛ ମୋର ଆସନ ସୁମେରୁ–କୁମେରୁଠାରୁ ଛୋଟ ? ଯାହା ହେଉ, ଆଜି ପର୍ଯ୍ୟନ୍ତ ଯେତେ ତ୍ରୁଟି କରିଛ, ସେଥିପାଇଁ କ୍ଷମା ଦେଲି-। ଏଣିକି ପୂଜ୍ୟ–ପୂଜାରେ ଆଉ ବ୍ୟତିକ୍ରମ କର ନାହିଁ । କାଲିଠାରୁ ନିୟମିତରୂପେ ମୋତେ ପ୍ରଦକ୍ଷିଣ କର ତା'ନହେଲେ ଅବସ୍ଥା ଅତି ସାଂଘାତିକ ହୋଇଉଠିବ ।”

 

ସୃଷ୍ଟିକର୍ତ୍ତାଙ୍କ ଇଚ୍ଛାନୁସାରେ ବିରାଟ ବିଶ୍ୱ ନିତ୍ୟ ପରିଚାଳିତ । ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ତାରା ସମସ୍ତେ ଗୋଟାଏ ନିୟମ ଓ ଶୃଙ୍ଖଳାର ବଶବର୍ତ୍ତୀ । ତେଣୁ ସୂର୍ଯ୍ୟ ସବୁଦିନ ଭଳି ସୁମେରୁ ପର୍ବତର ପଶ୍ଚାତରୁ ଉଦିତ ହେଲେ ଏବଂ ଆକାଶପଥ ଦେଇ ସମଗ୍ର ପୃଥିବୀକୁ ପରିକ୍ରମଣ କରି ଶେଷରେ କୁମେରୁ ପର୍ବତର ପଛରେ ଅସ୍ତ ହେଲେ । ବିନ୍ଧ୍ୟର ରକ୍ତଚକ୍ଷୁ ଦେଖି ସେ ଆଦୌ ତ୍ରସ୍ତ ହେଲେ ନାହିଁ, କି ତାହାକୁ ପ୍ରଦକ୍ଷିଣ କଲେ ନାହିଁ ।

 

ଏଥିରେ ବିନ୍ଧ୍ୟଗିରିର ଅପମାନ ଶତଗୁଣିତ ହୋଇଗଲା । ସେ ମନେକଲା, ସତେ ଯେପରି ତାର ସମସ୍ତ ମାନ ସମ୍ମାନ ଧୂଳିପରି ଚୁର୍ଣ୍ଣ ହୋଇ ସେହିଠାରେ କୁଢ଼େଇ ହେଇ ପଡ଼ିଲା । ଭୀଷଣ କ୍ରୋଧରେ ତାର ସର୍ବାଙ୍ଗ କମ୍ପିତ ହେବାକୁ ଲାଗଲା । କିଛି ସମୟପରେ ସେ ନିଜକୁ ପ୍ରକୃତିସ୍ଥ କଲା ଏବଂ ସୂର୍ଯ୍ୟଙ୍କ ଦୁର୍ବ୍ୟବହାରର ସମୁଚିତ ପ୍ରତିଶୋଧ ନେବାପାଇଁ ପ୍ରସ୍ତୁତ ହେଲା ।

 

ପରଦିନ ପୁଣି ଯଥାରୀତି ସୂର୍ଯ୍ୟୋଦୟ ହେଲା । ବିନ୍ଧ୍ୟ ତାହା ଦେଖି ନିଜର ମସ୍ତକକୁ ଅତି ଉଚ୍ଚକୁ ଉଠାଇଦେଇ ସଦର୍ପରେ ଆକାଶ ମଧ୍ୟରେ ଦଣ୍ଡାୟମାନ ରହିଲା । ସୂର୍ଯ୍ୟ ଆକାଶପଥରେ କ୍ରମେ କ୍ରମେ ଗତି କରି ଶେଷରେ ବିନ୍ଧ୍ୟ ସମ୍ମୁଖରେ ଉପସ୍ଥିତ ହେଲେ ଏବଂ ଦେଖିଲେ, ବିନ୍ଧ୍ୟ ତାଙ୍କର ପରିକ୍ରମଣ ପଥକୁ ଅବରୁଦ୍ଧ କରି ରୋଷ–ମୂର୍ତ୍ତିରେ ଠିଆହୋଇ ରହିଛି ।

 

ବିଷମ ବିଭ୍ରାଟ ଉପସ୍ଥିତ ହେଲା । ସୂର୍ଯ୍ୟଙ୍କର ନିତ୍ୟ–ନୈମିତ୍ତିକ ଭ୍ରମଣକାର୍ଯ୍ୟ ହଠାତ୍ ସ୍ଥଗିତ ହୋଇଗଲା । ଯାତ୍ରାପଥ ରୁଦ୍ଧ ହୋଇଥିବାରୁ ସେ ବାଧ୍ୟ ହୋଇ ସେହିଠାରେ ନିଶ୍ଚଳ ରହିଲେ-। ଫଳରେ ବିନ୍ଧ୍ୟ ପର୍ବତର ପୂର୍ବଭାଗ ପ୍ରଖର ସୂର୍ଯ୍ୟାଲୋକରେ ଦୀପ୍ତ ହେଲା ଏବଂ ସେଠାରେ କ୍ରମାଗତ ଦିନ ଲାଗି ରହିଲା । ଏଣେ ବିନ୍ଧ୍ୟର ପଶ୍ଚିମଭାଗ ଘୋର ଅନ୍ଧକାରରେ ଆଚ୍ଛନ୍ନ ହୋଇଗଲା ଏବଂ ସେହି ଅଞ୍ଚଳରେ ରାତ୍ରର ଆଦୌ ଅବସାନ ହେଲା ନାହିଁ । ଏକ ଦିଗରେ କେବଳ ଜାଗରଣ, କର୍ମବ୍ୟସ୍ତତା ଓ ଘନ କୋଳାହଳ ଏବଂ ତାର ବିପରୀତ ଦିଗରେ ନିଦ୍ରା, ନିସ୍ତେଜତା ଓ ଘେର ନୀରବତା ଏହିରୂପେ ଉଭୟ ପାର୍ଶ୍ୱର ଲୋକେ ବିଷମ କଷ୍ଟ ଓ ଅସୁବିଧାରେ ପଡ଼ିଲେ ।

 

ପୃଥିବୀର ଏହି ଆକସ୍ମିକ ସଙ୍କଟ ଦେଖି ଦେବତାମାନେ ପ୍ରମାଦ ଗଣନା କଲେ । ଏପରି ଭୟାବହ ଅବସ୍ଥା ଅଧିକ କାଳ ରହିଲେ ସୃଷ୍ଟିନାଶ ଯେ ସୁନିଶ୍ଚିତ, ଏହା ସେମାନେ ଉତ୍ତମରୂପେ ବୁଝିପାରିଲେ । କିପରି ତୁରନ୍ତ ଏ ବିପତ୍ତି ଦୂର ହେବ, ଏହାହିଁ ସେମାନଙ୍କର ଏକମାତ୍ର ଚିନ୍ତାର ବିଷୟ ହେଲା ।

 

ବିନ୍ଧ୍ୟଗିରିର କ୍ରୋଧ ଶାନ୍ତ ନ ହେଲେ ଏବଂ ସେ ସୂର୍ଯ୍ୟଙ୍କୁ ପଥ ଛାଡ଼ି ନ ଦେଲେ ସମସ୍ୟାର ସମାଧାନ ଅସମ୍ଭବ । ମାତ୍ର ବିନ୍ଧ୍ୟକୁ ଏ ବିଷୟ କିଏ ଯାଇ କହିବ । ଦେବତାମାନେ କେହି ଏ ଦୁରୂହ କାର୍ଯ୍ୟର ଭାର ନେବାକୁ ସାହସ କରିପାରିଲେ ନାହିଁ । ଏଣେ ବେଳୁବେଳ ପୃଥିବୀର ଅବସ୍ଥା ଶୋଚନୀୟ ହେବାକୁ ଲାଗିଲା ।

 

ବହୁ ଆଲୋଚନା ପରେ ଜଣେ ଉପଯୁକ୍ତ ଲୋକଙ୍କର ସନ୍ଧାନ ମିଳିଲା । ଅଗସ୍ତ୍ୟ ମୁନି ଥିଲେ ବିନ୍ଧ୍ୟର ଗୁରୁ । ବିନ୍ଧ୍ୟଗିରିର ଗୁରୁଭକ୍ତି ମଧ୍ୟ ଅତୁଳନୀୟ ଥିଲା । ଗୁରୁଙ୍କ ଆଦେଶକୁ ବିନ୍ଧ୍ୟ ଅତି ମହତ୍ ଓ ମୂଲ୍ୟବାନ୍‍ ମଣୁଥିଲା । ଅଗସ୍ତ୍ୟ ଯେତେବେଳେ ଯେଉଁ କାର୍ଯ୍ୟ କରିବାକୁ କହୁଥିଲେ ବିନ୍ଧ୍ୟ ବିନା ବିଚାରରେ ସଙ୍ଗେ ସଙ୍ଗେ ତାହା କରୁଥିଲା । ଏବେ ଦେବତାମାନେ ଅତି ଉତ୍କଣ୍ଠିତ ଭାବରେ ସେହି ଅଗସ୍ତ୍ୟ ମୁନିଙ୍କ ଆଶ୍ରମକୁ ଧାଇଁଲେ ଏବଂ ତାଙ୍କ ନିକଟରେ ଶରଣାପନ୍ନ ହୋଇ ସୃଷ୍ଟି ରକ୍ଷାପାଇଁ ନିବେଦନ କରିବାକୁ ଲାଗିଲେ ।

 

“ଋଷିବର ! ଆପଣ ଅତିଶୟ ଉଦାରମନା ଓ ତ୍ୟାଗୀ । ଜଗତର କଲ୍ୟାଣ ସାଧନରେ ହିଁ ଆପଣଙ୍କ ଜୀବନର ଅଧିକାଂଶ ସମୟ ନିୟୋଜିତ ହୋଇଛି । ତେଣୁ ଆମ୍ଭେମାନେ ହୃଦୟରେ ବହୁ ଆଶା ପୋଷି ଆପଣଙ୍କର ଆଶ୍ରୟପ୍ରାର୍ଥୀ ହୋଇଛୁଁ । ଏବେ ପୃଥିବୀରେ ଘୋର ବିପର୍ଯ୍ୟୟ ଘଟିଛି । ବିନ୍ଧ୍ୟ ପର୍ବତ ମାଗ ରୋଧ କରିବାରୁ ସୂର୍ଯ୍ୟଦେବ ଆକାଶର ମଧ୍ୟପଥରେ ଅଟକି ରହିଛନ୍ତି-। ତେଣୁ ପୃଥିବୀର ଅର୍ଦ୍ଧାଂଶ ଆଲୋକିତ ଓ ଅପର ଅର୍ଦ୍ଧାଂଶ ଅନ୍ଧକାରାବୃତ ହୋଇଯାଇଛି-। ଉଭୟ ପାର୍ଶ୍ୱର ନରନାରୀ ଓ ପଶୁପକ୍ଷୀ ଆଦି ଯାବତୀୟ ପ୍ରାଣୀ ଅକଥନୀୟ ଦୁଃଖଯନ୍ତ୍ରଣାରେ କାତର ହୋଇ ରହିଛନ୍ତି । ଦିବା ପରେ ରାତ୍ରି ଓ ରାତ୍ରି ପରେ ଦିବା ଏ ଚିରନ୍ତନ ରୀତି ଏବେ ଅଚଳ ହୋଇଯାଇଛି । ଏଭଳି ବିପତ୍ତିରୁ ପୃଥିବୀବାସୀଙ୍କୁ ରକ୍ଷା କରିବାପାଇଁ ଆପଣଙ୍କ ବ୍ୟତୀତ ଆଉ କାହାରି ଶକ୍ତି ନାହିଁ । ଦୟାପୂର୍ବକ ବିନ୍ଧ୍ୟଗିରିର କ୍ରୋଧ ଶାନ୍ତ କରାଇ ବିଶ୍ୱର ମହାକଲ୍ୟାଣ ସାଧନ କରନ୍ତୁ ।”

 

ଦେବତାମାନଙ୍କ କାତର ମିନତିରେ ଅଗସ୍ତ୍ୟ ମୁନିଙ୍କ ଅନ୍ତରରେ କରୁଣାର ଉଦୟ ହେଲା । ସୃଷ୍ଚିକ୍ରିୟାର ଧାରାରେ ବ୍ୟାଘାତ ଆସିଥିବାର ଜାଣି ସେ ବିଚଳିତ ହୋଇପଡ଼ିଲେ ଏବଂ ତେବଗଣଙ୍କୁ ଆଶ୍ୱାସନା ଦେଇ ଫେରାଇ ଦେଲାପରେ ବିନ୍ଧ୍ୟ ନିକଟକୁ ଦ୍ରୁତ ପଦରେ ଯାତ୍ରାକଲେ ।

 

ଅଗସ୍ତ୍ୟ ଯଥା ସମୟରେ ଶିଷ୍ୟ-ସମୀପରେ ଉପସ୍ଥିତ ହେଲେ । ଗୁରୁଙ୍କୁ ଏପରି ଅପ୍ରତ୍ୟାଶିତ ଭାବରେ ଆସିବାର ଦେଖି ବିନ୍ଧ୍ୟ ପ୍ରଥମେ ଅପ୍ରତିଭ ହୋଇଗଲା । ଅଗସ୍ତ୍ୟ ତାକୁ ହଠାତ୍ କୌଣସି କଥା ନ କହି କିଛିକ୍ଷଣ ଗମ୍ଭୀର ହୋଇ ଦଣ୍ଡାୟମାନ ରହିଲେ । ବିନ୍ଧ୍ୟ ଅତିଶୟ ଭକ୍ତି ସହକାରେ ଶିର ଅବନତ କରି ଗୁରୁଙ୍କ ଚରଣରେ ପ୍ରଣିପାତ କଲା ।

 

ବିନ୍ଧ୍ୟଗିରି ମସ୍ତକ ନୁଆଇଁଦେବାରୁ ଅବରୁଦ୍ଧ ଆକାଶମାର୍ଗ ସହସା ମୁକ୍ତ ହୋଇଗଲା । ସମ୍ମୁଖରୁ ଅନ୍ତରାୟ ଦୁର ହୋଇଯିବାରୁ ସୂର୍ଯ୍ୟଦେବ ନିଶ୍ଚିନ୍ତ ମନରେ ନିଜ ଗତିପଥରେ ଅଗ୍ରସର ହେଲେ । ସୃଷ୍ଟିଧାରା ପୁଣି ପୂର୍ବପରି ନିୟନ୍ତ୍ରିତ ହେବାକୁ ଲାଗିଲା ।

 

ଜନହିତୈଷୀ ଅଗସ୍ତ୍ୟ ଏଥର ବିନ୍ଧ୍ୟକୁ ସମ୍ବୋଧନ କରି କହିଲେ–

 

“ବତ୍ସ ! ମୁଁ ଏବେ ଦକ୍ଷିଣପଥକୁ ଯାତ୍ରା କରୁଛି । ଯେତେଦିନ ପର୍ଯ୍ୟନ୍ତ ମୁଁ ଏଠାକୁ ନ ଫେରିଛି, ସେତେଦିନ ଯାଏ ତୁମେ ଏହିପରି ମସ୍ତକନତ କରି ରହିଥିବ ।

 

Image

[ବିନ୍ଧ୍ୟ ଅଗସ୍ତ୍ୟଙ୍କୁ ନମସ୍କାର କରୁଅଛି]

 

“ଯଥା ଆଜ୍ଞା ଗୃରୁଦେବ !” କହି ବିନ୍ଧ୍ୟଗିରି ଅଗସ୍ତ୍ୟଙ୍କ ଆଦେଶକୁ ଅକ୍ଷରେ ଅକ୍ଷରେ ପାଳନ କଲା । ସୂତାଏ ସୁଦ୍ଧା ସେ ଉପରକୁ ମୁଖ ଉତ୍ତୋଳନ କଲା ନାହିଁ ।

 

ଅଗସ୍ତ୍ୟ ମୁନି ସେଇ ଯେ ଦକ୍ଷିଣାଭିମୁଖରେ ଯାତ୍ରା କଲେ, ଆଦୌ ଫେରିଲେ ନାହିଁ । ଫଳରେ ଚିରଦିନ ପାଇଁ ବିନ୍ଧ୍ୟର ମସ୍ତକ ଅଧୋଗତ ହୋଇ ରହିଲା । ସୂର୍ଯ୍ୟଦେବ ସୁମେରୁଠାରୁ କୁମେରୁ ପର୍ଯ୍ୟନ୍ତ ଅବାଧରେ ପ୍ରତ୍ୟହ ଯାତାୟାତ କରିପାରିଲେ । ପୂର୍ବ ନିୟମରେ ତେଣିକି ପ୍ରତ୍ୟହ ଦିନ ଓ ରାତ୍ରି ହେବାକୁ ଲାଗିଲା । ଏହିରୂପେ ଧରଣୀ ଧ୍ୱଂସମୁଖରୁ ରକ୍ଷା ପାଇ ପୁଣି ସୁଶ୍ରୀ ହୋଇଉଠିଲା । କି ଜୀବଜଗତ କି ଉତ୍ତିଦଜଗତ କେଉଁଠାରେ ହେଲେ ଅଶାନ୍ତିର ଚିହ୍ନ ଆଉ ରହିଲା ନାହିଁ ।

Image

 

ଲବଣ ବଧ

 

ରାମାୟଣରେ ମଧୁ ବୋଲି ଗୋଟିଏ ଦୈତ୍ୟର ବିଷୟ ବର୍ଣ୍ଣିତ ଅଛି । ସେ ଦୈତ୍ୟକୁଳରେ ଜନ୍ମ ପାଇଥିଲେ ହେଁ ତାହାର ଚରିତ୍ର ଅତି ମହତ୍ ଥିଲା । ଲୋକମାନଙ୍କର ଉପକାର ସାଧନ କରିବାକୁ ଓ ଦୁଃଖୀଙ୍କ ଦୁଃଖ ମୋଚନ କରିବାକୁ ସେ ସବୁଠାରୁ ବେଶି ପବିତ୍ର କାର୍ଯ୍ୟ ମନେ କରୁଥିଲା ।

 

ଏହିସବୁ ସଦ୍‍ଗୁଣ ଯୋଗୁଁ ଦେବତାମାନେ ତାକୁ ଆଦର କରୁଥିଲେ । ଶେଷରେ ଶିବ ମଧ୍ୟ ତାହା ପ୍ରତି ଶ୍ରଦ୍ଧା ପ୍ରକାଶ କଲେ ଏବଂ ଦିନେ ଅତ୍ୟନ୍ତ ପ୍ରୀତ ହୋଇ ତାକୁ ଗୋଟିଏ ଶୂଳ ପ୍ରଦାନ କରି କହିଲେ–

 

“ମଧୁ ! ଏ ଶୁଳଟି ତୁମ ହାତରେ ଥିଲେ କି ଦେବ–ଦୈତ୍ୟ କି ଯକ୍ଷ–ରକ୍ଷ କେହି ତୁମକୁ ମାରିପାରିବେ ନାହିଁ ।”

 

ଶିବଙ୍କ ଅନୁଗ୍ରହରୁ ଏଭଳି ଶକ୍ତିଶାଳୀ ଶୁଳଟିଏ ପାଇ ଦୈତ୍ୟ ଅତ୍ୟନ୍ତ କୃତକୃତ୍ୟ ହେଲା; କିନ୍ତୁ ଦିନକ ପାଇଁ ସୁଦ୍ଧା ତା’ର ଅପବ୍ୟବହାର କଲା ନାହିଁ । ସେ ଯମୁନା ନଦୀକୂଳରେ ମଧୁରା ବା ମଧୁପୁରୀ ନାମକ ଗୋଟିଏ ରାଜ୍ୟ ସ୍ଥାପନ କରି ଅତି ଶାନ୍ତିରେ ପ୍ରଜାମାନଙ୍କୁ ଶାସନ କରିବାକୁ ଲାଗଲା । ଏହି ‘ମଧୁରା’ ପରବର୍ତ୍ତୀ କାଳରେ ‘ମଥୁରା’ ନାମରେ ଅଭିହିତ ହେଲା ।

 

ମଧୁ ଦୈତ୍ୟର ମୃତ୍ୟୁପରେ ତାର ପୁତ୍ର ଲବଣ ମଧୁପୁରୀର ରାଜସିଂହାସନରେ ବସିଲା-। ପିତାର ଶୁଳଟି ମଧ୍ୟ ଉତ୍ତରାଧିକାର–ସୂତ୍ରରେ ତାହାର ହସ୍ତଗତ ହେଲା । ତାହାରି ବଳରେ ଲବଣ ଦୈତ୍ୟ ଅତି ଦୁର୍ଦ୍ଦାନ୍ତ ହୋଇଉଠିଲା ଏବଂ ରାଜ୍ୟରେ ନାନା ଉତ୍ପାତ ଓ ଅତ୍ୟାଚାର ଆରମ୍ଭ କଲା-। ଲୋକେ ତାର ଦୌରାତ୍ମ୍ୟ ସହି ନ ପାରି ‘ତ୍ରାହି–ତ୍ରାହି’ ରବ ଛାଡ଼ିଲେ । ଶେଷରେ ପ୍ରଜା ସାଧାରଣଙ୍କର ପ୍ରତିନିଧି ରୂପେ କେତେଜଣ ଲୋକ ଯାଇ ଅଯୋଧ୍ୟା–ରାଜା ଶ୍ରୀରାମଚନ୍ଦ୍ରଙ୍କ ନିକଟରେ ଶରଣ ପଶିଲେ ଏବଂ ନୃଶଂସ ଲବଣ ଦୈତ୍ୟର ଉପଦ୍ରବରୁ ମଧୁପୁରୀ ରାଜ୍ୟକୁ ରକ୍ଷା କରିବା ପାଇଁ ପ୍ରାର୍ଥନା କଲେ ।

 

ରାବଣ ପ୍ରଭୃତି ଦୁଷ୍ଟ ରାକ୍ଷସମାନଙ୍କୁ ନିହତ କରି ପୃଥିବୀରେ ଶାନ୍ତି ପ୍ରତିଷ୍ଠା କରିବାପାଇଁ ଶ୍ରୀରାମଚନ୍ଦ୍ର ଅବତୀର୍ଣ୍ଣ ହୋଇଥିଲେ; ତେଣୁ ମଧୁପୁରୀର ପ୍ରଜାମାନଙ୍କୁ ସାନ୍ତ୍ୱନା ଦେଇ ସେ କହିଲେ–

 

“କିଛି ଭୟ ନାହିଁ, ତୁମ୍ଭେମାନେ ନିଶ୍ଚିନ୍ତରେ ରାଜ୍ୟକୁ ଫେରିଯାଅ । ମୁଁ ଅଚିରେ ଲବଣ ଦୈତ୍ୟକୁ ବଧ କରିବାର ବ୍ୟବସ୍ଥା କରୁଛି ।”

 

ଆଶ୍ୱାସନା ପାଇ ଲୋକମାନେ ଚାଲିଗଲା ପରେ ରାମଚନ୍ଦ୍ର ତିନି ଭାଇଙ୍କୁ ଡାକି ସେମାନଙ୍କ ସଙ୍ଗେ ଲବଣ ବଧ ବିଷୟରେ ପରାମର୍ଶ କଲେ । ସବୁ ଶୁଣି କନିଷ୍ଠ ଶତ୍ରୁଘ୍ନ କହିଲେ–

 

“ଆପଣ ତିନିହେଁଯାକ ଜୀବନରେ ଅଶେଷ କ୍ଳେଶ ସହ୍ୟ କରଛନ୍ତି । ମୁଁ କିନ୍ତୁ ଏପର୍ଯ୍ୟନ୍ତ ରାଜପୁରୀରେ ବସି ସୁଖ ଭୋଗ କରିଆସିଛି, ଦୁଃଖ କ’ଣ ଆଜିଯାକେ ଜାଣିନାହିଁ । ତେଣୁ ଲବଣକୁ ବଧ କରିବାର ଭାର ମୋରି ଉପରେ ଛାଡ଼ିଦିଅନ୍ତୁ ।”

 

ରାମଚନ୍ଦ୍ର ଏଥିରେ ସମ୍ମତ ହୋଇ କହିଲେ–

 

“ଶତ୍ରୁଘ୍ନ ! ତୁମେ ଏବେ ମଧୁପୁରୀକୁ ଯାଅ । ତୁମର ଯାତ୍ରା ଶୀଘ୍ର ଜୟଯୁକ୍ତ ହେଉ । ଲବଣକୁ ମାରି ତୁମେ ସେହି ରାଜ୍ୟର ରାଜା ହେବ, ଏହାହିଁ ମୋର ଇଚ୍ଛା । ତେଣୁ ଦୈତ୍ୟବଧ ପାଇଁ ବାହାରିବା ପୂର୍ବରୁ ମୁଁ ତୁମକୁ ଏଠାରେ ରାଜାରୂପେ ଯଥାରୀତି ଅଭିଷିକ୍ତ କରାଇବି ।”

 

ଏହା ଶୁଣି ଭ୍ରାତୃଭକ୍ତ ଶତ୍ରୁଘ୍ନ କହିଲେ–

 

“ଭାଇ ମୋର ରାଜା ହେବାକୁ ଆଦୌ ବାଞ୍ଛା ନାହିଁ । ଅଯୋଧ୍ୟାରୁ ଦୂରରେ ରହିଲେ ମୁଁ ଆପଣଙ୍କର ଚରଣସେବାରୁ ବଞ୍ଚିତ ହେବି ।”

 

ତହୁଁ ରାମଚନ୍ଦ୍ର ବୁଝାଇଲେ–

 

“ରାଜ୍ୟର ପରିସର ବର୍ତ୍ତମାନ ବହୁତ ବଢ଼ିଗଲାଣି । ପୁଣି ମଧୁପୁରୀ ରାଜ୍ୟର ଶାସନଭାର ହାତକୁ ଆସିବ । ଏତେ ଦାୟିତ୍ୱ ଏକା ସମ୍ଭାଳିବା ମୋ ପକ୍ଷରେ ଆଦୌ ସହଜ ନୁହେଁ-। ତେଣୁ ତୁମେ ତିନିହେଁ ରାଜ୍ୟର ଗୋଟିଏ ଗୋଟିଏ ଅଂଶକୁ ମୋର ପ୍ରତିନିଧି ହୋଇ ଶାସନ ନକଲେ ପ୍ରଜାମାନଙ୍କର ସୁଖଶାନ୍ତି ରହିବ ନାହିଁ । ତୁମେ ମଧୁପୁରୀରେ ରହି ସୁଶୃଙ୍ଖଳଭାବରେ ସେଠାରେ ପ୍ରଜାଙ୍କୁ ପାଳନକଲେ ତଦ୍ଦ୍ୱାରା ମୋତେ ଅଧିକ ସେବା କରିବ ନାହିଁ କି ?”

 

ଏଭଳି ଯୁକ୍ତିଯୁକ୍ତ ସାରକଥା ଶୁଣିବା ପରେ ଶତ୍ରୁଘ୍ନଙ୍କର ଆଉ କୌଣସି ଆପତ୍ତି ରହିଲା ନାହିଁ । ଲକ୍ଷ୍ମଣ ଓ ଭରତ ମଧ୍ୟ ଜ୍ୟେଷ୍ଠ ଭ୍ରାତାଙ୍କ କଥାକୁ ବେଦବାକ୍ୟ ପରି ମନେ କଲେ । ସଙ୍ଗେ ସଙ୍ଗେ ଶତ୍ରୁଘ୍ନଙ୍କର ଅଭିଷେକ କାଯ୍ୟ ଶେଷ ହେଲା । ଶତ୍ରୁଘ୍ନ ଦୈତ୍ୟବଧ ଉଦ୍ଦେଶ୍ୟରେ ଯାତ୍ରାରମ୍ଭ କଲାବେଳେ ରାମଚନ୍ଦ୍ର ତାଙ୍କୁ ଉପଦେଶ ଛଳରେ କେତୋଟି କୌଶଳ ବତାଇଦେଲେ–

 

“ଶତ୍ରୁଘ୍ନ ! ଲଚଣକୁ ସହଜ ଦୈତ୍ୟଟିଏ ବୋଲି ବିଚାରିବ ନାହିଁ । ତା’ ହସ୍ତରେ ଶିବଦତ୍ତ ଶୂଳଟି ଥିଲେ ସ୍ୱୟଂ ବିଷ୍ଣୁ ମଧ୍ୟ ତାକୁ ମାରିବା ଅସାଧ୍ୟ । ତେଣୁ ସେ ଯେତେବେଳେ ନିରସ୍ତ୍ର ଅବସ୍ଥାରେ ରାଜପୁର ଛାଡ଼ି ବାହାରେ ଥିବ, ଠିକ୍ ସେଇ ସୁଯୋଗରେ ତାକୁ ଆକ୍ରମଣ କରିବ । ସାବଧାନ ସେ ଯେପରି ଶୂଳ ଆଣିବାକୁ ପୁରମଧ୍ୟକୁ ନ ପଶେ । ତାହାହେଲେ ତୁମେ ଆଉ ରକ୍ଷା ପାଇପାରିବ ନାହିଁ । ଏବେ ମୁଁ ତୁମକୁ କେତୋଟି ଦିବ୍ୟ ଶର ଦେଉଛି ।ଏହିଗୁଡ଼ିକର ସାହାଯ୍ୟରେ ତୁମେ ନିଶ୍ଚୟ ଲବଣକୁ ବଧ କରିପାରିବ ।”

 

ରାମଚନ୍ଦ୍ରଙ୍କର ଆଶୀର୍ବାଦ ଓ ପଦଧୂଳି ଘେନି ଶତ୍ରୁଘ୍ନ ଜୟ–ଯାତ୍ରା କଲେ । ପଥ ମଧ୍ୟରେ ମହର୍ଷି ବାଲ୍ମୀକିଙ୍କ ଆଶ୍ରମ ପଡ଼ିଲା । ଶତ୍ରୁଘ୍ନ ଗୋଟିଏ ରାତ୍ରି ସେଠାରେ ବିଶ୍ରାମ କଲେ । ସେହି ଶୁଭ ରାତ୍ରିରେ ନିର୍ବାସିତା ସୀତାଦେବୀଙ୍କର ଲବ କୁଶ ଦୁଇ ଯମଜ ପୁତ୍ର ଜାତ ହେଲେ । ପରଦିନ ପ୍ରଭାତ ହେଲାକ୍ଷଣି ଶତ୍ରୁଘ୍ନ ଅତି ଆନନ୍ଦରେ ମଧୁପୁରୀକୁ ଗମନ କଲେ ଏବଂ ଯମୁନାକୂଳରେ ପହଞ୍ଚି ଲବଣ ସନ୍ଧାନ ନେଲେ ।”

 

ଦୈବଯୋଗକୁ ସେତେବେଳେ ଲବଣ ଦୈତ୍ୟ ନିଜ ରାଜପୁରୀ ଛାଡ଼ି କେଉଁଆଡ଼େ ଯାଇଥିଲା । ଗଲାବେଳେ ସେ ହସ୍ତରେ ଶୁଳଟି ନେଇ ନ ଥିଲା । ଏହାହିଁ ପ୍ରକୃଷ୍ଟ ସୁଯୋଗ ଭାବି ଶତ୍ରୁଘ୍ନ ପୁରଦ୍ୱାରକୁ ରୁଦ୍ଧକରି ସେଠାରେ ବୀରଦର୍ପରେ ଠିଆହୋଇ ରହିଲେ । ଏହି ସମୟରେ ଲବଣ ଫେରିଆସିଲା ଏବଂ ଶତ୍ରୁଘ୍ନଙ୍କୁ ଯୁଦ୍ଧବେଶରେ ଦେଖି କ୍ରୋଧରେ ଦାନ୍ତ କଡ଼ମଡ଼ କରି ଗର୍ଜନ ଛାଡ଼ି କହିଲା–

 

“କିଏ ରେ ତୁ ହତଭାଗ୍ୟ ! ମୋର ଦ୍ୱାର ରୁଦ୍ଧ କରି ଠିଆ ହୋଇଛୁ ? ଜାଣୁ ଜାଣୁ ମୃତ୍ୟୁକୁ ବରଣ କରିବା ଲାଗି ତୋର କାହିଁକି ଦୁର୍ବୁଦ୍ଧି ହେଲା ?”

 

ଏହାଶୁଣି ଶତ୍ରୁଘ୍ନ ଦର୍ପିତ ସ୍ୱରରେ ଉତ୍ତର ଦେଲେ–

 

“ଯେଉଁ ରାମଚନ୍ଦ୍ର ରାବଣକୁ ସବଂଶରେ ମାରିଛନ୍ତି, ମୁଁ ତାଙ୍କରି କନିଷ୍ଠ ଭ୍ରାତା ଶତ୍ରୁଘ୍ନ । ରାମଚନ୍ଦ୍ର ମୋତେ ଏ ରାଜ୍ୟର ରାଜାରୂପେ ମନୋନୀତ କରିଛନ୍ତି । ମୁଁ ତୁମକୁ ଏହିଠାରେ ବଧକରି ମଧୁପୁରୀ ରାଜ୍ୟ ଅଧିକାର କରିବାକୁ ଆସିଛି ।”

 

ଲବଣ ଠୋ–ଠୋ–ହୋଇ ବସି ଉଠିଲା ଏବଂ ବ୍ୟଙ୍ଗ କରି କହିଲା–ମୁଁ ବଞ୍ଚି ଥାଉ ଥାଉ ତୁ ମୋ ରାଜ୍ୟର ରାଜା ହୋଇସାରିଛୁ । ବେଶ, ମନେ ମନେ ସେହି ଆତ୍ମପ୍ରସାଦ ଧରି ରହିଥା । ଅଳ୍ପ ସମୟ ମଧ୍ୟରେ ନିଜର ପ୍ରକୃତ ମୂଲ୍ୟ ବୁଝିପାରିବୁ, ଅପେକ୍ଷା କର ମୁର୍ଖ ।

 

ସଙ୍ଗେ ସଙ୍ଗେ ଦୈତ୍ୟର ଦୁଇ ଚକ୍ଷୁ ଭୀଷଣ କ୍ରୋଧରେ ଆରକ୍ତ ହୋଇ ଉଠିଲା । ସେ ଗର୍ବଭରେ ବାହା ଫୁଟାଇ କହିଲା–

 

“ରେ ନରାଧମ ! ଯଦି ସଦ୍‍ବୁଦ୍ଧି ଅଛି, ଜୀବନକୁ ଆଶା ଅଛି, ତେବେ ନୀରବରେ ଦ୍ୱାର ଛାଡ଼ି ପଳାୟନ କର, ନ ହେଲେ କ୍ଷଣକ ମଧ୍ୟରେ ଯମପୁରୀର ଦ୍ୱାରସ୍ଥ ହେବୁ । ମନେ ରଖ ଆଜି ପର୍ଯ୍ୟନ୍ତ ମୋ ସମ୍ମୁଖକୁ ଆସି କେହି ହେଲେ ନିସ୍ତାର ପାଇ ନାହିଁ–ତୁ ବା ପାଇବୁ କିପରି ? ତଥାପି ତୋତେ ପ୍ରଥମ ଥରପାଇଁ କ୍ଷମା ଦେଉଛି; ମୋ ଆଗରୁ ଶୀଘ୍ର ଦୂର ହୋଇଯା ।”

 

ଦୈତ୍ୟରାଜର ଏ ସ୍ପର୍ଦ୍ଧିତ ବାକ୍ୟରେ ଶତ୍ରୁଘ୍ନ ତିଳେହେଲେ ଅସ୍ଥିର ହେଲେ ନାହିଁ, ବରଂ ଆହୁରି ଦମ୍ଭରେ ଦ୍ୱାରପଥ ରୁଦ୍ଧ କରି ସମ୍ମୁଖ–ଯୁଦ୍ଧର ଆହ୍ୱାନ ଦେଲେ । ଲବଣ ଆଉ ସମ୍ଭାଳି ନପାରି କହିଲା–

 

“ଆଛା ତାହାହିଁ ହେଉ, ମାତ୍ର ମୋତେ ଟିକିଏ ପ୍ରସ୍ତୁତ ହେବେକୁ ଅବସର ଦେ । ପୁରଦ୍ୱାର ତୁ କିଛି ସମୟପାଇଁ ମୁକ୍ତ କରିଦେଲେ ମୁଁ ତନ୍ମଧ୍ୟକୁ ଯାଇ ଅସ୍ତ୍ରଶସ୍ତ୍ର ଆଣିବି ଏବଂ ତତ୍ପରେ ତୋ ସହିତ ସମ୍ମୁଖ–ଯୁଦ୍ଧରେ ପ୍ରବୃତ୍ତ ହେବି ।”

 

ଏହା ଶୁଣି ଶତ୍ରୁଘ୍ନ କହିଲେ–

 

“ତାହା କଦାପି ହୋଇପାରିବ ନାହିଁ । ମୁଁ ତୋତେ ପୁର ଭିତରକୁ ଛାଡ଼ିବି ନାହିଁ, କି ଅସ୍ତ୍ରଶସ୍ତ୍ର ଆଣିବାର ସୁଯୋଗ ଦେବି ନାହିଁ ।”

 

ନିରୁପାୟ ହୋଇ ଦୈତ୍ୟ କହିଲା–

 

“ତୁ ପରା କ୍ଷତ୍ରିୟ, ଯୁଦ୍ଧ ଧର୍ମ କ’ଣ ଜାଣୁ ନା ? ଅସ୍ତ୍ରଧାରୀ–ସହିତ ନିରସ୍ତ୍ରର କେଉଁଠି ଯୁଦ୍ଧ ହେଲାଣି ? ଶାସ୍ତ୍ରରେ ପରା ସେଥିପାଇଁ ନିଷେଧ ଅଛି ।’’

 

Image

[ରାକ୍ଷସ ସହିତ ଯୁଦ୍ଧ]

 

ଶତ୍ରୁଘ୍ନ ସଙ୍ଗେ ସଙ୍ଗେ ବିଦ୍ରୂପ କରି କହିଲେ–

 

“ଏତେ ଶାସ୍ତ୍ରଜ୍ଞାନ ତୋର କେବେ ହେଲା ? ନିରୀହ ପ୍ରଜାମାନଙ୍କ ଉପରେ ଅତ୍ୟାଚାର କଲାବେଳେ ଶାସ୍ତ୍ର କୁଆଡ଼େ ଥିଲା ? ନିରସ୍ତ୍ର କ୍ଷତ୍ରିୟ ସହିତ ଅସ୍ତ୍ରଧାରୀ କ୍ଷତ୍ରିୟର ସିନା ଯୁଦ୍ଧ ହୁଏ ନାହିଁ; କିନ୍ତୁ ତୋ ଭଳି ଅତ୍ୟାଚାରୀ ଦୈତ୍ୟ ସହିତ ଯୁଦ୍ଧ କଲାବେଳେ ସେ ସବୁ ଶାସ୍ତ୍ରବିଧାନର କି ପ୍ରୟୋଜନ ?

 

କହୁ କହୁ ଶତ୍ରୁଘ୍ନ ଭ୍ରାତାଙ୍କଠାରୁ ଆଣିଥିବା ଅମୋଘ ଅସ୍ତ୍ର ସବୁ ଲବଣ ଦୈତ୍ୟ ଉପରକୁ ନିକ୍ଷେପ କଲେ । ଅସ୍ତ୍ରହୀନ ଦୈତ୍ୟ ପ୍ରକାଣ୍ଡ ବୃକ୍ଷମାନ ଉତ୍ପାଟନ କରି ଶତ୍ରୁଘ୍ନଙ୍କ ଦେହକୁ ଫିଙ୍ଗିବାକୁ ଲାଗିଲା; କିନ୍ତୁ ତାର ସମସ୍ତ ଚେଷ୍ଟା ନିସ୍ଫଳ ହେଲା । ଶେଷରେ ସେ ଶତ୍ରୁଘ୍ନଙ୍କ ତୀକ୍ଷଣ ଶରାଘାତରେ ଭୟଙ୍କର ଗର୍ଜନ ଛାଡ଼ି ତଳେ କଚାଡ଼ି ହୋଇ ପଡ଼ିଲା । ସଙ୍ଗେ ସଙ୍ଗେ ତା’ର ପିଣ୍ଡରୁ ପ୍ରାଣବାୟୂ ନିର୍ଗତ ହୋଇଗଲା ।

 

ଏହିରୁପେ ଶତ୍ରୁଘ୍ନ ଦୁଷ୍ଟ ଦୈତ୍ୟକୁ ସଂହାର କରି ମଧୁପୁରୀର ରାଜସିଂହାସନ ଅଧିକାର କଲେ । ରାଜ୍ୟରେ ଶାନ୍ତିଶୃଙ୍ଖଳା ବିରାଜିତ ହେଲା । ରାମଚନ୍ଦ୍ର ବୀରଭ୍ରାତାର ସୁଶାସନ ସମ୍ବାଦ ପାଇ ଅତ୍ୟନ୍ତ ସନ୍ତୁଷ୍ଟ ହେଲେ ।

Image

 

ଅଗ୍ନିଙ୍କ ପ୍ରତି ଶାପ

 

ଏକଦା ଜଳାଧିପତି ବରୁଣ ଗୋଟିଏ ଯଜ୍ଞ କରିବାପାଇଁ ମନସ୍ଥ କଲେ । ସେ ଏହି ଉଦ୍ଦେଶ୍ୟରେ ପିତାମହ ବ୍ରହ୍ମାଙ୍କ ସହିତ ପରାମର୍ଶ କରିବାକୁ ଗଲେ । ବ୍ରହ୍ମା ତାଙ୍କ ସାଧୁ ପ୍ରସ୍ତାବକୁ ପୂର୍ଣ୍ଣପ୍ରାଣରେ ସମର୍ଥନ କଲେ ଏବଂ ନିଜେ ସେହି ଯଜ୍ଞର ପୁରୋଧା ହେବାପାଇଁ ଅଜାଚିତ ଭାବରେ ସମ୍ମତି ଦେଲେ ।

 

ଯଥାକାଳରେ ବରୁଣଦେବଙ୍କ ନଗରରେ ଯଜ୍ଞକାର୍ଯ୍ୟ ଖୁବ୍ ସମାରୋହରେ ଅନୁଷ୍ଠିତ ହେଲା । ବ୍ରହ୍ମାଙ୍କ ଇଚ୍ଛାନୁସାରେ ସେହି ଯଜ୍ଞର ଅଗ୍ନିରୁ ଏକ କୁମାର ଜନ୍ମଗ୍ରହଣ କଲେ । ତାହାଙ୍କର ନାମ ହେଲା ଭୃଗୁ । ଏହି ଭୃଗୁ ପରେ ନିଜର ଅଦ୍ଭୁତ ତପସ୍ୟା ବଳରେ ଜଣେ ଶ୍ରେଷ୍ଠ ମହର୍ଷି ହେଲେ ଏବଂ ପୃଥିବୀରେ ସର୍ବପ୍ରଥମେ ଧନୁର୍ବିଦ୍ୟା ପ୍ରବର୍ତ୍ତନ କଲେ । ତାହାଙ୍କଠାରୁ ଭୃଗୁ ବଂଶର ଉତ୍ପତ୍ତି ହେଲା । ଏହିରୂପେ ଭୃଗୁ ପ୍ରଜାପତି ବ୍ରହ୍ମାଙ୍କର ଏକ ମାନସପୁତ୍ର । ସେ ପୁଲୋମା ନାମ୍ନୀ ଜଣେ ଋଷି କନ୍ୟାଙ୍କୁ ବିବାହ କରି ନିଜ ଆଶ୍ରମରେ ବାସ କରିବାକୁ ଲାଗିଲେ । ଅଗ୍ନି ଗର୍ଭରୁ ଜାତ ହୋଇଥିଲେ ବୋଲି ଭୃଗୁ ଅଗ୍ନିଦେବଙ୍କୁ ନିୟମିତ ଭାବରେ ଉପାସନା କରୁଥିଲେ ।

 

ଏହି ପୁଲୋମା ଯେତେବେଳେ କୁମାରୀ ଥିଲେ, ତାଙ୍କର ଅଲୌକିକ ରୂପଲାବଣ୍ୟ ଦେଖି ପୁଲୋମା ନାମକ ଜଣେ ରାକ୍ଷଣ ମୁଗଧ୍ ହୋଇ ଯାଇଥିଲା । ସେ କନ୍ୟାପିତାଙ୍କ ସମୀପରେ ଉପସ୍ଥିତ ହୋଇ ସୁନ୍ଦରୀ ପୁଲୋମାଙ୍କୁ ବିବାହ କରିବାର ପ୍ରବଳ ଅଭିଳାଷ ପ୍ରକାଶ କଲା, କିନ୍ତୁ ରାକ୍ଷସ ପୁଲୋମାର ସେହି ଅନୁଚିତ ଆଶା ପୂର୍ଣ୍ଣ ହୋଇପାରିଲା ନାହିଁ । ଋଷିକନ୍ୟା ପୁଲୋମା ପିତାଙ୍କ ନିର୍ବାଚନ ଅନୁସାରେ ମହର୍ଷି ଭୃଗୁଙ୍କ ହସ୍ତରେ ସମର୍ପିତା ହେଲେ ।

 

ରୂପବତୀ ପୁଲୋମାଙ୍କୁ ପତ୍ନୀରୂପେ ପାଇ ନ ପାରି ରାକ୍ଷସ ପୁଲୋମା ନିଜକୁ ବଡ଼ ଅପମାନିତ ବୋଧ କଲା ଏବଂ ମହର୍ଷି ଭୃଗୁଙ୍କ ଆଶ୍ରମରୁ ତାଙ୍କୁ କୌଶଳକ୍ରମେ ହରଣ କରି ଆଣିବାକୁ ପ୍ରତିଜ୍ଞାବଦ୍ଧ ହେଲା । ଏଥିପାଇଁ ସେ କିଛିକାଳ ସୁଯୋଗର ଅପେକ୍ଷାରେ ରହିଲା ।

 

ପୁଲେମା ରାକ୍ଷସ ବଡ଼ ଦୁର୍ଦ୍ଦାନ୍ତ ଓ ଅତ୍ୟାଚାରୀ ଥିଲା । ଦେବତାମାନେ ମଧ୍ୟ ତାକୁ ଅନେକ ସମୟରେ ଭୟ କରୁଥିଲେ । ଥରେ ରାକ୍ଷସ ଗୋଟିଏ ଯଜ୍ଞ କଲା ଏବଂ ଅଗ୍ନି ଦେବଙ୍କୁ ପୂଜା କରିସାରି ପଚାରିଲା–

 

“ଦେବତାମାନଙ୍କୁ ଅର୍ପିତ ଆହୁତି ତୁମରି ଅଙ୍ଗରେ ପ୍ରଥମେ ଢଳାଯାଏ, ତାହାକୁ ହିଁ ଦେବତାମାନେ ଗ୍ରହଣ କରନ୍ତି । ତେଣୁ ତୁମେ ଦେବତାମାନଙ୍କର ମୁଖ ବୋଲି କଥିତ । ତୁମ ମୁଖରୁ ସତ୍ୟକଥା ଶୁଣିବି ବୋଲି ମୁଁ ଗୋଟିଏ ବିଷୟ ପଚାରୁଛି । ଭୃଗୁପତ୍ନୀ ଅବିବାହିତା ଥିଲାବେଳେ ମୁଁ ତାଙ୍କୁ ନିଜର ଧର୍ମପତ୍ନୀରୂପେ ମନମଧ୍ୟରେ ବରଣ କରି ସାରିଥିଲି । ସେହି କଥା ତାଙ୍କ ପିତାଙ୍କୁ ମଧ୍ୟ ଜଣାଇଥିଲି । ମାତ୍ର ମୋର ଆଶା ସଫଳ ହୋଇପାରିଲା ନାହିଁ । ସେହିଦିନୁ ମୋ ମନରେ ଗୋଟିଏ ସନ୍ଦେହ ରହିଛି । ତାହା ମୋଚନ କରି ଏବେ କୁହ, ପ୍ରକୃତରେ ଋଷିକନ୍ୟା ପୁଲୋମା ମୋର ପତ୍ନୀ କି ଭୃଗୁଙ୍କର ପତ୍ନୀ ।”

 

ଅଗ୍ନି ବିଷମ ସମାସ୍ୟରେ ପଡ଼ିଲେ । ତାଙ୍କ ମନରେ ଭୟର ସଞ୍ଚାର ହେଲା । ରାକ୍ଷସକୁ ସନ୍ତୁଷ୍ଟ ନ କଲେ ସେ କୋପାନ୍ୱିତ ହୋଇ ଭୀଷଣ କାଣ୍ଡ ଘଟାଇବ । ତେଣୁ କିଛି ସମୟ ଭାବି ଅଗ୍ନି ଉତ୍ତର ଦେଲେ–

 

“ମହର୍ଷି ଭୃଗୁ ସର୍ବଜନ–ସମକ୍ଷରେ ମୋତେ ସାକ୍ଷୀ ରଖି ପୁଲୋମାଙ୍କର ପାଣି ଗ୍ରହଣ କରିଛନ୍ତି, ତେଣୁ ପୁଲୋମା ଯେ ଭୃଗୁଙ୍କର ବିବାହିତା ଭାର୍ଯ୍ୟା ଏଥିରେ ସନ୍ଦେହ ନାହିଁ । କିନ୍ତୁ ତୁମେ ସେହି ବିବାହ ପୂର୍ବରୁ ପୁଲୋମାଙ୍କୁ ପତ୍ନୀରୂପେ ବରଣ କରି ସାରିଥିଲ । ସେହି ଦୃଷ୍ଟିରୁ ତୁମର ଦାବୀ ମଧ୍ୟ ନ୍ୟାୟସଙ୍ଗତ ବୋଲି ମନେ ହୁଏ ।”

 

ଅଗ୍ନିଙ୍କଠାରୁ ଆଂଶିକ ସମର୍ଥନ ପାଇବାମାତ୍ରେ ପୁଲୋମା ରାକ୍ଷସ ଭୃଗୁଙ୍କ ଆଶ୍ରମକୁ ଧାଇଁଲା । ସେତେବେଳେ ମହର୍ଷି କୌଣସି ବିଶେଷ କାର୍ଯ୍ୟରେ ସ୍ଥାନାନ୍ତରକୁ ଚାଲିଯାଇଥିଲେ । ତେଣୁ ଏହା ହିଁ ଅଭୀଷ୍ଟସାଧନର ପ୍ରକୃଷ୍ଟ ସମୟ ଭାବି ରାକ୍ଷସ ଆଶ୍ରମ କୁଟୀର ମଧ୍ୟକୁ ପଶିଗଲା ଏବଂ ବଳାତ୍କାରରେ ଭୃଗୁ ପତ୍ନୀଙ୍କୁ ଝିଙ୍କିଆଣିଲା । ତତ୍ପରେ ସେ ଏକ ଶୂକର ରୂପ ଧାରଣ କରି କ୍ଷିପ୍ରଗତିରେ ତାଙ୍କୁ ଘେନି ପଳାଇ ଯିବାକୁ ବସିଲା ।

 

Image

[ରାକ୍ଷସର ପୁଲୋମା ହରଣ]

 

ପୁଲୋମା ସେତେବେଳେ ଗର୍ଭବତୀ ଥିଲେ । କ୍ରୂର ରାକ୍ଷସର ଅତ୍ୟାଚାରରେ ସେ ଏପରି ଭୟବିହ୍ୱଳ ହୋଇଗଲେ ଯେ ଗର୍ଭସ୍ଥ ଶିଶୁଟି ହଠାତ୍ ସେହିଠାରେ ଭୂମିଷ୍ଠ ହୋଇପଡ଼ିଲା । ସେହି ଅକାଳ–ଜାତ ଶିଶୁଟିର ଦେହ ଅପୂର୍ବ ତେଜରେ ଝଟକି ଉଠୁଥାଏ । ସେ ଭୂତଳରେ ପଡ଼ିଲାମାତ୍ରେ ମାତାବୈରୀ ପୁଲୋମା ରାକ୍ଷସକୁ କ୍ରୋଧପୂର୍ଣ୍ଣ ଚକ୍ଷୁରେ ଅନାଇ ଦେଲା । ଆଶ୍ଚର୍ଯ୍ୟ କଥା, ସଙ୍ଗେ ସଙ୍ଗେ ରାକ୍ଷସଟା ପୋଡ଼ିଯାଇ ଭସ୍ମରେ ପରିଣତ ହୋଇଗଲା । ଶିଶୁଟିର ଏଭଳି ଅଲୌକିକ ଶକ୍ତି ଦେଖି ମାତା ପୁଲୋମା ବିସ୍ମୟରେ ଅଭିଭୂତ ହେଲେ ଏବଂ ତାହାକୁ ବକ୍ଷରେ ଧରି ମହା ଆନନ୍ଦରେ କୁଟୀରକୁ ଫେରିଗଲେ । ଗର୍ଭରୁ ଚ୍ୟୁତ ହୋଇ ଜନ୍ମଲାଭ କରିଥିବାରୁ ସେ ପୁତ୍ରଟିର ନାମ ରଖିଲେ 'ଚ୍ୟବନ' ।

 

କିଛିଦିନ ପରେ ମହର୍ଷି ଭୃଗୁ ସ୍ଥାନାନ୍ତରରୁ ଫେରି ଆସିଲେ ଏବଂ ରାକ୍ଷସର ଆକ୍ରମଣରୁ ପତ୍ନୀଙ୍କ ଶୋଚନୀୟ ଦଶା କଥା ଶୁଣି ମର୍ମନ୍ତୁଦ ଦୁଃଖ ଅନୁଭବ କଲେ । ଅଗ୍ନିଦେବ ଯେ ଏ ସକଳ ଅନର୍ଥର ଏକମାତ୍ର ମୂଳ, ଏହା ସେ ସ୍ପଷ୍ଟ ବୁଝିପାରିଲେ । ରାକ୍ଷସ ଯଦି ତାଙ୍କଠାରୁ ସାହସ ପାଇ ନ ଥାନ୍ତା ଏବଂ ପୁଲୋମାଙ୍କ ଉପରେ ତାର ମଧ୍ୟ ଦାବୀ ଅଛି ବୋଲି ଶୁଣି ନ ଥାନ୍ତା, ତାହାହେଲେ ଏଭଳି ଦାରୁଣ ଘଟଣା କଦାପି ଘଟି ନ ଥାନ୍ତା । ଏହା ବିଚାରି ସେ କ୍ରୋଧରେ ଜ୍ଞାନଶୂନ୍ୟ ହୋଇଗଲେ । ଚାହୁଁ ଚାହୁଁ ତାଙ୍କ ତୁଣ୍ଡରୁ ଭୀଷଣ ଅଭିଶାପ ବାଣୀ ନିର୍ଗତ ହେଲା ।

 

“ହେ ଅଗ୍ନି ! ତୁମରି ଯୋଗୁଁ ମୋର ପତ୍ନୀ ଏତେ ଦୁର୍ଦ୍ଦଶାର ସମ୍ମୁଖୀନ ହେଲେ । ଏ ପର୍ଯ୍ୟନ୍ତ ତୁମର ମୁଖ ଅତି ପବିତ୍ର ଥିଲା । ପୁଲୋମା ରାକ୍ଷସକୁ ମୋ ପତ୍ନୀଙ୍କ ସମ୍ବନ୍ଧରେ ଅସତ୍ୟ କଥା କହି ତୁମେ ସେହି ପବିତ୍ର ମୁଖକୁ ଏବେ ଅପବିତ୍ର କରିଦେଇଛ । ତେଣୁ ମୋ ଅଭିଶାପରୁ ଆଜିଠାରୁ ତୁମେ ସର୍ବଭକ୍ଷ ହେବ । ମେଧ୍ୟ–ଅମେଧ୍ୟ କୌଣସି ବସ୍ତୁର ଆଉ ବାରଣ ରହିବ ନାହିଁ– ତୁମେ ସେଇ ମୁଖରେ ସବୁ ଗ୍ରାସ କରିବାକୁ ବାଧ୍ୟ ବେବ ।”

 

ଏହି ଅଭିଶାପ ପାଇ ଅଗ୍ନି ବଡ଼ ବ୍ୟଥିତ ହେଲେ ଏବଂ କାହାଠାରୁ ଆଉ ଆହୁତି ଗ୍ରହଣ କଲେ ନାହିଁ । ତାଙ୍କର ଏଭଳି ଅଭିମାନପୂର୍ଣ୍ଣ ଆଚରଣ ଦେଖି ଋଷିମାନେ ଅତ୍ୟନ୍ତ ଉଦବିଗ୍ନ ହୋଇ ପଡ଼ିବାରୁ ଅଗ୍ନି ସେମାନଙ୍କୁ ବୁଝାଇ ଦେଲେ–

 

“ଆପଣମାନେ ମୋତେ ଯେଉଁ ଆହୁତି ଦିଅନ୍ତି, ଦେବଗଣ ଓ ପିତୃଗଣ ତାହାକୁ ଗ୍ରହଣ କରିଥାଆନ୍ତି । ମୁଁ ମଝିରେ କେବଳ ବାହକ ମାତ୍ର । ତେଣୁ ମୁଁ ସର୍ବଭକ୍ଷ ହୋଇ ପବିତ୍ର ଅପବିତ୍ର ଉଭୟବିଧ ଭକ୍ଷଣ କଲେ ସେମାନେ ମଧ୍ୟ ସେହି ଦ୍ରବ୍ୟ ଗ୍ରହଣ କରିବାକୁ ବାଧ୍ୟ ହେବେ । ମାତ୍ର ଜାଣୁ ଜାଣୁ ମୁଁ ଏହି ଅନ୍ୟାୟ କାର୍ଯ୍ୟର କାରଣ ହୋଇପାରିବି ନାହିଁ । ସେଥିପାଇଁ ଆହୁତି–ଗ୍ରହଣ ବନ୍ଦ କରିଦେଇଛି । ଏହାଦ୍ୱାରା ମୁଁ ଉଚିତ କାର୍ଯ୍ୟ କରିନାହିଁ କି ?’’

 

ଏହା କହି ଅଗ୍ନିଦେବ ତତକ୍ଷଣାତ୍ ଯଜ୍ଞକୁଣ୍ଡରୁ ବିଦାୟ ନେଇ ଚାଲିଗଲେ ।

 

ଊଷିଗଣ ଏବେ ପ୍ରକୃତ ବିବରଣ ଜାଣିପାରି ଦେବତାମାନଙ୍କୁ ତାହାର ପ୍ରତିକାର କରିବାକୁ ଅନୁରୋଧ କଲେ । ଫଳରେ ଦେବତା ଓ ଋଷି ସମସ୍ତେ ଏକତ୍ର ମିଳି ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ନିକଟରେ ଉପଗତ ହେଲେ ଏବଂ ଅତି କାତରଭାବରେ ଅଭିଯୋଗ ଜଣାଇଲେ–

 

“ପ୍ରଭୋ ! ଭୃଗୁ ମହର୍ଷିଙ୍କ ଅଭିଶାପରୁ ଅଗ୍ନିଦେବ ଏବେ ସର୍ବଭୁକ୍ ହୋଇଛନ୍ତି । ଶାପ ପ୍ରାପ୍ତି ପରେ ସେ ଅତ୍ୟନ୍ତ ବିରକ୍ତ ହୋଇ ଯଜ୍ଞକୁଣ୍ଡ ଛାଡ଼ି ଚାଲି ଯାଇଛନ୍ତି । ପୃଥିବୀରେ ଏବେ କୌଣସିଠାରେ ଯଜ୍ଞାଗ୍ନି ନାହିଁ–ସମସ୍ତ ଯଜ୍ଞକୁଣ୍ଡ ନିର୍ବାପିତ ହୋଇଯାଇଅଛି । ଦେବତା ଓ ପିତୃଗଣଙ୍କୁ ଆହୁତି ଦେବାର ଆଉ କୌଣସି ଉପାୟ ନାହିଁ । ପ୍ରକୃତରେ କହିବାକୁ କଲେ ସୃଷ୍ଟିରେ ଘୋର ସଙ୍କଟ ପଡ଼ିଯାଇଛି । ଆପଣ ସ୍ୱୟଂ ସୃଷ୍ଟିକର୍ତ୍ତା; ତେଣୁ ତୁରନ୍ତ କିଛି ପ୍ରତିକାର କରି ଏ ସଙ୍କଟ ଦୂର କରନ୍ତୁ ।”

 

ବ୍ରହ୍ମା ସମସ୍ତ ବୃତ୍ତାନ୍ତ ଶୁଣିସାରିଲା ପରେ ଅଗ୍ନିଦେବଙ୍କୁ ଡକାଇ ପଠାଇଲେ । ଅଗ୍ନି ଉପସ୍ଥିତ ହୁଅନ୍ତେ ବ୍ରହ୍ମା ତାଙ୍କୁ କହିଲେ–

 

“ତୁମ ଅଭାବରେ ବନ୍ଦ ହୋଇଯାଇଥିବା ଯଜ୍ଞାଦି କର୍ମ ପୁର୍ବପରି ଚାଲିବ, ପୁଣି ଭୃଗୁ ଯାହା ଅଭିଶାପ ଦେଇଛନ୍ତି ତାହା ମଧ୍ୟ କାର୍ଯ୍ୟରେ ପରିଣତ ହେବ । ଏ ଉଭୟକୁ ଦୃଷ୍ଟିରେ ରଖି ମୁଁ ବର୍ତ୍ତମାନ ଗୋଟିଏ ନୂଆ ବିଧାନ କରିବାକୁ ଯାଉଛି, ଯଦ୍ଦ୍ୱାରା ତୁମେ ଓ ଭୃଗୁ ଦୁହିଁଙ୍କର ସମ୍ମାନ ଅକ୍ଷୂଣ୍ଣ ରହିବ । ତୁମେ ଏପର୍ଯ୍ୟନ୍ତ ଯେଉଁ ମୁଖରେ ଆହୁତି ଗ୍ରହଣ କରିଆସୁଛ, ତାହା ଚିରକାଳ ପବିତ୍ର ରହି ସେହି କାର୍ଯ୍ୟରେ ବ୍ୟବହୃତ ହେବ । ଏବେ ତୁମର ପଶ୍ଚାଦ୍ଦେଶରେ ମୁଁ ଆଉ ଗୋଟିଏ ମୁଖ ସୃଷ୍ଟି କରିଦେବି । ସେହି ଦ୍ୱିତୀୟ ମୁଖଟି ସର୍ବଭକ୍ଷ ହୋଇ ମହର୍ଷି ଭୃଗୁଙ୍କ ଅଭିଶାପକୁ ସଫଳ କରିବ ।”

 

ସତକୁସତ ଅଗ୍ନିଦେବ ସଙ୍ଗେ ସଙ୍ଗେ ଦ୍ୱିମୁଖ ହୋଇଗଲେ । ପୃଥିବୀରେ ଯେତେ ଯଜ୍ଞକୁଣ୍ଡ ଲିଭି ରହିଥିଲା, ସେଗୁଡ଼ିକ ପୁଣି ଜଳି ଉଠିଲା । ଅଗ୍ନିଦେବ ପ୍ରଥମ ମୁଖ ସାହାଯ୍ୟରେ ପୁର୍ବବତ୍ ପବିତ୍ର ଆହୁତି ଦ୍ରବ୍ୟ ସବୁ ଗ୍ରହଣ କଲେ ଏବଂ ଦ୍ୱିତୀୟ ମୁଖଦ୍ୱାରା ମେଧ୍ୟ–ଅମେଧ୍ୟ ଯାବତୀୟ ଦ୍ରବ୍ୟ ଗ୍ରାସ କରିବାକୁ ଲାଗିଲେ ।

Image

 

ପିତାମାତାଙ୍କ ସେବା

 

ବନ ମଧ୍ୟରେ ଗୋଟାଏ ପ୍ରକାଣ୍ତ ଝଙ୍କା ତରୁ । ବୃକ୍ଷଟିର ଗହଳ ପତ୍ରାବଳୀ ଭେଦ କରି ସୂର୍ଯ୍ୟକିରଣ ଭୂତଳରେ ପଡ଼ିପାରୁ ନ ଥାଏ । ତେଣୁ ତରୁତଳଟି ଖୁବ୍ ଛାୟା ବହୁଳ ହୋଇଥାଏ । ସେହିଠାରେ କୌଶିକ ବୋଲି ଜଣେ ତପସ୍ୱୀ ଧ୍ୟାନ କରିବାକୁ ବସିଥାନ୍ତି । ସେହି ବୃକ୍ଷର ଶାଖାରେ ଗୋଟିଏ ବକ ନୀଡ଼ ରଚନା କରି ବାସ କରୁଥିଲା । ସେ ଦୁର୍ଯ୍ୟୋଗବଶତଃ ସେହି ସମୟରେ ତପସ୍ୱୀଙ୍କ ମସ୍ତକ ଉପରେ ମଳତ୍ୟାଗ କରିଦେଲା ।

 

କୌଶିକ ଭାଷଣ ରାଗିଯାଇ ଊର୍ଦ୍ଧ୍ୱକୁ ଚାହିଁଦେଲେ । ସେହି ରୋଷ ଦୃଷ୍ଟିରେ ବକଟି ସଙ୍ଗେ ସଙ୍ଗେ ଭସ୍ମୀଭୂତ ହୋଇଗଲା । ଋଷି ଅତି କ୍ଷଣକୋପୀ । କିଛି ସମୟ ପରେ କୋପ ସ୍ୱତଃ ଶାନ୍ତ ହୋଇଗଲାରୁ ବକଟିର ମୃତ୍ୟୁପାଇଁ ତାଙ୍କ ମନରେ ପ୍ରବଳ ଅନୁତାପ ଆସିଲା । ସେ ସ୍ୱକୃତ ମନ୍ଦକର୍ମ ଲାଗି ପ୍ରାୟଶ୍ଚିତ କରିବାକୁ ମନସ୍ଥ କଲେ ।

 

ଧ୍ୟାନକାର୍ଯ୍ୟରେ ବିଘ୍ନ ଘଟିବାରୁ କୌଶିକ ଆଉ ସେଠାରେ ନ ରହି ଭିକ୍ଷାର୍ଥେ ଦୂର ପଲ୍ଲୀକୁ ଚାଲିଗଲେ । ଜଣେ ଗୃହସ୍ଥଙ୍କ ପତ୍ନୀ ଅତିଥିଙ୍କୁ ଦ୍ୱାରରେ ଦେଖି ଭିକ୍ଷା ଆଣିବାପାଇଁ ପୁରମଧ୍ୟକୁ ପ୍ରବେଶ କଲେ । ଦୈବଯୋଗେ ଠିକ୍ ସେହି ସମୟରେ ତାଙ୍କର ସ୍ୱାମୀ ଅତ୍ୟନ୍ତ କ୍ଳାନ୍ତ ଦେହରେ ଗୃହକୁ ଫେରିଲେ । ପତିବ୍ରତା ଗୃହିଣୀ ସ୍ୱାମୀଙ୍କ କ୍ଳାନ୍ତି ଦୂର କରିବାରେ ନିଯୁକ୍ତ ହେବା ଫଳରେ ଦାରସ୍ଥ ଅତିଥିଙ୍କ ବିଷୟ ଏକାବେଳେକେ ପାସୋରି ପକାଇଲେ ।

 

ସ୍ୱାମୀସେବା ଶେଷ ହେବା ମାତ୍ରେ ଗୃହିଣୀଙ୍କର ଭିକ୍ଷା ଦେବା କଥା ମନେ ପଡ଼ିଲା । ସେ ପାତ୍ରରେ ଭିକ୍ଷାଦ୍ରବ୍ୟ ଭରି ଦ୍ୱାର ନିକଟକୁ ଆସିଲେ । ଏତେକାଳ ଅପେକ୍ଷା କରି ଠିଆ ହୋଇ ରହିବା ଯୋଗୁଁ କୌଶିକ ସେତେବେଳକୁ ଅତିରିକ୍ତ ବିରକ୍ତ ହୋଇସାରିଥାନ୍ତି । ତେଣୁ ଗୃହସ୍ଥପତ୍ନୀଙ୍କୁ ଚାହିଁ କହିଲେ–

 

“ମୋତେ ଦାଣ୍ଡମୁହଁରେ ଠିଆ କରାଇଦେଇ ଗୃହ ମଧ୍ୟରେ ଏତେକାଳ କ’ଣ କରୁଥିଲ ? ଭିକ୍ଷା ଦେବା କଥା ଭୁଲିଯାଇଥିଲ ନା କ’ଣ ?”

 

Image

[ଗୃହସ୍ଥପତ୍ନୀଙ୍କ ପ୍ରତି ଋଷିଙ୍କର କ୍ରୋଧ]

 

ଅତିଥିପରାୟଣା ଗୃହିଣୀ ବଡ଼ ଲଜ୍ଜିତା ହୋଇ କହିଲେ–

 

“ମୋର ସ୍ୱାମୀ ପରିଶ୍ରାନ୍ତ ହୋଇ ଗୃହକୁ ଫେରିବାରୁ ମୁଁ ତାଙ୍କରି ସେବାରେ ଏତେ ବଳଯାଏ ନିଯୁକ୍ତ ଥିଲି । ପ୍ରକୃତରେ ସେଥିଯୋଗୁଁ ଆପଣଙ୍କ କଥା ପାସୋରିଯାଇଥିଲି । ବିଳମ୍ବ ପାଇଁ ମୋତେ କ୍ଷମା କରନ୍ତୁ ।”

 

ଏଥିଲେ ନିଜକୁ ଘୋର ଅପମାନିତ ମନେକରି କୌଶିକ କ୍ରୋଧରେ ଅଗ୍ନିଶର୍ମା ହୋଇଗଲେ ଏବଂ ଉକ୍ତ ଗୃହିଣୀଙ୍କୁ ରକ୍ତଚକ୍ଷୁ ଦେଖାଇ କହିଲେ–

 

“ଅତିଥି ଦେବତାଙ୍କଠାରୁ ମଧ୍ୟ ଅଧିକ ପୁଜ୍ୟ । ମୋ ଭଳି ଜଣେ ତପସ୍ୱୀ ଅତିଥିଙ୍କୁ ଅବଜ୍ଞା କରି ତୁମେ ଗୃହ ଭିତରେ ସ୍ୱାମୀର ସେବା କରୁଥିଲ–ଏତେ ବଡ଼ ଆସ୍ପର୍ଦ୍ଧା ତୁମର ? ମୋର କ୍ଷମତା ତୁମେ ଜାଣି ନାହଁ ? ଇଚ୍ଛା କଲେ ମୁଁ ଏହିକ୍ଷଣି ତୁମକୁ ପୋଡ଼ି ଭସ୍ମ କରିଦେଇପାରେ ।”

 

ସାଧ୍ୱୀ ଗୃହସ୍ଥପତ୍ନୀ ମୃଦୁହାସ୍ୟ କରି କହିଲେ–

 

“ତପସ୍ୱୀ ! ଅତିଥି–ସେବା କଥା ମୁଁ ଭଲକରି ଜାଣେ । ମାତ୍ର ନାରୀ ପକ୍ଷରେ ପତି ହିଁ ସର୍ବଶ୍ରେଷ୍ଠ ଦେବତା । ସ୍ୱାମୀଙ୍କ ସେବା ସର୍ବପ୍ରଥମେ ମୋର କର୍ତ୍ତବ୍ୟ । ତେଣୁ ତାଙ୍କ ସେବା କରିସାରିବା ପରେ ଆପଣଙ୍କର ସେବା କରିବାକୁ ଆସିଛି । ବକ ପରି ମୁଁ ସାମାନ୍ୟ ବା ଇତର ପ୍ରାଣୀ ନୁହେଁ ଯେ ଆପଣଙ୍କର ଅଯଥା କୋପରେ ଭସ୍ମୀଭୂତ ହୋଇଯିବି । ଯାହାହେଉ, ଆପଣ ମୋର ଅତିଥି । ଆପଣ ବିରକ୍ତ ବା କୋପାନ୍ୱିତ ହେଲେ ମୋ ସ୍ୱାମୀଙ୍କର ଅକଲ୍ୟାଣ ହେବ । କେବଳ ଏଇଥିପାଇଁ ମୁଁ ଆପଣଙ୍କ ନିକଟରେ କ୍ଷମାଭିକ୍ଷା କରୁଛି ।”

 

ଜଣେ କୁଳବତୀ ନାରୀର ମୁଖରୁ ଏଭଳି ବିଜ୍ଞକଥା ଶୁଣି କୌଶିକ ଅବାକ୍ ହୋଇଗଲେ-। ସେ ବିସ୍ମୟରେ କ୍ଷଣକାଳ ଗୃହସ୍ଥ-ପତ୍ନୀଙ୍କ ଆଡ଼କୁ ଚାହିଁ ତତ୍ପରେ କହିଲେ–

 

“ମୁଁ ବକକୁ ଭସ୍ମ କରିଦେଇଛି ବୋଲି ତୁମେ କିପରି ଜାଣିଲ ? ତାହାହେଲେ ତ ତୁମେ ସାମାନ୍ୟ ନାରୀ ନୁହେଁ–ନିଶ୍ଚୟ ସର୍ବଜ୍ଞା । ଏବେ ମୋତେ ଦୟା କରି କୁହ, କି ପ୍ରାୟଶ୍ଚିତ କଲେ ବକହତ୍ୟା ପାତକରୁ ମୁଁ ରକ୍ଷା ପାଇବି ?”

 

ଧର୍ମବତୀ ଗୃହିଣୀ ଉପାୟ ବତାଇଦେଲେ–

 

“ଆପଣ ଏ ଅଯୋଧ୍ୟାରାଜ୍ୟ ଛାଡ଼ି ମିଥିଳାନଗରୀକୁ ଯାଆନ୍ତୁ । ସେଠାରେ ଆମର ପୂଜ୍ୟଗୁରୁ ଧର୍ମବ୍ୟାଧ ବାସ କରନ୍ତି । ତାଙ୍କୁ ପଚାରିଲେ ସେ ପ୍ରାୟଶ୍ଚିତ ବିଷୟ ସ୍ଥିର କରିଦେବେ ।”

 

କୌଶିକ ଏହି ଉପଦେଶ ପାଇ ସେହିଠାରୁ ମିଥିଳା ଯାତ୍ରା କଲେ । ସେଠାରେ ପହଞ୍ଚି ସେ ପ୍ରଥମେ ବ୍ରାହ୍ମଣମାନଙ୍କୁ ଧର୍ମବ୍ୟାଧଙ୍କ ବାସସ୍ଥାନ ବିଷୟ ପଚାରିଲେ; ମାତ୍ର କୌଣସି ବ୍ରାହ୍ମଣ ଧର୍ମବ୍ୟାଧଙ୍କୁ ଜାଣିଥିବା କଥା କହିପାରିଲେ ନାହିଁ । ସେମାନଙ୍କଠାରୁ ନିରାଶ ହୋଇ କୌଶିକ ଦ୍ୱାରେ ଦ୍ୱାରେ ବୁଲି ଗୃହସ୍ଥମାନଙ୍କୁ ଜିଜ୍ଞାସା କଲେ । ସେମାନେ ମଧ୍ୟ କୌଣସି ସନ୍ଧାନ ଦେଇପାରିଲେ ନାହିଁ । ପରିଶେଷରେ ଜଣେ ପଥିକ ତାଙ୍କୁ କହିଲା–

 

“ଏଠାରେ କେହି ଧର୍ମବ୍ୟାଧଙ୍କୁ ଚିହ୍ନନ୍ତି ନାହିଁ କି ଜାଣନ୍ତି ନାହିଁ । ଆପଣ ଏ ନଗରୀର ବଜାରକୁ ଚାଲିଯାନ୍ତୁ । ସେଠାରେ ମାଂସ ଦୋକାନରେ ଅନ୍ୱେଷଣ କଲେ ତାଙ୍କୁ ପାଇ ପାରିବେ ।”

 

ଋଷି ସଙ୍ଗେ ସଙ୍ଗେ ବଜାରର ମାଂସ ଦୋକାନକୁ ଗଲେ । ସେଠାରେ ଦେଖିଲେ, ଜଣେ କଦାକାର ବ୍ୟାଧ ତୁଳାଦଣ୍ଡ ଧରି ମାଂସ ବିକ୍ରୟ କରୁଛି । ମାଂସ କାଟିବାବେଳେ ରକ୍ତଛିଟା ପଡ଼ି ତା ଦେହର କେତେ ଅଂଶ ରକ୍ତିମ ହୋଇଯାଇଛି । ଲୋକଟାକୁ ଦେଖିଦେଲାମାତ୍ରେ କୌଶିକଙ୍କର ତା'ପ୍ରତି ଘୋର ଘୃଣା ଆସିଲା । ସେଭଳି ଲୋକ ଯେ ଧର୍ମବ୍ୟାଧ ହୋଇପାରେ, ତାଙ୍କର ସନ୍ଦେହ ହେଲା । ପ୍ରତ୍ୟହ ଜୀବହତ୍ୟା କରି ଯେ ବଜାରରେ ବସି ମାଂସ ବିକେ ଏବଂ ଗ୍ରାହକମାନଙ୍କଠାରୁ ବେଶି ଆଦାୟ କରିବାପାଇଁ ବହୁ ସମୟଧରି ଦରଦାମ୍ କରୁଥାଏ, ସେ ପୁଣି ଧର୍ମ ବିଷୟରେ କି ଉପଦେଶ ଦେବ ? ଏହିପରି ନାନା କଥା ମନରେ ତର୍କଣା କରି କୌଶିକ ମାଂସଦୋକାନ ଆଗରେ ଠିଆ ହୋଇ ରହିଲେ ।

 

ମାଂସବିକ୍ରୟ ଶେଷ ହୋଇଆସିଲା । ଦୋକାନ ସମ୍ମୁଖରୁ ଗହଳଚହଳ ହ୍ରାସପ୍ରାପ୍ତ ହେଲା । ଏବେ ଅବସର ପାଇ ଧର୍ମବ୍ୟାଧ ଧୀର ସ୍ୱରରେ ତପସ୍ୱୀଙ୍କୁ ଡାକି କହିଲେ–

 

“ଅନେକ ସମୟ ହେଲା ଆପଣ ଠିଆ ହୋଇ ରହିଲେଣି; ମୋର କାରବାର ଶେଷ ହୋଇ ନ ଥିବାରୁ ଏ ପର୍ଯ୍ୟନ୍ତ କିଛି କଥାଭାଷା ହୋଇପାରି ନଥିଲି । ଅଯୋଧ୍ୟାର ଯେଉଁ ପତିବ୍ରତା ନାରି ଆପଣଙ୍କୁ ମୋ ନିକଟକୁ ପଠାଇଛନ୍ତି, ସେ ମୋର ଜଣେ ଶିଷ୍ୟା । ଏବେ ଆସନ୍ତୁ ମୋ ଗୃହକୁ ଯିବା ।"

 

କୌଶିକଙ୍କ ମନରୁ ସମସ୍ତ ସନ୍ଦେହ ସ୍ୱତଃ ଦୁର ହୋଇଗଲା । ଧର୍ମବ୍ୟାଧଙ୍କ କଥା ଶୁଣି ସେ ବିସ୍ମତ ହେଲେ ସତ୍ୟ, କିନ୍ତୁ ସବୁ ବିଷୟ ଜାଣି ଏତେ କାଳ ତାଙ୍କୁ ଅଯଥା ଠିଆ କରାଇ ରଖିଥିବାରୁ ଧର୍ମବ୍ୟାଧଙ୍କ ଉପରେ ସେ ଟିକିଏ ବିରକ୍ତ ହୋଇ ପଚାରିଲେ–

 

“ଆପଣ ମୋତେ ଆଗରୁ ଡାକିଲେ ନାହିଁ କାହିଁକି ?”

 

ଧର୍ମବ୍ୟାଧ ଉତ୍ତର ଦେଲେ–

 

“କର୍ତ୍ତବ୍ୟ ହିଁ ଶ୍ରେଷ୍ଠ ଧର୍ମ । ଧାର୍ମିକ ଲୋକ ପ୍ରଥମେ ନିଜର କର୍ତ୍ତବ୍ୟ ସାରି ତା’ପରେ ଅନ୍ୟ କଥାରେ ମନ ଦିଏ । ମାଂସ ବିକ୍ରୟ ଏଠାରେ ମୋର କର୍ତ୍ତବ୍ୟ । ତେଣୁ ସେହି କର୍ତ୍ତବ୍ୟ କର୍ମରେ ତ୍ରୁଟି କରି ଆପଣଙ୍କ ସହିତ କିପରି କଥାବାର୍ତ୍ତା କରିଥାନ୍ତି ?”

 

ଧର୍ମବ୍ୟାଧ ଦୋକାନକାର୍ଯ୍ୟ ଶେଷ କରି ଆଗେ ଆଗେ ଚାଲିଲେ । କୌଶିକ ତାଙ୍କ ପଛେ ପଛେ ଗଲାବେଳେ ପଥମଧ୍ୟରେ ପ୍ରସଙ୍ଗକ୍ରମେ କହିଲେ–

 

“ମାଂସ ବିକ୍ରୟ ଏକ ମହାପାପ । ଆପଣ ସେହି ନୀଚ କାର୍ଯ୍ୟ କରି ଘୋର ଅଧର୍ମ ଅର୍ଜ୍ଜନ କରୁଛନ୍ତି ।”

 

ଉତ୍ତରରେ ଧର୍ମବ୍ୟାଧ କହିଲେ–

 

“ତପସ୍ୱୀ ହେଲେ ହେଁ ଆପଣ ପ୍ରକୃତ ତତ୍ତ୍ୱ ବୁଝି ନାହାନ୍ତି । ମାଂସବିକ୍ରୟ ମୋର ବଂଶଗତ ବ୍ୟବସାୟ । ତେଣୁ ଏଥିରେ ଅଧର୍ମର ପ୍ରଶ୍ନ ନାହିଁ । ମୁଁ କେବେହେଲେ ଓଜନରେ କମ୍ କରେ ନାହିଁ କି କାହାରିକି ପ୍ରତାରିତ କରେ ନାହିଁ । ସତ୍ୟ ହିଁ ମୋର ଏକମାତ୍ର ଆଶ୍ରୟ । ମିଥ୍ୟା କଥା ମୁଁ କେବେହେଁ କହେ ନାହିଁ । ଯଥାଶକ୍ତି ଦାନ କରେ, ବିପନ୍ନ ବ୍ୟକ୍ତିଙ୍କୁ ସାହାଯ୍ୟ ଦିଏ, ଅତିଥି ଅଭ୍ୟାଗତ ଓ ଋଷି ବ୍ରାହ୍ମଣଙ୍କୁ ସେବା କରିବାରେ ଆଦୌ ତ୍ରୁଟି କରେ ନାହିଁ । ମାଂସ ବ୍ୟବସାୟରୁ ଯେତିକି ଉପାର୍ଜନ କରେ ସେତିକିରେ ସନ୍ତୁଷ୍ଟ ହୋଇ ସଂସାର ଚଳାଏ । ଅଭାବ ଅନଟନ କଥା କେବେହେଲେ ଭାବେ ନାହିଁ । ଯେତେବେଳେ ଟିକିଏ ଅବସର ପାଏ, ଧର୍ମକଥା ଶୁଣେ । ପ୍ରତ୍ୟେକ କାର୍ଯ୍ୟରେ ଭଗବାନଙ୍କୁ ସ୍ମରଣ କରେ ଏବଂ ରାତ୍ରିରେ ହରିଗୁଣ ଗାଏ । ମାଂସ ବିକ୍ରୟ ମୋର ଜୀବିକା ହେଲେହେଁ ଆଜିଯାଏ ମୁଁ ଗୋଟିଏ ହେଲେ ଜୀବ ବଧ କରି ନାହିଁ । କିନ୍ତୁ ଆପଣ ବ୍ରାହ୍ମଣ ଓ ଋଷି ହୋଇ ନିରୀହ ବକ ପକ୍ଷୀଟିକୁ କ୍ଷମା ଦେଇପାରିଲେ ନାହିଁ ଏବଂ ସାମାନ୍ୟ କଥାଟାରେ ରାଗିଯାଇ ତାକୁ ନିର୍ବିଚାରରେ ଭସ୍ମ କରିଦେଲେ ।”

 

“ଏଥର କୌଶିକ ମନେ ମନେ ବଡ଼ ଲଜ୍ଜିତ ହୋଇଯାଇ ଧର୍ମବ୍ୟାଧଙ୍କୁ କହିଲେ–

 

“ବ୍ୟାଧକୁଳରେ ଜନ୍ମ ପାଇଥିଲେ ହେଁ ଆପଣ ଆଦର୍ଶ ପୁରୁଷ ଏବଂ ସଂସାରୀମାନଙ୍କ ପକ୍ଷରେ ଯଥାର୍ଥ ଗୁରୁ । ଏବେ କୃପା ବହି ମୋର ଅପକର୍ମ ପାଇଁ ଉପଯୁକ୍ତ ପ୍ରାୟଶ୍ଚିତ୍ତର ବ୍ୟବସ୍ଥା କରି ଦିଅନ୍ତୁ ।”

 

ଧର୍ମବ୍ୟାଧ ବୁଝାଇ କହିଲେ–

 

“ସମସ୍ତଙ୍କୁ ନିଜର କର୍ମଫଳ ଭୋଗ କରିବାକୁ ପଡ଼େ । ପୂର୍ବ ଜନ୍ମରେ ଯେଉଁ ଦୁଷ୍କୃତି କରିଥିଲି, ତାହାଯୋଗୁଁ ମୁଁ ବ୍ୟାଧ-ଗୃହରେ ଜନ୍ମଦିନ କଟାଉଛି । ମାତ୍ର ଏ ଜନ୍ମରେ ମୁଁ ଯେପରି ପବିତ୍ରଭାବରେ କାର୍ଯ୍ୟ କରୁଛି, ତାହାର ଫଳରେ ମୋତେ ପରଜନ୍ମରେ ନୀଚ କାର୍ଯ୍ୟ କରୁଥିବା କୌଣସି ବଂଶରେ ଯେ ଜନ୍ମଗ୍ରହଣ କରିବାକୁ ପଡ଼ିବ ନାହିଁ, ଏହା ମୋର ଦୃଢ଼ ବିଶ୍ୱାସ । ପିତାମାତାଙ୍କୁ ପରମଗୁରୁ ଓ ସାକ୍ଷାତ୍ ଦେବଦେବୀ ହୋଲି ମନେ କରି ମୁଁ ତାଙ୍କରି ସେବାରେ ଜୀବନ ଉତ୍ସର୍ଗ କରି ଦେଇଛି; ମାତ୍ର ଆପଣ ନିଜର ବୃଦ୍ଧ ପିତା ଓ ବୃଦ୍ଧା ମାତାଙ୍କୁ ନିର୍ଦ୍ଦୟ ମନରେ ତ୍ୟାଗକରି ବନରେ ତପସ୍ୟା କରୁଛନ୍ତି । ସେ ଦୁହେଁ ଘରେ ନିରାଶ୍ରୟ ଭାବରେ ପଡ଼ିରହି ଆପଣଙ୍କୁ ଝୁରି ଝୁରି ଶୋକରେ ଅନ୍ଧ ହୋଇଗଲେଣି । ଆପଣ ଅବିଳମ୍ବେ ଗୃହକୁ ଫେରିଯାଇ ସେହି ପିତାମାତାଙ୍କ ସେବାରେ ନିଜକୁ ନିୟୋଜିତ କରନ୍ତୁ । ତାହା–ହେଲେହେଁ ଆପଣଙ୍କର ପ୍ରକୃତ ପ୍ରାୟଶ୍ଚିତ ହେବ ।”

 

ଏହା ଶୁଣିଲା ପରେ କୌଶିକଙ୍କ ଚକ୍ଷୁ ଛଳଛଳ ହୋଇଉଠିଲା । ସେ ତପସ୍ୟାରୁ ଯାହା ପାଇ ନ ଥିଲେ, ଏବେ ସଂସାରୀ ଧର୍ମବ୍ୟାଧଙ୍କ ଠାରୁ ତାହା ପାଇ କୃତକୃତ୍ୟ ହେଲେ । ତତ୍ପରେ କୃତଜ୍ଞ ହୋଇ କହିଲେ–

 

“ଆପଣ ଆଜି ଗୁରୁରୂପେ ମୋତେ ପ୍ରକୃତ କର୍ତ୍ତବ୍ୟ ମାର୍ଗ ଦର୍ଶାଇ ଦେଇଛନ୍ତି । ଆପଣଙ୍କ ଉପଦେଶମତେ ମୁଁ ଗୃହକୁ ଯିବି ଏବଂ ପିତାମାତାଙ୍କ ସେବାକରି ବକହତ୍ୟା ପାପର ପ୍ରାୟଶ୍ଚିତ୍ତ କରିବି । ତେବେ ଗୋଟିଏ କଥା ପଚାରିବାକୁ ମୋର କୌତୂହଳ ଜନ୍ମିଛି । କହନ୍ତୁ ତ ଦେଖି, ପୂର୍ବ ଜନ୍ମରେ କି କର୍ମ କରିଥିବାରୁ ଆପଣ ଏ ଜନ୍ମରେ ବ୍ୟାଧଜନ୍ମ ପାଇଛନ୍ତି ?”

 

ଧର୍ମବ୍ୟାଧ ଗତଜନ୍ମର ଦୁଷ୍କର୍ମ କଥା ବର୍ଣ୍ଣନା କଲେ–

 

“ପୂର୍ବଜନ୍ମରେ ମୁଁ ବ୍ରାହ୍ମଣ ବଂଶରେ ଜନ୍ମିଥିଲି ଏବଂ ଜଣେ ରାଜାଙ୍କର ପୁରୋହିତ ଥିଲି । ଥରେ ରାଜା ମୋତେ ସଙ୍ଗରେ ଘେନି ମୃଗୟା କରିବାକୁ ଗଲେ ଏବଂ ଅନେକ ବନ୍ୟପ୍ରାଣୀ ଶିକାର କଲେ । ସେ ମୋତେ ବିଶେଷ ଅନୁରୋଧ କରିବାରୁ ମୁଁ ଗୋଟିଏ ଜନ୍ତୁକୁ ଲକ୍ଷ୍ୟ କରି ଶର କ୍ଷେପଣ କଲି । ଜନ୍ତୁଟି ଛୁଟି ପଳାଇଗଲା ଏବଂ ମୋ ଶରଟି କେତେ ଦୂରକୁ କେଉଁଆଡ଼େ ଯେ ଚାଲିଗଲା, ଦେଖି ପାରିଲି ନାହିଁ । ପରେ ଜଣାଗଲା, ସେହି ଶରଟି ଗୋଟିଏ ନିରୀହ ଋଷିକୁମାରର ଦେହରେ ବାଜି ତାହାକୁ ଆହତ କରିଛି । ଯାହା ହେଉ ଋଷିପୁତ୍ରଟି ଶରାଘାତରେ ମଲାନାହିଁ, ମାତ୍ର ତଦ୍ଦ୍ୱାରା ମୋର ଯେଉଁ ଅପରାଧ ହେଲା, ସେହି ପାପରୁ ମୋତେ ଏ ଜନ୍ମରେ ବ୍ୟାଧର ପୁତ୍ର ହୋଇ ଜନ୍ମିବାକୁ ପଡ଼ିଲା ।”

 

କୌଶିକ ଏହା ଶୁଣି କ୍ଷଣକାଳ ବିଚଳିତ ହୋଇପଡ଼ିଲେ । ଅଜ୍ଞାନକୃତ ପାପ ଯୋଗୁଁ ବ୍ରାହ୍ମଣବଂଶରୁ ସ୍ଖଳିତ ହୋଇ ଏହି ବ୍ୟକ୍ତି ବ୍ୟାଧବଂଶରେ ଜନ୍ମ ପାଇଛନ୍ତି । ସେ ତ କ୍ରୋଧାନ୍ଧ ହୋଇ ଜାଣିଶୁଣି ବକଟିକୁ ମାରିଦେଇଛନ୍ତି; ତାହାହେଲେ ଏହି ଜ୍ଞାନକୃତ ପାପଯୋଗୁଁ ସେ କେଡ଼େ ନୀଚବଂଶରେ ଜାତ ନ ହେବେଟି ! ତେଣୁ କିପରି ଶୀଘ୍ର ପ୍ରାୟଶ୍ଚିତ୍ତ କରି ଏ ଘୋର ପାପରୁ ମୁକ୍ତି ପାଇବେ ଏବଂ ଧର୍ମ କର୍ମ କରି ପର ଜନ୍ମପାଇଁ ପୁଣ୍ୟ ସଞ୍ଚୟ କରିବେ, ଏଥିଲାଗି ସେ ଚଞ୍ଚଳ ହୋଇ ଉଠିଲେ ।

 

ଏହାପରେ ତପସ୍ୱୀ କୌଶିକ ଧର୍ମବ୍ୟାଧଙ୍କଠାରୁ ବିଦାୟ ଘେନି ସ୍ୱଗୃହକୁ ଯାତ୍ରା କଲେ ଏବଂ ଗୃହସ୍ଥରୂପେ ସମସ୍ତ ଗୃହଧର୍ମ ପାଳନ କରିବାକୁ ଲାଗିଲେ । ଧର୍ମବ୍ୟାଧଙ୍କ ଉପଦେଶାନୁସାରେ ଅନ୍ଧ ପିତା ଓ ଅନ୍ଧୁଣୀ ମାତାଙ୍କର ଅହରହ ସେବାକରି ସେ ପରମ ପରିତୋଷ ଅନୁଭବ କଲେ ।

Image

 

ମତ୍ସ୍ୟାବତାର

 

ସୃଜନକୌଶଳୀ ବ୍ରହ୍ମା ସର୍ବପ୍ରଥମେ ବ୍ରହ୍ମାଣ୍ଡକୁ ସୃଷ୍ଟି କଲେ ଏବଂ ତାହାପରେ ନିଜର ସମସ୍ତ ବୁଦ୍ଧି ପ୍ରୟୋଗ କରି ଯେଉଁଠାରେ ଯାହା ରହିଲେ ସୁନ୍ଦର ଓ ସୁବିଧାଜନକ ହେବ, ତାହା ସେଠାରେ ଖଞ୍ଜିଲେ । ଏହିରୂପେ ସୃଷ୍ଟି ସର୍ବାଙ୍ଗସୁନ୍ଦର ହେଲାପରେ ବିଷ୍ଣୁ ତାହାର ପାଳନ ଭାର ସ୍ୱହସ୍ତକୁ ନେଲେ । ଆଉ ଦେବାଧିଦେବ ଶିବ ସର୍ବଶେଷରେ ଧ୍ୱଂସ କରିବାପାଇଁ ଅପେକ୍ଷା କରି ରହିଲେ । ସେହି ପ୍ରଳୟଲୀଳା ପରେ ପ୍ରଜାପତି ବ୍ରହ୍ମା ପୁଣି ସୃଷ୍ଟିଲୀଳା ଆରମ୍ଭ କରିବେ । ତେଣୁ ପ୍ରଥମ ସୃଷ୍ଟି କର୍ମ ପୂର୍ଣ୍ଣାଙ୍ଗ ହେଲାପରେ ବ୍ରହ୍ମା ସୁଦୀର୍ଘ କାଳ ଅବସର ପାଇ ବିଶ୍ରାମ ଗ୍ରହଣ କଲେ ।

 

ବିଶ୍ରାମ ନେଉ ନେଉ ବ୍ରହ୍ମା ଘୋର ନିଦ୍ରାରେ ଅଭିଭୁତ ହୋଇଗଲେ । ସେହି ଅବସ୍ଥାରେ ବହୁକାଳ ଅତୀତ ହେଲା । ଦିନେ ନିଦ୍ରିତ ବ୍ରହ୍ମାଙ୍କ ମୁଖ ମଧ୍ୟରୁ ବେଦ ନିର୍ଗତ ହୋଇ ତଳେ ପଡ଼ିଗଲା । ହୟଗ୍ରୀବ ନାମରେ ଏକ ଦୈତ୍ୟ ସେଠାରେ ବିଚରଣ କରୁଥିଲା । ସେ ସେହି ବେଦକୁ ଦେଖି ହରଣ କରି ନେଇଗଲା ଏବଂ ମନମଧ୍ୟରେ ଭାବିଲା–

 

“ପରବର୍ତ୍ତୀ ସୃଷ୍ଟିର କଳ୍ପନା ଏହି ବେଦ ମଧ୍ୟରେ ନିହିତ ଅଛି । ଏହା ମୋର ହସ୍ତଗତ ହେବାଫଳରେ ବ୍ରହ୍ମାଙ୍କର ସୃଜନ-ଶକ୍ତି ଲୋପ ପାଇଯିବ ଏବଂ କୌଣସି ନୂତନ ସୃଷ୍ଟି କରିବା ତାଙ୍କ ପକ୍ଷରେ ଆଉ ସମ୍ଭବପର ହେବନାହିଁ । ଯେତେବେଳେ ମହେଶ୍ୱର ସୃଷ୍ଟିର ଧ୍ୱଂସ ସାଧନ କରିବାକୁ ଆରମ୍ଭ କରିବେ ସେତେବେଳେ ଦେବତାମାନଙ୍କର କ୍ଷମତା କ୍ରମଶଃ କ୍ଷୟପ୍ରାପ୍ତ ହେବ । ମାତ୍ର ବେଦ ମୋ ନିକଟରେ ରହିଥିବାରୁ ସେହି ପ୍ରଳୟକାଳରେ ଦୈତ୍ୟମାନଙ୍କର ଶକ୍ତିକ୍ଷୟର କୌଣସି ଆଶଙ୍କା ରହିବ ନାହିଁ ।”

 

ବ୍ରହ୍ମାଙ୍କ ଅଚେତନ ଅବସ୍ଥାରେ ବେଦ ଅପହୃତ ହେଲାବେଳେ ତାହା କାହାରି ଦୃଷ୍ଟିଗୋଚର ହୋଇ ନ ଥିଲା ସତ୍ୟ; ମାତ୍ର ସର୍ବଦ୍ରଷ୍ଟା ବିଷ୍ଣୁଙ୍କ ଦୃଷ୍ଟିକୁ ଏଡ଼ାଇ ପାରିବ କିଏ ? ଦୈତ୍ୟ ହସ୍ତକୁ ବେଦ ଚାଲିଯିବାର ଦେଖି ବିଷ୍ଣୁ ମନେ ମନେ ଭାବିଲେ–

 

“ଏହି ହୟଗ୍ରୀବ କବଳରୁ ଯଦି ମୁଁ ବେଦକୁ ଉଦ୍ଧାର ନ କରେ, ତେବେ ପ୍ରଳୟଜଳରେ ବ୍ରହ୍ମାଣ୍ଡ ଚିରକାଳ ପାଇଁ ନିଶ୍ଚୟ ସମାଧି ଘେନିବ । ନୂତନ ସୃଷ୍ଟିର ସ୍ୱପ୍ନ ବ୍ରହ୍ମାଙ୍କ ମାନସରୁ ଏକାବେଳେ ବିଲୀନ ହୋଇଯିବ । ଏଣୁ ଏ ସଙ୍କଟବେଳେ ମୋତେ ଅତିଶୀଘ୍ର କର୍ଣ୍ଣଧାରର ଦାୟିତ୍ୱ ଗ୍ରହଣ କରିବାକୁ ପଡ଼ିବ ।”

 

ଏହା ଭାବି ବିଷ୍ଣୁ ସଙ୍ଗେ ସଙ୍ଗେ ଗୋଟିଏ କ୍ଷୁଦ୍ର ମତ୍ସ୍ୟର ରୂପ ଧରି କୃତମାଳା ନଦୀରେ ଖେଳିବୁଲିଲେ । ମନୁ ସେହି ନଦୀରେ ତର୍ପଣ କରୁଥିବା ସମୟରେ ମୀନରୂପୀ ଭଗବାନ ତାଙ୍କର ଜଳପୂର୍ଣ୍ଣ ଅଞ୍ଜଳି ମଧ୍ୟକୁ ହଠାତ୍ ପଶିଗଲେ । ମନୁ ଉକ୍ତ ମତ୍ସ୍ୟଟିକୁ ଅଞ୍ଜଳିରୁ କାଢ଼ିନେଇ ଗଭୀର ଜଳ ଗର୍ଭରେ ଛାଡ଼ିଦେବାପାଇଁ ସ୍ଥିର କଲେ । ଠିକ୍ ସେତିକିବେଳେ ମତ୍ସ୍ୟଟି ତାଙ୍କୁ କହିଲା–

 

“ମୁନି ! ମୋତେ ଜଳ ଭିତରକୁ ପକାଇଦିଅ ନାହିଁ । ସେଠାରେ କେତେ ବଡ଼ ବଡ଼ ଜଳଜନ୍ତୁ ଅଛନ୍ତି । ସେମାନେ ମୋତେ ଖାଇଯିବେ ।”

 

କ୍ଷୁଦ୍ର ସତ୍ସ୍ୟଟିର ଏହି କରୁଣ ପ୍ରାର୍ଥନାକୁ ମନୁ ପ୍ରତ୍ୟାଖ୍ୟାନ କରିପାରିଲେ ନାହିଁ । ସେ ତାହାପ୍ରତି କରୁଣା ପ୍ରକାଶ କଲେ ଏବଂ ତାକୁ ସେଠାରୁ ଘେନିଯାଇ ନିଜ କମଣ୍ଡଳୁରେ ପୁରାଇ ଆଶ୍ରମରେ ରଖିଦେଲେ । ପରଦିନ ପ୍ରାତଃକାଳରେ ଯାଇ ଦେଖିଲେ ଯେ ମତ୍ସ୍ୟଟି ବହୁତ ବଢ଼ିଯାଇଛି । ତେଣୁ ମନୁ ତାକୁ କମଣ୍ଡଳରୁ ବାହାର କରିଆଣି ଗୋଟିଏ କଳସୀ ମଧ୍ୟରେ ରଖିଦେଲେ । ତା’ ଆରଦିନ ପ୍ରଭାତରେ ଦେଖିଲାବେଳକୁ ମତ୍ସ୍ୟଟିର ଆକାର ଆହୁରି ବଡ଼ ହୋଇଯାଇଛି, ତେଣୁ ତାହାକୁ କଳସୀରୁ କାଢ଼ି ଆଣି ଏକ ବୃହତ୍ କୁଣ୍ଡରେ ଛାଡ଼ିବାକୁ ହେଲା । ମାତ୍ର ଆଶ୍ଚର୍ଯ୍ୟର କଥା, ରାତିକ ମଧ୍ୟରେ ମତ୍ସ୍ୟଟିର ଦେହ ସେହି କୁଣ୍ଡଟି ପରି ପ୍ରକାଣ୍ତ ହୋଇଗଲା ।

 

ମନୁ ଏଥର ମତ୍ସ୍ୟକୁ କୁଣ୍ଡକୁ ଘେନିଯାଇ ପାର୍ଶ୍ୱବର୍ତ୍ତୀ ଏକ ପୁଷ୍କରିଣୀରେ ଛାଡ଼ିଦେଲେ । ଚାହୁଁ ଚାହୁଁ ତାହା ସେହି ପୁଷ୍କରିଣୀର ଆକାର ପରି ବିଶାଳ ହୋଇଗଲା । ମନୁ ଅବାକ ହେଲେ ଏବଂ ସଙ୍ଗେ ସଙ୍ଗେ ତାକୁ ସରୋବରରୁ ନେଇ ଏକ ମହାହ୍ରଦରେ ଛାଡ଼ିଦେଲେ । ସେହି ବିଚିତ୍ର ମତ୍ସ୍ୟ ଅଳ୍ପ ସମୟ ମଧ୍ୟରେ ମହାହ୍ରଦ ପରି ବିରାଟ ଆକାର ଧାରଣ କଲା । ମନୁ ନିରୁପାୟ ହୋଇ ଏବେ ତାହାକୁ ଘେନି ସମୁଦ୍ରକୁ ଗଲେ; ମାତ୍ର ସୀମାହୀନ ସାଗରକୁ ଦେଖି ମତ୍ସ୍ୟଟି ଭୟରେ କହିଲା–

 

“ମୁନିବର ! ମୋତେ ଏହି ଅନନ୍ତ ସମୁଦ୍ର ଗର୍ଭରେ ଫିଙ୍ଗନ୍ତୁ ନାହିଁ । ପ୍ରକାଣ୍ଡ ପ୍ରକାଣ୍ଡ ଭୀଷଣ ଜଳଜୀବ ଏଠାରେ ବାସ କରୁଛନ୍ତି । ସେମାନେ ଦେଖିବାମାତ୍ରେ ମୋତେ ଜୀବନ୍ତ ଗିଳିଦେବେ । ତେଣୁ ଦୟା କରି ଅନ୍ୟ କେଉଁଠାରେ ନେଇ ମୋତେ ରଖନ୍ତୁ ।”

 

ମନୁଙ୍କର ବିସ୍ମୟର ସୀମା ରହିଲା ନାହିଁ । ସେ ଯୋଗବଳରେ ଜାଣିପାରିଲେ ଯେ, ସେହି ମତ୍ସ୍ୟଟି ସ୍ୱୟଂ ବୈକୁଣ୍ଠବିହାରୀ ବିଷ୍ଣୁ । ତହୁଁ ସେ ତାହାଙ୍କୁ ସ୍ତୁତି କରିସାରି ପଚାରିଲେ–

 

‘ପ୍ରଭୋ ! କି ଉଦ୍ଦେଶ୍ୟରେ ଆପଣ ମତ୍ସ୍ୟରୂପ ଧାରଣ କରିଛନ୍ତି, ସଦୟ ହୋଇ କୁହନ୍ତୁ-।”

 

ମନୁଙ୍କ କୌତୂହଳ ନିବାରଣ କରିବାପାଇଁ ମତ୍ସ୍ୟରୂପୀ ଭଗବାନ ସମସ୍ତ ରହସ୍ୟ ବୁଝାଇ କହିଲେ–

 

“ମୁନିଶ୍ରେଷ୍ଠ ! ଆଜିଠାରୁ ଠିକ୍ ସାତଦିନ ପରେ ଭୀଷଣ ପ୍ରଳୟ ଆରମ୍ଭ ହେବ । ଜୀବଜନ୍ତୁ, ବୃକ୍ଷଲତା ସମସ୍ତେ ସେହି ଦିଗନ୍ତବ୍ୟାପୀ ଜଳରାଶିରେ ଲୀନ ହୋଇଯିବେ । କେବଳ ମୁଇଁ ସଚେତନ ଥାଇ ଏଇ ମତ୍ସ୍ୟରୂପରେ ଚତୁର୍ଦ୍ଦଗରେ ବିଚରଣ କରିବି । ହେ ଋଷି ! ତୁମ ଉପରେ ମୁଁ ଗୋଟିଏ ଖୁବ୍ ଦାୟିତ୍ୱପୃର୍ଣ୍ଣ କାର୍ଯ୍ୟର ଭାର ଦେଉଛି । ଆଜିଠାରୁ ତୁମେ ଯାବତୀୟ ତରୁଲତାର ବୀଜ ସଂଗ୍ରହ କରି ରଖ । ଯେତେବେଳେ ପ୍ରଳୟଲୀଳା ଆରମ୍ଭ ହେବ, ସେତେବେଳେ ମୁଁ ତୁମ ପାଖକୁ ଗୋଟିଏ ନୌକା ପଠାଇଦେବି । ତୁମେ ସଂଗୃହୀତ ବୀଜରାଶି ସହିତ ମୁନିଋଷିମାନଙ୍କୁ ଘେନି ସେହି ନୌକା ଉପରେ ଯାଇ ବସିବ । ସମଗ୍ର ବ୍ରହ୍ମାଣ୍ଡ ପ୍ରଳୟ ପୟୋଧିରେ ବୁଡ଼ିଯିବ, ଦଶଦିଗ ମହାଶନ୍ୟରେ ଏକାକାର ହୋଇଯିବ ଏବଂ ରବି, ଶଶୀ, ଗ୍ରହ, ତାରା ସମସ୍ତେ ଲୋପ ପାଇଯିବେ । କେଉଁଠାରେ ହେଲେ ସୃଷ୍ଟିର ଚିହ୍ନବର୍ଣ୍ଣ ରହିବ ନାହିଁ । ସେହି ଭୀଷଣ ଧ୍ୱଂସ ମଧ୍ୟରେ ତୁମେ ନୌକାରେ ଥାଇ ମୋତେ ସ୍ମରଣ କରିବ । ନୌକାଟିକୁ ପ୍ରଳୟର ଉତ୍ତାଳ ତରଙ୍ଗ ଗ୍ରାସରୁ ରକ୍ଷା କରିବା ପାଇଁ ମୁଁ ସେତେବେଳେ ଅନନ୍ତ ନାଗକୁ ପଠାଇବି ଏବଂ ନିଜେ ଗୋଟିଏ ବିଶାଳ ଶୃଙ୍ଗଯୁକ୍ତ ମତ୍ସ୍ୟରୁପେ ଦେଖାଦେବି । ଅନନ୍ତ ସର୍ପକୁ ରଜ୍ଜୁ ସଦୃଶ ନୌକାରେ ବାନ୍ଧି ତାହାର ଲାଙ୍ଗୁଳକୁ ଆଣି ମୋର ଶିଙ୍ଗରେ ଭିଡ଼ିଦେବ । ତାହାହେଲେ ନୌକା ଜଳମଗ୍ନ ହେବାର ଆଶଙ୍କା ରହିବ ନାହିଁ ଏବଂ ତୁମ୍ଭେମାନେ ନିଶ୍ଚିନ୍ତରେ ତାହା ଉପରେ ବସି ରହିପାରିବ ।”

 

ଏତିକି କହିସାରି ମତ୍ସ୍ୟେବେଶୀ ବିଷ୍ଣୁ ହଠାତ୍ ମାଗର ଗର୍ଭକୁ ଡେଇଁ ପଡ଼ି ଅଦୃଶ୍ୟ ହୋଇଗଲେ । ମନୁ ଆଶ୍ରମକୁ ପ୍ରତ୍ୟାବର୍ତ୍ତନ କରି ମୁନିଋଷିମାନଙ୍କୁ ସମ୍ବାଦ ଦେଲେ ଏବଂ ବିଭିନ୍ନ ବୃକ୍ଷଲତାର ବୀଜ ସଂଗ୍ରହ କରିବାକୁ ଲାଗିଲେ ।

 

ସାତଦିନ ଅତୀତ ହେଲା । ଠିକ୍ ଅଷ୍ଟମ ଦିନ ଚାରିଆଡ଼େ ପ୍ରଳୟଲୀଳା ବ୍ୟାପିଗଲା । ଚନ୍ଦ୍ରସୂର୍ଯ୍ୟାଦି ଆକାଶରୁ ଅନ୍ତର୍ହିତ ହେଇଗଲେ । ବିଶ୍ୱବ୍ରହ୍ମାଣ୍ଡ ଅନନ୍ତ ଜଳଗର୍ଭରେ ବୁଡ଼ିରହିଲା । ପର୍ବତ ସଦୃଶ ଶୀର୍ଷ ଟେକି ଢେଉ ଉପରେ ଢେଉ ଊର୍ଦ୍ଧ୍ୱକୁ ଉତ୍‍ଥିତ ହେଲା । ସର୍ବତ୍ର ଧ୍ୱଂସର ତାଣ୍ଡବ-

 

ଠିକ୍ ସେହି ସମୟରେ ଭଗବାନ ପୂର୍ବ ପ୍ରତିଶ୍ରୁତିମତେ ଗୋଟିଏ ନୌକା ପଠାଇଦେଲେ-। ମନୁ ସର୍ବବିଧ ବୀଜ ଓ ମୁନିଗଣଙ୍କୁ ଘେନି ସେହି ନୌକାରେ ଯାଇ ଆରୋହଣ କଲେ-। ନୌକାଟି ତରଙ୍ଗାଘାତରେ ଇତସ୍ତତଃ ଆନ୍ଦୋଳିତ ହୋଇ ଉପରକୁ ଉଠିବାକୁ ଲାଗିଲା । ମନୁ ତାହା ଦେଖି ବିପଦବନ୍ଧୁ ବିଷ୍ଣୁଙ୍କୁ ସ୍ମରଣ କଲେ ।

 

ଚାହୁଁ ଚାହୁଁ ଏକ ମହାଶୃଙ୍ଗୀ ମତ୍ସ୍ୟରୂପରେ ଭଗବାନ ଜଳଗର୍ଭରେ ଆବିର୍ଭୁତ ହେଲେ । ସଙ୍ଗେ ସଙ୍ଗେ ଅନନ୍ତନାଗ ମଧ୍ୟ ନୌକାପାଖରେ ଦେଖାଦେଲା । ମୁହୂର୍ତ୍ତକ ମଧ୍ୟରେ ସର୍ପରାଜର ଦେହରେ ନୌକାଟି ଗୁଡ଼ାଇ ହୋଇଗଲା ଏବଂ ତା’ ଲାଙ୍ଗୁଳର ଶେଷାଂଶ ସେହି ବିରାଟି ମତ୍ସ୍ୟର ଶୃଙ୍ଗରେ ଆସି ବନ୍ଧା ହେଲା । ଏଥର ନୌକା ତରଙ୍ଗ ଦୋଳାରେ ଆଉ ଏପଟ–ସେପଟ ପିଟି ହେଲା ନାହିଁ । ଆରୋହୀଗଣଙ୍କ ପ୍ରାଣରେ ଆଶ୍ୱସ୍ତି ଆସିଲା । ପ୍ରଭୁ ନାରାୟଣଙ୍କର ଅପାର କୃପା ଲାଭକରି ମନୁ ତାଙ୍କ ମହିମାର ଜୟଗାନ କଲେ ।

 

Image

[ମହାଶୃଙ୍ଗୀ ମତ୍ସ୍ୟ ଓ ନୌକା]

 

ମହାଶୃଙ୍ଗୀ ମତ୍ସ୍ୟ ସେହି ବିରାଟ ନୌକାକୁ ଘେନି ପ୍ରଳୟ–ଜଳଧିର ଚତୁର୍ଦ୍ଦିଗରେ ଇଚ୍ଛାମତେ ସନ୍ତରଣ କରିବାକୁ ଲାଗିଲା । ଏହିରୂପେ ବହୁ କାଳ ଅତୀତ ହେଲାପରେ ପ୍ରଳୟଲୀଳାର ଅବସାନ ଘଟିଲା । ଏଥର ପୁଣି ନୂତନ ସୃଷ୍ଚିର ଆରମ୍ଭ ହେବ ।

 

ସେହି ସମୟରେ ତେଣେ ନିଦ୍ରାଭିଭୁତ ବ୍ରହ୍ମାଙ୍କର ନିଦ୍ରା ଭଙ୍ଗ ହେଲା । ସେ ଜାଗରିତ ହୋଇ ଚତୁର୍ଦ୍ଦିଗକୁ ଦୃଷ୍ଟି ପ୍ରସାରଣ କଲେ । ଦେଖିଲେ, ଏକ ସ୍ଥାନରେ ଯାବତୀୟ ବୀଜ ଠୁଳ ହୋଇ ରଖାଯାଇଛି । ସୃଷ୍ଟିକର୍ତ୍ତା ବ୍ରହ୍ମା ସେହି ରକ୍ଷିତ ବୀଜରାଶି ସାହାଯ୍ୟରେ ନୂଆକରି ବ୍ରହ୍ମାଣ୍ଡ ସର୍ଜନା କଲେ । ଚରାଚର ପୁଣି ହସିଉଠିଲା । ମନୁ ସେହି ନୂତନ ସୂଷ୍ଟିରେ ସତ୍ୟବ୍ରତ ମନୁ ନାମ ଧାରଣ କରି ପୃଥିବୀର ଅଧିପତି ହେଲେ ।

 

ବିଷ୍ଣୁ ଏତିକିରେ ସନ୍ତୁଷ୍ଟ ହେଲେ ନାହିଁ । ହୟଗ୍ରୀବ ଦୈତ୍ୟ–ସହିତ ସଂଗ୍ରାମ କରି ତାହାକୁ ସଂହାର କଲେ ଏବଂ ତାହାଠାରୁ ବେଦକୁ ଉଦ୍ଧାର କରିଆଣି ବ୍ରହ୍ମାଙ୍କ ହସ୍ତରେ ସମର୍ପଣ କଲେ ।

 

ଏହିରୁପେ ଭଗବାନ ବିଷ୍ଣୁ ମତ୍ସ୍ୟରୂପେ ପ୍ରଥମ ଅବତାର ଗ୍ରହଣ କରି ଜଗତକୁ ପ୍ରଳୟଗର୍ଭରୁ ରକ୍ଷା କଲେ । ପ୍ରଜାପତି ବ୍ରହ୍ମାଙ୍କର ସୃଷ୍ଟିକ୍ରିୟା ପୁଣି ପୂର୍ବପରି ଚାଲିଲା ।

Image

 

Unknown

ଉଦାର ପ୍ରତିଶୋଧ

 

ବୀତହବ୍ୟ ନାମରେ ଜଣେ ଅତି ବଳଶାଳୀ ରାଜା ଥିଲେ । ତାଙ୍କର ଏକଶତ ପୁତ୍ର । ବୀରତ୍ୱ ଓ ସାହସରେ କେହି କାହାରିକୁ କମ୍ ନ ଥିଲେ । ବୀତହବ୍ୟ ସେହି ଶତପୁତ୍ରଙ୍କୁ ଘେନି ଥରେ ଦିଗ୍‍ବିଜୟରେ ବାହାରିଲେ । ତାଙ୍କର ପ୍ରଚଣ୍ତ ଅଭିଯାନ ଦେଖି ପ୍ରତିବେଶୀ ରାଜାମାନେ ତ୍ରସ୍ତ ହୋଇଉଠିଲେ । ସେ ଅନେକ ରାଜ୍ୟ ଆକ୍ରମଣ କରି ସେଗୁଡ଼ିକୁ ପଦାନତ କଲେ ଏବଂ ସର୍ବଶେଷରେ କାଶୀ ଅବରୋଧ କଲେ । କାଶୀରାଜା ବହୁବାର ପ୍ରତିରୋଧ କଲେ ହେଁ କୌଣସିରୂପେ ଆତ୍ମରକ୍ଷା କରିପାରିଲେ ନାହିଁ । ବୀତହବ୍ୟ ଓ ତାଙ୍କର ପୁତ୍ରଗଣ କାଶୀରାଜାଙ୍କୁ ବାରମ୍ବାର ପରାଜିତ କରି ଶେଷରେ ତାଙ୍କୁ ପରିବାର ସହ ରାଜ୍ୟରୁ ତଡ଼ିଦେଲେ ।

 

କାଶୀ ସିଂହାସନ ବୀତହବ୍ୟଙ୍କର କରଗତ ହେଲା । ରାଜ୍ୟହରା କାଶୀରାଜାଙ୍କ ପୁତ୍ର ଦିବୋଦାସ କିଛିକାଳ ପରେ ଅନ୍ୟ ଏକ ସ୍ଥାନରେ ଗୋଟିଏ ରାଜଧାନୀ ସ୍ଥାପନ କଲେ ଏବଂ ସେହିଠାରେ ଅବସ୍ଥାନ କରିବାକୁ ଲାଗିଲେ । ତଥାପି ତାଙ୍କୁ ନିସ୍ତାର ମିଳିଲା ନାହିଁ । ବୀତହବ୍ୟଙ୍କ ଦୁର୍ଦ୍ଧର୍ଷ ପୁତ୍ରମାନେ ଏ ସମ୍ବାଦ ପାଇ ସେହି ନବନିର୍ମିତ ରାଜାଧାନୀକୁ ବେଢ଼ିଗଲେ । ଦିବୋଦାସ ଶେଷ ଚେଷ୍ଟା ସ୍ୱରୁପ ପ୍ରାଣମୂର୍ଚ୍ଛା ଯୁଦ୍ଧ ଚଳାଇଲେ; କିନ୍ତୁ ପୂର୍ବପରି ଏଥର ମଧ୍ୟ ତାଙ୍କୁ ଘୋର ପରାଜୟ ସ୍ୱୀକାର କରିବାକୁ ପଡ଼ିଲା । ନିରୁପାୟ ହୋଇ ସେ କୌଶଳକ୍ରମେ ଜୀବନ ଘେନି ରାଜଧାନୀରୁ ପଳାଇଗଲେ ଏବଂ ଭରଦ୍ୱାଜ ଋଷିଙ୍କ ଆଶ୍ରମରେ ଯାଇ ଆଶ୍ରୟ ଗ୍ରହଣ କଲେ ।

 

ବୀତହବ୍ୟଙ୍କ ପୁତ୍ରମାନେ ଦିବୋଦାସଙ୍କୁ ନ ପାଇ ତାଙ୍କ ବଂଶର ପ୍ରତ୍ୟେକଙ୍କୁ ଗୋଟି ଗୋଟି କରି ଅତି ନୃଶଂସଭାବରେ ହତ୍ୟା କଲେ । ଦିବୋଦାସ ଦେଖିଲେ, ତାଙ୍କରିଠାରୁ ତାଙ୍କ ବଂଶ ଲୁପ୍ତ ହୋଇଯିବ । ଏଥିପାଇଁ ସେ ମନରେ ବଡ଼ ଆଘାତ ପାଇଲେ ଏବଂ କିପରି ତାଙ୍କର ବଂଶରକ୍ଷା ହେବ, ତାହାର ଉପାୟ ବିଧାନ କରିବାକୁ ଭରଦ୍ୱାଜଙ୍କୁ ନିବେଦନ କଲେ । ଋଷି କିଛିକ୍ଷଣ ଚିନ୍ତା କରି ତାଙ୍କୁ ଗୋଟିଏ ଯଜ୍ଞ କରିବାକୁ ନିର୍ଦ୍ଦେଶ ଦେଲେ । ଦିବୋଦାସ କାଳ ବିଳମ୍ବ ନ କରି ଯଜ୍ଞର ଆୟୋଜନ କଲେ । ଭରଦ୍ୱାଜଙ୍କ ପୌରୋହିତ୍ୟରେ ନିର୍ବିଘ୍ନରେ ଯଜ୍ଞକାର୍ଯ୍ୟ ଶେଷ ହେଲା । ଋଷିଙ୍କ ବରରୁ ସେହି ଯଜ୍ଞକୁଣ୍ଡରୁ ଏକ ବୀର ପୁତ୍ର ଜନ୍ମଲାଭ କଲା । ଋଷି ତାହାକୁ ଆଦରରେ କୋଳକୁ ଘେନିଗଲେ ଏବଂ ଦିବୋଦାସଙ୍କୁ କହିଲେ–

 

“ଏଇ ହେଲା ତୁମର ପୁତ୍ର । ଏହା ଯୋଗୁଁ ତୁମର ବଂଶ ରକ୍ଷା ହେବ । ନିଜର ପିତା ଓ ପିତାମହଙ୍କ ପ୍ରତି ହୋଇଥିବା–ଦାରୁଣ ଅତ୍ୟାଚାରର ପ୍ରତିଶୋଧ ନେବାପାଇଁ ଏଇ ବୀରଶିଶୁର ଜନ୍ମ-। ଦିନେ ପିତୃ ଶତ୍ରୁମାନଙ୍କୁ ଶାସ୍ତି ଦେଇ ଏ ତୁମ ବଂଶର ଗୌରବ ବଢ଼ାଇବ । ଏହାର ନାମ ‘ପ୍ରତର୍ଦ୍ଦନ’ ହେଉ ।”

 

ଭରଦ୍ୱାଜ ନିଜେ ପ୍ରତର୍ଦ୍ଦନଙ୍କ ଲାଳନପାଳନ ଓ ଶିକ୍ଷାର ଭାର ଗ୍ରହଣ କଲେ । ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଋଷି ତାହାଙ୍କୁ ଶସ୍ତ୍ର ଓ ଶାସ୍ତ୍ର ଉଭୟ ବିଦ୍ୟା ଚତୁରତାର ସହିତ ଶିକ୍ଷା ଦେବାକୁ ଲାଗିଲେ । ଫଳରେ ଅଳ୍ପକାଳ ମଧ୍ୟରେ ପ୍ରତର୍ଦ୍ଦନ ବହୁ ଶାସ୍ତ୍ରରେ ପାରଦର୍ଶୀ ହୋଇ ଜଣେ ସୁପଣ୍ଡିତ ହେଲେ ଏବଂ ଅସ୍ତ୍ରବିଦ୍ୟାରେ ସୁନିପୁଣ ହୋଇ ଧନୁର୍ଦ୍ଧର ଯୋଦ୍ଧା ରୂପେ ପ୍ରଶଂସା ପାଇଲେ ।

 

ଦିବୋଦାସଙ୍କ ପ୍ରାଣରେ ଅସୀମ ଆନନ୍ଦ । ପ୍ରତର୍ଦ୍ଦନ ଏବେ ସବୁ ବିଷୟରେ ଉପଯୁକ୍ତ ହୋଇଥିବାରୁ ଦିବୋଦାସ ଦିନେ ତାହାଙ୍କୁ ଡାକି କହିଲେ–

 

“ବତ୍ସ ! ଋଷିଙ୍କ ଅନୁଗ୍ରହରୁ ଓ ତାଙ୍କ ଶିକ୍ଷାପ୍ରଭାବରୁ ତୁମେ ସକାଳପ୍ରକାର ଯୋଗ୍ୟତାର ଅଧିକାରୀ ହୋଇଅଛ । ପୁତ୍ର ହିଁ ପୃଥିବୀରେ ପିତାର ପ୍ରତିଭୂ । ତେଣୁ ମୁଁ ଯାହା ମୋ ଜୀବନରେ କରି ନ ପାରିଲି, ସେହି ଅସମ୍ପନ୍ନ କାର୍ଯ୍ୟ ତୁମଦ୍ୱାରା ସମ୍ପନ୍ନ ହେବ ବୋଲି ମୋର ବିଶ୍ୱାସ । ମନେରଖ ପ୍ରତର୍ଦ୍ଦନ, ତୁମର ପିତାମହ କାଶୀର ଅଧୀଶ୍ୱର ଥିଲେ । ବୀତହବ୍ୟ ନିଜର ଶତପୁତ୍ର ସାହାଯ୍ୟରେ ତାଙ୍କୁ ରାଜ୍ୟଚ୍ୟୁତ କଲେ । ପିତାଙ୍କର ଦୂରବସ୍ଥା ଦେଖି ମୁଁ ଅନ୍ୟତ୍ର ଯାଇ ରାଜଧାନୀ ସ୍ଥାପନ କଲି । ମାତ୍ର ବୀତହବ୍ୟଙ୍କ ପୂତ୍ରଗଣ ମୋତେ ସେଠାରେ ମଧ୍ୟ ରଖାଇଦେଲେ ନାହିଁ । ସେମାନଙ୍କଠାରୁ ଯୁଦ୍ଧରେ ପରାସ୍ତ ହେବାରୁ ମୁଁ ବାଧ୍ୟ ହୋଇ ଏଠାକୁ ଜୀବନ ଘେନି ପଳାଇ ଆସିଲି-। ପିତା ଓ ପିତାମହଙ୍କର ଚିରବୈରୀ ସେହି ବୀତହବ୍ୟ ଓ ତାଙ୍କର ଶତପୁତ୍ରଙ୍କୁ ଯଥୋଚିତ ଶାସ୍ତି ଦେବାପାଇଁ ଯଜ୍ଞକୁଣ୍ଡରୁ ତୁମର ଉଦ୍ଭବ । ଯେଉଁ ଉଦ୍ଦେଶ୍ୟରେ ତୁମର ସୃଷ୍ଟି, ତାହା ସାଧନ କରି ତୁମେ ନିଜର ଜନ୍ମ ସାର୍ଥକ କର ଏବଂ ପିତା ଓ ପିତାମହଙ୍କ ହୁତ ସିଂହାସନକୁ କରଗତ କରି ସ୍ୱବଂଶର ମର୍ଯ୍ୟାଦା ପୁଣି ପ୍ରତିଷ୍ଠିତ କର । ବତ୍ସ ! ସଂସାରରୁ ମୋର ମୋହ ତୁଟିଗଲାଣି । ତୁମରି ବିପୁଳ ବଳ ଉପରେ ଅସୀମ ଭରସା ରଖି ମୁଁ ଏଥର ଦେହତ୍ୟାଗ କରିବି । ଇହଲୋକର ମୋର ଅତୃପ୍ତ ଆତ୍ମା ପରଲୋକରେ ଯେପରି ତୃପ୍ତ ହେବ, ତାହାହିଁ ତୁମର ଏକମାତ୍ର କର୍ତ୍ତବ୍ୟ ।”

 

ଏହି ଉପଦେଶ ହେଇ ଦିବୋବାସ ତପସ୍ୟାରେ ବସିଲେ ଏବଂ କିଛିଦିନ ପରେ ଯୋଗବଳରେ ଦେହତ୍ୟାଗ କଲେ । ବୀର ପ୍ରତର୍ଦ୍ଦନ ଏବେ ପିତଶତ୍ରୁଙ୍କର ପ୍ରତିଶୋଧ ନେବାପାଇଁ ବାହାରି–ପଡ଼ିଲେ । ସେ ବହୁପରିମିତ ସୈନ୍ୟ ସଂଗ୍ରହ କରି ବୀତହବ୍ୟଙ୍କ ରାଜଧାନୀ ସମ୍ମୁଖରେ ଯୁଦ୍ଧର ଆହ୍ୱାନ ଦେଲେ । ସଙ୍ଗେ ସଙ୍ଗେ ଦୁଇ ଦଳମଧ୍ୟରେ ଭୀଷଣ ସଂଗ୍ରାମ ଆରମ୍ଭ ହୋଇଗଲା । ମାତ୍ର ଏଥର ବୀତହବ୍ୟଙ୍କ ପୁତ୍ରମାନେ ଅତି ଶୋଚନୀୟ ଭାବରେ ପରାଜିତ ହେବାକୁ ଲାଗିଲେ । ପ୍ରତର୍ଦ୍ଦନ ଗୋଟି ଗୋଟି କରି ସେହି ଶହେ ବୀର ଭ୍ରାତାଙ୍କୁ ସମ୍ମୁଖ ସମରରେ ନିହତ କଲେ ।

 

ବୀତହବ୍ୟ ଶତପୁତ୍ରର ମରଣ ଦେଖି ଦୁଃଖରେ ମ୍ରିୟମାଣ ହୋଇଗଲେ । ସେ ଏକାନ୍ତ ଅନନ୍ୟୋପାୟ ହୋଇ ଗୋପନରେ ରାଜପ୍ରାସାଦରୁ ପଳାଇଗଲେ ଏବଂ ଭୀରୁ ପ୍ରାଣ ଘେନି ମହର୍ଷଭୃଗୁଙ୍କ ଆଶ୍ରମରେ ଯାଇ ଆଶ୍ରୟ ନେଲେ । ଏହିରୁପେ ବୀତହବ୍ୟ ସିଂହାସନଚ୍ୟୁତ ହେଲେ ଏବଂ ପ୍ରତର୍ଦ୍ଦନ ପିତୃରାଜ୍ୟ ଅଧିକାର କରି ରାଜଦଣ୍ତ ଧାରଣ କଲେ ।

 

ପିତୃସିଂହାସନ ଅଧିକୃତ ହେଲା ସତ୍ୟ କିନ୍ତୁ ପ୍ରତର୍ଦ୍ଦନଙ୍କ ପ୍ରତିହିଂସା–ବହ୍ନି ନିର୍ବାପିତ ହେଲା ନାହିଁ । ବାତହବ୍ୟଙ୍କୁ ସ୍ୱହସ୍ତରେ ନିଧନ କରି ତାଙ୍କ ରକ୍ତକୁ ତିଳକରୂପେ କପାଳରେ ନ ଘେନିବା–ପର୍ଯ୍ୟନ୍ତ ସେ ଥୟ ହୋଇ ରହିପାରିଲେ ନାହିଁ । ଚତୁର୍ଦ୍ଦିଗକୁ ଦୁତ ପଠାଇ ସେ ବୀତହବ୍ୟଙ୍କର ସନ୍ଧାନ ନେବାକୁ ଲାଗିଲେ ଏବଂ କିଛିଦିନ ପରେ ଜାଣିପାରିଲେ ଯେ, ବୀତହବ୍ୟ ପ୍ରାଣ ଭୟରେ ଭୃଗୁ ଋଷିଙ୍କ ଆଶ୍ରମରେ ଲୁଚି ରହିଛନ୍ତି ।

 

ସଙ୍ଗେ ସଙ୍ଗେ ବୀର ପ୍ରତର୍ଦ୍ଦନଙ୍କ ରକ୍ତ ଉଷ୍ଣ ହୋଇଉଠିଲା । ସେ କ୍ଷଣକାଳ ବିଳମ୍ବ ନ କରି ଧନୁର୍ବାଣ ଓ ତରବାରୀ ହସ୍ତରେ ଭୃଗୁ–ଆଶ୍ରମକୁ ପ୍ରଧାବିତ ହେଲେ । ଋଷି ତାହାଙ୍କର କ୍ରୋଧୋନ୍ନତ୍ତ ବୀରବେଶ ଅଦୂରରୁ ଦେଖିପାରି ତାଙ୍କ ନିକଟକୁ ଧାଇଁ ଆସିଲେ ଏବଂ ମହାସମାଦରରେ ତାଙ୍କୁ ଆଶ୍ରମ ମଧ୍ୟକୁ ଘେନିଚଲେ । ତତ୍ପରେ ସେ ବିନୟପୂର୍ଣ୍ଣ ଭାଷାରେ ରାଜାଙ୍କୁ ପ୍ରଶ୍ନକଲେ–

 

“ମହାରାଜ ! ସଙ୍ଗରେ କୌଣସି ଅନୁଚର ନାହନ୍ତି । ଆପଣ ଏପରି ଏକାକୀ ଅବସ୍ଥାରେ କେଉଁଠାରୁ ଆସିଲେ ? ଆପଣଙ୍କ ମୁଖମଣ୍ତଳରେ ଉଦବେଗର ରେଖା ସ୍ପଷ୍ଟ ଅଙ୍କିତ ହୋଇଛି । ବେଶ ଦେଖି ମନେ ହୁଏ, ସତେ ଯେପରି ଆପଣ କୌଣସି ଶତ୍ରୁର ଅନୁସରଣ କରିୁଥିଲେ ।”

 

ପ୍ରତର୍ଦ୍ଦନ ଗମ୍ଭୀରଭାବରେ ଉତ୍ତର ଦେଲେ–

 

“ମହର୍ଷି ! ଆପଣଙ୍କ ଅନୁମାନ ସମ୍ପୂର୍ଣ୍ଣ ସତ୍ୟ । ଆପଣ ମୋ ବଂଶର ପରମ ଶତ୍ରୁକୁ ଆଶ୍ରମରେ ସ୍ଥାନ ଦେଇଛନ୍ତି । ଏବେ ତାହାକୁ ମୋ ହସ୍ତରେ ପ୍ରତ୍ୟର୍ପଣ କରନ୍ତୁ ।”

 

Image

[ଭୃଗୁ ପ୍ରତର୍ଦ୍ଦନଙ୍କୁ ସତ୍ୟ ଗୋପନ କରୁଛନ୍ତି]

 

ଏହା ଶୁଣି ଭୃଗୁ ସ୍ମିତମୁଖରେ କହିଲେ

 

“ବୀରଶ୍ରେଷ୍ଠ ! ଆପଣଙ୍କ ରାଜବଂଶର କୌଣସି ଶତ୍ରୁ ଏ ଆଶ୍ରମରେ ନାହିଁ । ମୋ କଥାରେ ଆପଣ ବିଶ୍ୱାସ କରନ୍ତୁ ।”

 

ଏ ଉତ୍ତରରେ ଖୁବ୍ କ୍ଷୁବ୍‍ଧ ହୋଇ ପ୍ରତର୍ଦ୍ଦନ କହିଲେ–

 

“ଋଷିବର ! ଆପଣଙ୍କ ମୁଖରୁ ଏପରି କଥା ଶୁଣି ମୁଁ ବାସ୍ତବରେ ବଡ଼ ବିସ୍ମିତ ହେଉଛି । ସମସ୍ତ ଘଟଣା ଜାଣି ମଧ୍ୟ ଆପଣ ସତ୍ୟକୁ ଗୋପନ ରଖିବାକୁ ଚେଷ୍ଟା କରୁଛନ୍ତି । ରାଜା ବୀତହବ୍ୟଙ୍କ ପୁତ୍ରଗଣ ମୋର ପିତୃରାଜ୍ୟକୁ ହରଣ କରିନେବା ଫଳରେ ମୋର ପିତା ପଥର ଭିକାରୀ ହୋଇ ମହର୍ଷି ଭରଦ୍ୱାଜଙ୍କର ଶରଣ ଲୋଡ଼ିଲେ ଏବଂ ତାଙ୍କର ଆଶ୍ରମରେ ଅତି କଷ୍ଟରେ ଅବଶିଷ୍ଟ ଜୀବନ କଟାଇ ଶେଷରେ ଦେହତ୍ୟାଗ କଲେ । ପିତାଙ୍କ ସ୍ୱର୍ଗଯାତ୍ରା–ପରେ ଏକ ଏକ କରି ବୀତହବ୍ୟଙ୍କ ଶହେଟିଯାକ ପୁତ୍ରଙ୍କୁ ହତ୍ୟା–କରି ମୁଁ ଖଡ଼୍‍ଗର କ୍ଷୁଧା ନିବାରଣ କରିଛି କିନ୍ତୁ; ପିତାମହଙ୍କ ବୈରୀ ନୃଶଂସ ବୀତହବ୍ୟଙ୍କ ମସ୍ତକକୁ ଛିନ୍ନ ନ କରିବା ପର୍ଯ୍ୟନ୍ତ ମୋର ପ୍ରତିହିଂସାର ନିବୃତ୍ତି ହୋଇପାରିବ ନାହି । ବଡ଼ ପରିତାପର କଥା, ଆପଣ ସେହି ଭୀରୁ ବୀତହବ୍ୟଙ୍କୁ ନିଜ ଆଶ୍ରମରେ ରଖିଥିଲେ ହେଁ ଏବେ ଛଳନାର ଆଶ୍ରୟ ନେଇ ମୋତେ ପ୍ରତାରିତ କରିବାକୁ ଚେଷ୍ଟା କରୁଛନ୍ତି । କହନ୍ତୁ ତ ଦେଖି, ମୋର ଏହି ଉକ୍ତି ଯଥାର୍ଥ ନୁହେଁ କି ଏବଂ ଆପଣ ପ୍ରକୃତରେ ସତ୍ୟର ଅପଳାପ କରୁନାହାନ୍ତି କି ?”

 

ଶରଣାଗତକୁ ରକ୍ଷା କରିବା ପ୍ରତ୍ୟେକ ଶରଣଦାତାର କର୍ତ୍ତବ୍ୟ । ସହର୍ଷି ଭୃଗୁ ରାଜା ବୀତହବ୍ୟଙ୍କୁ ଆଶ୍ରୟ ଦେବାପରେ ତାଙ୍କର କ୍ଷାତ୍ର ମନୋବୃତ୍ତିକୁ ଏକାବେଳେ ବଦଳାଇ ଦେଇଥିଲେ-। ଆଶ୍ରମବାସୀ ଅନ୍ୟ ଶିଷ୍ୟମାନଙ୍କ ସହିତ ଏକତ୍ର ବାସ କରିବା ଫଳରେ ବୀତହବ୍ୟଙ୍କ ମନରେ ସେତେବେଳକୁ ବ୍ରାହ୍ମଣତ୍ୱର ବୀଜ ରୋପିତ ହୋଇ ସାରିଥଏ । ଶତ୍ରୁତା, ପ୍ରତିଶୋଧ, ଅହଙ୍କାର, କ୍ରୋଧ ଆଦି ତାମସିକ ଗୁଣ ଲୁପ୍ତ ହୋଇଯିବା ଯୋଗୁଁ ବୀତହବ୍ୟ ପ୍ରକୃତରେ ନବଜୀବନ ଲାଭ କରିଥାନ୍ତି । ମୋଟ ଉପରେ କ୍ଷତ୍ରିୟ ବୀତହବ୍ୟ ସେତେବେଳକୁ ବ୍ରାହ୍ମଣ ବୀତହବ୍ୟରେ ପରିଣତ ହୋଇଯାଇଥାନ୍ତି । ତେଣୁ ମହର୍ଷିଙ୍କ ଉତ୍ତର ପ୍ରତର୍ଦ୍ଦନଙ୍କୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ପ୍ରତୀୟମାନ ହେଲେହେଁ ତାହା ଯେ ଆଂଶିକ ସତ୍ୟ ଏଥିରେ ସନ୍ଦେହ ନାହିଁ ।

 

ଯାହାହେଉ, ଭୃଗୁ ଶରଣାର୍ଥୀକୁ ବଞ୍ଚାଇବା ଉଦ୍ଦେଶ୍ୟରେ ନିଜର ପୂର୍ବ ଉକ୍ତିକୁ ସମର୍ଥନ କରି ପ୍ରତର୍ଦ୍ଦନଙ୍କୁ ଉତ୍ତର ଦେଲେ

 

“ମହାରାଜ ! ମିଥ୍ୟା କରିବାର କୌଣସି କାରଣ ନାହିଁ । ମୁଁ ପୁଣି ଥରେ ଜାଣାଉଛି, ମୋ ଆଶ୍ରମରେ ଯେତେ ଶିଷ୍ୟ ଅଛନ୍ତି, ସମସ୍ତେ ବ୍ରାହ୍ମଣ–କ୍ଷତ୍ରିୟ ହୋଇ ଜଣେ ହେଲେ କେହି ନାହିଁ । ତେଣୁ ଆପଣଙ୍କ ବଂଶର ଶତ୍ରୁ କ୍ଷତ୍ରିୟ ବୀତହବ୍ୟ ଏଠାରେ ନାହାନ୍ତି ବୋଲି ମୁଁ ପୁର୍ବେ ଯେଉଁ ସୂଚନା ଦେଇଥିଲି, ତାହାକୁ ଆପଣ ନିରାଟ ସତ୍ୟ ବୋଲି ଗ୍ରହଣ କରନ୍ତୁ ।”

 

ଭୃଗୁଙ୍କ କଥା ଶୁଣି ପ୍ରତର୍ଦ୍ଦନ ଏବେ ପ୍ରକୃତ ରହସ୍ୟ ଉତ୍ତମରୂପେ ଉପଲବ୍‍ଧି କରିପାରିଲେ । ସେ ସ୍ପର୍ଦ୍ଧାର ସହିତ କହିଲେ–

 

“ମହର୍ଷି ! ଆପଣ ଯେତେବେଳେ ଏଠାରେ ଥିବା ସମସ୍ତଙ୍କୁ ବ୍ରାହ୍ମଣ ବୋଲି ନିଜ ମୁଖରେ ସ୍ୱୀକାର କରିସାରିଲେଣି, ମୋର ଆଉ ଅଧିକ କିଛି କହିବାର ନାହିଁ । କ୍ଷତ୍ରିୟ ବୀତହବ୍ୟଙ୍କୁ ହତ୍ୟା କରିବା ହିଁ ମୋର ଉଦ୍ଦେଶ୍ୟ ଥିଲା । କେବଳ ସେଇଥିପାଇଁ ମୁଁ ଅସ୍ତ୍ରଶସ୍ତ୍ର ସଜ୍ଜିତ ହୋଇ ଏଠାକୁ ଆସିଥିଲି । କିନ୍ତୁ ସେ ଯଦି ପ୍ରାଣ–ଭୟରେ ନିଜର ଜାତି ତ୍ୟାଗ କରି ବ୍ରାହ୍ମଣ ବୋଲି ପରିଚିତ ହେବାକୁ ଇଚ୍ଛା କରୁଛନ୍ତି, ତାହାହେଲେ ମୁଁ ତାଙ୍କୁ କ୍ଷମା ଦେଉଛି । ବାସ୍ତବରେ ସେ ଏବେ କୃପାର ପାତ୍ର; କାରଣ ବ୍ରାହ୍ମଣ ବୀତହବ୍ୟ ମୋର ଶତ୍ରୁ ନୁହନ୍ତି । ମୋର ପ୍ରତିଶୋଧ–ସ୍ପୃହା ପୁର୍ଣ୍ଣ ହୋଇସାରିଲାଣି । ମୁଁ ସିଦ୍ଧକାମ ହୋଇ ଏଥର ରାଜଧାନୀକୁ ଫେରିଯାଉଛି ।”

 

ଏହା କରି ପ୍ରତର୍ଦ୍ଦନ ବୀର ପଦକ୍ଷେପରେ ଆଶ୍ରମ ଛାଡ଼ି ଚାଲିଗଲେ । ଭୃଗୁଙ୍କ ଯୋଗୁଁ ବୀତହବ୍ୟ ସେହିଦିନଠାରୁ ଜଣେ ଖ୍ୟାତିସମ୍ପନ୍ନ ସାତ୍ତ୍ୱିକ ବ୍ରାହ୍ମଣରୂପେ ସର୍ବତ୍ର ପ୍ରତିଷ୍ଠା ଅର୍ଜନ କଲେ-। ପରବର୍ତ୍ତୀ କାଳରେ ତାଙ୍କରି ବ୍ରାହ୍ମଶବଂଶରେ ପ୍ରଭତି ବହୁ ସ୍ୱୟଂସିଦ୍ଧ ଋଷି ଜନ୍ମଗ୍ରହଣ କରି ସ୍ୱ ସ୍ୱ ମହନୀୟ କାର୍ଯ୍ୟକଳାପଦ୍ୱାରା ପୁରାଣର ପୃଷ୍ଠା ଉଜ୍ଜ୍ୱଳ କଲେ ।

Image

 

ଭକ୍ତିର ଶକ୍ତି

 

ସତ୍ୟ ଯୁଗରେ ଅମ୍ବରୀଷ ନାମରେ ଜଣେ ବିଷ୍ଣୁ ଭକ୍ତ ରାଜା ଥିଲେ । ପରମଧାର୍ମିକ ରାଜା ନାଭାଗଙ୍କର ଗୁଣଧର ଉତ୍ତରାଧିକାରୀରୂପେ ସେ ପ୍ରଭୁତ ଖ୍ୟାତିର ଅଧିକାରୀ ହେଲେ । ପ୍ରଜାପୁଞ୍ଜଙ୍କୁ ସୁଖଶାନ୍ତିରେ ରଖି ଅମ୍ବରୀଷ ନିଜର ସମସ୍ତ ଅବସର ସମୟ ହରିନାମ କାର୍ତ୍ତନରେ କଟାଇବାକୁ ଲାଗିଲେ । ଏହାଛଡ଼ା ଦେବ, ଦ୍ୱିଜଙ୍କ ପ୍ରତି ତାଙ୍କର ଅସୀମ ଭକ୍ତି ଥିଲା । ମୁନିଋଷି ପ୍ରଭତିଙ୍କୁ ଅତିଥିରୂପେ ଲାଭ କଲେ ସେ ନିଜକୁ ମହା ଭଗ୍ୟବାନ୍ ମନେ କରୁଥିଲେ ଏବଂ ସେବା ପୂଜାଦ୍ୱାରା ସେମାନଙ୍କୁ ଆପ୍ୟାୟିତ କରିବାରେ ଲାଗିପଡ଼ୁଥିଲେ ।

 

ଯୁବକ ଅମ୍ବରୀଷ ବିଶାଳ ଧରଣୀର ଅଧିପତି ହୋଇଥିଲେ ହେଁ ବିଳାସବ୍ୟସନ ବା ରାଜଭୋଗର ସ୍ପୃହା ତାଙ୍କ ଅନ୍ତରକୁ ବିନ୍ଦୁମାତ୍ର ସ୍ପର୍ଶ କରି ନ ଥିଲା । ସଂସାରରେ ଥାଇ ମଧ୍ୟ ସେ ସମ୍ପୂର୍ଣ୍ଣ ସଂସାର–ବିରାଗୀ ଥିଲେ ଏବଂ ପ୍ରତ୍ୟହ ପ୍ରଭାତରେ ସମ୍ମାର୍ଜନୀଦ୍ୱାରା ହରି ମନ୍ଦିର ପରିଷ୍କୃତ କରୁଥିଲେ । ମନ୍ଦିରରେ ବର୍ଷସାରା ସାଧୁଜନମାନଙ୍କର ସମ୍ମେଳନ ହେଉଥିଲା । ରାଜା ସେମାନଙ୍କ ନିକଟରେ ବସି କର୍ଣ୍ଣ ଭରି ହରିନାମାମୃତ ପାନ କରୁଥିଲେ ।

 

ଥରେ ଅମ୍ବରୀଷ ମହାଏକାଦଶୀ ବ୍ରତ ପାଳନକରି ଉପବାସ ରହିଥିଲେ । ସେହି ଦିନ ଦ୍ୱାଦଶୀ ଆରମ୍ଭ ହୋଇଥିବାରୁ ପରଦିନକୁ ଦ୍ୱାଦଶୀର ସମୟ ଅଳ୍ପମାତ୍ର ଅବଶିଷ୍ଟ ଥାଏ । ତେଣୁ ସେହି ସମୟ ମଧ୍ୟରେ ଯେ କୌଣସି ପ୍ରକାରେ ପାରଣା କରିବାକୁ ହେବ । ଦ୍ୱାଦଶୀର କାଳ ଉତ୍ତୀର୍ଣ୍ଣ ହୋଇଯିବା ପରେ ପାରଣା କଲେ ପରଲୋକରେ ନରକବାସ ହୁଏ । ଏହା ଜାଣି ସୁଦ୍ଧା ଅମ୍ବରୀଷ ନିରୁପାୟ ହୋଇ ବସିଥାନ୍ତି । ଅନ୍ତତଃ ଜଣେ ହେଲେ ଅତିଥିଙ୍କୁ ଭୋଜନଦ୍ୱାରା ସନ୍ତୁଷ୍ଟ ନ କରିବା ପର୍ଯ୍ୟନ୍ତ ସେ କୌଣସି ଦିନ ଆହାର କରନ୍ତି ନାହିଁ । ଆଜି ଭଳି ପବିତ୍ର ପାରଣାର ଦିନରେ ଉକ୍ତ ନିୟମକୁ ବିଶେଷ ଭାବରେ ରକ୍ଷା କରିବାର କଥା । ମାତ୍ର ଦୁର୍ଭାଗ୍ୟବଶତଃ ଏ ପର୍ଯ୍ୟନ୍ତ ରାଜଦ୍ୱାରରେ କୌଣସି ଅତିଥିଙ୍କର ପଦାର୍ପଣ ଯୋଗ ଘଟିଲା ନାହିଁ ।

 

ରାଜା ବିଷମ ଭାବନାରେ ଘାରି ହେଲେ । ଦେଖୁ ଦେଖୁ ଦ୍ୱାଦଶୀ ତିଥି ଅତିକ୍ରାନ୍ତ ହେବାକୁ ବସିବାରୁ ନରକବାସର ଭୟ ତାଙ୍କ ପ୍ରାଣକୁ ଆଚ୍ଛନ୍ନ କରିପକାଇଲା । ତେଣୁ ସେ ପାରଣା କରିବା ଉଦ୍ଦେଶ୍ୟରେ ହସ୍ତରେ ଜଳ ଧରି ମୁଖକୁ ନେଉଛନ୍ତି, ଠିକ୍ ଏହି ସମୟରେ ଦୁର୍ବାସା ମୁନି ତାଙ୍କ ସମ୍ମୁଖରେ ଆସି ଉପସ୍ଥିତ ହୋଇଗଲେ । ରାଜାଙ୍କ ହସ୍ତରେ ଜଳ ଦେଖି ଦୁର୍ବାସା ଚିତ୍କାର କରିଉଠିଲେ–

 

“ମହାରାଜ ! ଏ କି ଅନ୍ୟାୟ କରୁଛ ? ମୋ ଭଳି ଅତିଥିକୁ ଉପବାସୀ ରଖି ପାରଣା କରିବାକୁ ଯାଉଛ କିପରି ? ତୁମେ ଜଣେ ଶ୍ରେଷ୍ଠ ବିଷ୍ଣୁ ଭକ୍ତ; ତେଣୁ ତୁମରି ଗୃହରେ ପାରଣା କରିବି ବୋଲି ମୁଁ ବହୁ କଷ୍ଟ ସହି ସୁଦୁର ପଥ ଅତିକ୍ରମ କରି ଆସିଛି । ମୋତେ ସେଥିରୁ ବଞ୍ଚିତ କଲେ ତୁମର ଯେ ମହାପାପ ହେବ, ଏଥିରେ ସନ୍ଦେହ ନାହିଁ ।”

 

ମହାମୁନି ଦୁର୍ବାସାଙ୍କ ଆଗମନ ଦେଖି ଅମ୍ବରୀଷ ନିଜକୁ ଧନ୍ୟ ମନେକଲେ । ସଙ୍ଗେ ସଙ୍ଗେ ହସ୍ତ ମଧ୍ୟସ୍ଥ ଜଳକୁ ଭୂତଳରେ ପିଙ୍ଗିଦେଇ ସେ କୃତାଞ୍ଜଳିପୁଟରେ କହିଲେ–

 

“ମୁନିଶ୍ରେଷ୍ଠ ! ଆପଣଙ୍କ ପରି ପୁଣ୍ୟବାନ୍ ଅତିଥିଙ୍କୁ ପାଇବା ଫଳରେ ମୋର ଏକାଦଶୀ ଉପବାସ ସାର୍ଥକ ହୋଇଛି । ତେବେ ମୋର ଗୋଟିଏ ବିନୀତ ନିବେଦନ ଶୁଣନ୍ତୁ । ଦ୍ୱାଦଶୀ ଆଉ କେତୋଟି ମାତ୍ର ମୁହୂର୍ତ୍ତ ଅବଶିଷ୍ଟ ଅଛି । ଏହି ସ୍ୱଳ୍ପକାଳ ମଧ୍ୟରେ ପାରଣା କରି ନ ପାରିଲେ ନରକରେ ପଡ଼ିବାକୁ ହେବ । ଆପଣ ତ ସର୍ବଶାସ୍ତ୍ରଜ୍ଞ ଓ ମହାଜ୍ଞାନୀ, ମୁଁ ବା ଅଧିକ କ’ଣ କହିବି ? ଦୟାକରି ଅତି ଶୀଘ୍ର ସ୍ନାନକ୍ରିୟା ସମାପନ କରି ଆସନ୍ତୁ, ଯେପରି ଦ୍ୱାଦଶୀବେଳା ଶେଷ ନ ହେଉଣୁ ଆମ ଉଭୟଙ୍କର ପାରଣା ସର୍ବଶୁଭରେ ଶେଷ ହୋଇପାରିବ ।”

 

ସଙ୍ଗେ ସଙ୍ଗେ ଦୁର୍ବାସା ସ୍ନାନ କରିବାକୁ ବାହାରିଲେ ଏବଂ ତାଙ୍କ ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିବାକୁ ରାଜାଙ୍କୁ କହିଗଲେ; ମାତ୍ର ସ୍ନାନ ସାରିବାପରେ ସେ ରାଜପୁରୀକୁ ନ ଆସି ରାଜାଙ୍କ ବ୍ରତନିଷ୍ଠା ପରୀକ୍ଷା କରିବାପାଇଁ ଦୂରରେ ଲୁକ୍‍କାୟିତ ହୋଇ ରହିଲେ ।

 

ଏଣେ ଦ୍ୱାଦଶୀର ଶେଷ ମୁହୂର୍ତ୍ତ ପ୍ରାୟ ଉତ୍ତୀର୍ଣ୍ଣ ହେବା ଉପରେ, ଅଥଚ ଋଷିଙ୍କର ଦେଖା ନାହିଁ । ଅମ୍ବରୀଷ ମହାସମସ୍ୟାରେ ପଡ଼ିଲେ । ସେ ଯଦି ଅତିଥିସତ୍କାର ନ କରି ପାରଣା କରିବେ, ତାହାହେଲେ ମହା ଅପରାଧରେ ଭାଗୀ ହେବେ । ପୁଣି ମୁନିଙ୍କୁ ଅପେକ୍ଷା କରି ବସି ରହୁ ରହୁ ଯେବେ ଦ୍ୱାଦଶୀ ପାର ହୋଇଯାଏ ଏବଂ ସେ ଯଥା ସମୟରେ ପାରଣା କରି ନ ପାରନ୍ତି, ତେବେ ତାଙ୍କର ମହାପାପ ହେବ । ଏକ ଦିଗରେ ଧର୍ମରକ୍ଷା କରିବାକୁ ଗଲେ ଅନ୍ୟ ଦିଗରେ ଧର୍ମ ନଷ୍ଟ ହେବ । ମହା ସଙ୍କଟରେ ପଡ଼ି ଅମ୍ବରୀଷ ପ୍ରଭୁ ନାରାୟଣଙ୍କୁ କାତରଭାବରେ ସ୍ମରଣ କରିବାକୁ ଲାଗିଲେ । ହଠାତ୍ ତାଙ୍କ ଆଗରେ ସମାଧାନରେ ଗୋଟିଏ ପଥ ଦେଖାଗଲା । ସେ ମନେ ମନେ ଭାବିଲେ–

 

“ଜଳ ଖାଦ୍ୟ ମଧ୍ୟରେ ଗଣ୍ୟ ନୁହେଁ । ତେଣୁ ଫଳ ବା ଅନ୍ୟ କୌଣସି ଖାଦ୍ୟ ନ ଖାଇ ମୁଁ ଯଦି କେବଳ ଜଳଗ୍ରହଣଦ୍ୱାରା ପାରଣା ସାରି ଦ୍ୱାଦଶୀ ପାଳନା କରେ, ତାହାହେଲେ କୌଣସି ଦିଗରୁ ମୋର ଧର୍ମହାନି ହେବ ନାହିଁ । ପାରଣାଦ୍ୱାରା ଏକାଦଶୀ-ଉପବାସର ଫଳ ମିଳିବ, ପୁଣି ଅତିଥିଙ୍କୁ ଉପବାସୀ ରଖି ମୁଁ ଜଳାହାର କଲେ ହେଁ ତଦ୍ଦ୍ୱାରା ମୋତେ ପାପ ସ୍ପର୍ଶ କରିବ ନାହିଁ ।”

 

ଏହିପରି ଭବି ଅମ୍ବରୀଷ ହସ୍ତରେ ଏକ ଗଣ୍ତୁଷ ଜଳ ନେଇ ହରିନାମ ସ୍ମରଣପୂର୍ବକ ତାହା ପାନ କଲେ । ଠିକ୍ ସେହି ମୁହୂର୍ତ୍ତରେ ଦୁର୍ବାସା ଝଡ଼ବେଗରେ ଆସି ସେଠାରେ ଉପସ୍ଥିତ ହୋଇଗଲେ ଏବଂ କ୍ରୋଧରେ ଅଗ୍ନି ମୂର୍ତ୍ତିଧରି ରାଜାଙ୍କୁ ଗର୍ଜ୍ଜନ କରି କରିଲେ–

 

“ରେ ଧର୍ମବକ ! ତୋର ଭଣ୍ତପଣ ସବୁ ଧରା ପଡ଼ିଗଲା, ଅତିଥିକୁ କ୍ଷୁଧାର୍ତ୍ତ ରଖି ତୁ ଏକାକୀ ପାରଣା କଲୁ । ଏଇ ତୋର ଉପବାସର ନିଷ୍ଠା ? ବିଷ୍ଣୁ ଭକ୍ତ ବୋଲି ଚାରିଆଡ଼େ ନିଜର ଡିଣ୍ଡିମ ପିଟୁଛୁ, ଅଥଚ କେତୋଟିମାତ୍ର ମୁହୂର୍ତ୍ତ ମୋତେ ଅପେକ୍ଷା କରିପାରିଲୁ ନାହିଁ । ଜାଣିଲି ଅହଙ୍କାରରେ ସ୍ପୀତ ହୋଇ ତୁ ଧରାକୁ ଶରା ଜ୍ଞାନ କରୁଛୁ । ତେଣୁ ବ୍ରହ୍ମଶାପରେ ଏହିକ୍ଷଣି ମୁଁ ତୋର ସର୍ବନାଶ ସାଧନ କରିବି । ତେବେ ଯାଇ ମୋତେ ଅବହେଳା କରିବାର ଉପଯୁକ୍ତ ପ୍ରତିଫଳ ପାଇବୁ !”

 

କହୁ କହୁ ଦୁର୍ବାସା ନିଜ ମସ୍ତକରୁ ଗୋଟାଏ ଜଟା ଛିଣ୍ଡାଇ ଆଣିଲେ ଏବଂ ତାହାକୁ ମନ୍ତ୍ରପୂତ କରି ଛାଡ଼ିଦେଲେ । ସଙ୍ଗେ ସଙ୍ଗେ ତହିଁରୁ ଏକ ଆଗ୍ନେୟ ମୂର୍ତ୍ତି ଜାତ ହେଲା ଏବଂ ସେହି ଭୀଷଣ ମୂର୍ତ୍ତି ହସ୍ତରେ ଶାଣିତ ଖଡ଼୍‍ଗ ଧରି ଅମ୍ବରୀଷଙ୍କୁ ଗ୍ରାସ କରିବାକୁ ଧାଇଁଲା । ଅମ୍ବରୀଷ ଭୟକାତର ହୋଇ ଦୁର୍ବାସାଙ୍କୁ ପ୍ରାର୍ଥନା କଲେ–

 

“ମହାମୁନି ! ଆପଣଙ୍କ ଭଳି ମହାଶକ୍ତିଶାଳୀ ତପସ୍ୱୀଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରିବାର ସାହସ ମୋ ପରି ଜଣେ ସାମାନ୍ୟ ଲୋକପକ୍ଷରେ ଅସମ୍ଭବ । ହୃଦୟରେ ଆଦୌ ଅହଙ୍କାରର ସ୍ଥାନ ନାହିଁ । ଦ୍ୱାଦଶୀର ଶେଷ ମୁହୂର୍ତ୍ତ ଗଡ଼ିଯିବାର ଦେଖି ମୁଁ ଗଣ୍ଡୁଷ–ପରିମିତ ଜଳ ଗ୍ରହଣ କରି ପାରଣାର ବିଧିରକ୍ଷା କରିଛି ମାତ୍ର । ଆପଣଙ୍କୁ ଅନାହାରରେ ରଖି ମୁଁ କିପରି ଆହାର କରନ୍ତି ? ଆପଣ ପ୍ରକୃତ ଅବସ୍ଥା ଅନୁଧ୍ୟାନ କଲେ, ବେଶ ଜାଣି ପାରିବେ ଯେ, ମୁଁ ଆପଣଙ୍କ ନିକଟରେ ଆଦୌ କୌଣସି ଅପରାଧ କରିନାହିଁ । ତେଣୁ ମୋର ବିନୀତ ନିବେଦନ, ଆପଣ ଏଥର କ୍ରୋଧ ସମ୍ବରଣ କରନ୍ତୁ ଏବଂ ଏହି ଅଗ୍ନି ମୂର୍ତ୍ତିକୁ ଶାନ୍ତ କରି ମୋତେ ଆକ୍ରମଣ କରିବାରୁ ତାହାକୁ କ୍ଷାନ୍ତ କରାନ୍ତୁ ।”

 

ଯେତେ ବୁଝାଇଲେ ହେଁ ଦୁର୍ବାସା ବୁଝିଲେ ନାହିଁ, କି ତାଙ୍କର କ୍ରୋଧ ପ୍ରଶମିତ ହେଲା ନାହିଁ । ସେ ଅଧିକ କୋପାନ୍ୱିତ ହୋଇ ସେହି ଅଗ୍ନିମୂର୍ତ୍ତିକୁ ଆଦେଣ ଦେଲେ–

 

“ଏହି ଦୁରାଚାର ଉଦ୍ଧତ ରାଜା ଅହଙ୍କାରରେ ଅନ୍ଧ ହୋଇ ଅତିଥିର ଅବମାନନା କରିଛି-। ତୁମେ ତାକୁ ସଂହାର କରିବା ପୂର୍ବରୁ ତାର ରାଜପୁରୀକୁ ଦଗ୍‍ଧ କରି ପକାଅ ।”

 

ଦୁର୍ବାସାଙ୍କ ଆଦେଶମତେ ଅଗ୍ନିମୂର୍ତ୍ତିଟି ଦାବାନଳ ରୂପ ଧରି ସମଗ୍ର ରାଜପୁରୀକୁ ପୋଡ଼ି ଚୁରଖାର କରିଦେଲା । ତାହା ଦେଖି ଅମ୍ବରୀଷ ଆର୍ତ୍ତ କଣ୍ଠରେ ଭଗବାନଙ୍କୁ ଡ଼ାକିବାକୁ ଲାଗିଲେ–

 

“ହେ ଅନ୍ତର୍ଯ୍ୟାମୀ ଅରକ୍ଷ ରକ୍ଷଣ ପ୍ରଭୁ ! ମୋତେ କାହିଁକି ଏପରି ଭୀଷଣ ପରୀକ୍ଷାରେ ପକାଇଛ ? ଏବେ ମୁଁ ଗତିହୀନ । ଦୟାକରି ମୋତେ ଦୁର୍ବାସଙ୍କ କ୍ରୋଧାଗ୍ନିରୁ ପରିତ୍ରାଣ କର ।”

 

ବୈକୁଣ୍ଠରେ ଭଗବାନ ବିଷ୍ଣୁଙ୍କ ଆସନ କମ୍ପିତ ହେଲା । ଭକ୍ତର ଆକୁଳ ଆହାନ ଘନ ଘନ ତାଙ୍କ କର୍ଣ୍ଣରେ ଆଘାତ କଲା । ସେ ଆଉ ଥୟ ହୋଇ ରହି ନ ପାରି ସୁଦର୍ଶନକୁ ନିର୍ଦ୍ଦେଶ ଦେଲେ–“ଯାଅ ଚକ୍ର ! ମୋର ପରମଭକ୍ତ ଅମ୍ବରୀଷଙ୍କୁ ବ୍ରହ୍ମଶାପରୁ ରକ୍ଷାକର ଏବଂ ମହାକୋପୀ ଦୁର୍ବାସାଙ୍କୁ ଉଚିତ ଶିକ୍ଷା ଦିଅ ।”

 

ବିଦ୍ୟୁତର ବେଗଠାରୁ ଆହୁରି ଅଧିକ ବେଗରେ ସୁଦର୍ଶନ ଚକ୍ର ଛୁଟିଲା ଏବଂ ଅମ୍ବରୀଷଙ୍କ ସମ୍ମୁଖରେ ଆବିର୍ଭୂତ ହୋଇ ବ୍ରହ୍ମଶାପକୁ ଖଣ୍ଡନ କରିଦେଲା । ତତ୍‍ପରେ ସେ ଦୁର୍ବାସାଙ୍କ ନିକଟକୁ ପ୍ରଚଣ୍ତ ଗତିରେ ଧାଇଁଲା । ଅବ୍ୟର୍ଥ ଶକ୍ତିସମ୍ପନ୍ନ ସୁଦର୍ଶନ ଚକ୍ରକୁ ଦେଖି ଦୁର୍ବାସା ହତବୁଦ୍ଧି ହୋଇଗଲେ । କିପରି ଚକ୍ର ଆକ୍ରମଣରୁ ଆତ୍ମରକ୍ଷା କରିବେ, କିଛି ସ୍ଥିର କରିପାରିଲେ ନାହିଁ-। ପ୍ରାଣ ଭୟରେ ସେ ଆଗକୁ ଦୌଡ଼ି ପଳାଇଲେ । ଭକ୍ତର ସମ୍ମାନ ରକ୍ଷା କରିବାପାଇଁ ସୁଦର୍ଶନ ତାହାଙ୍କ ପଛେ ପଛେ ଗୋଡ଼ାଇବାକୁ ଲାଗିଲା । ମର୍ତ୍ତ୍ୟଲୋକରେ ଆଶ୍ରୟର ଆଶା ନ ଦେଖି ଦୁର୍ବାସା ଶିବଲୋକକୁ ଗଲେ, ଶିବ ସାହାଯ୍ୟ କରିପାରିଲେ ନାହିଁ । ତା'ପରେ ଋଷି ବ୍ରହ୍ମଲୋକକୁ ଧାଇଁଲେ–ସେଠାରେ ମଧ୍ୟ ଆଶ୍ରୟ ମିଳିଲା ନାହିଁ । ସର୍ବଶେଷରେ ସେ ବୈକୁଣ୍ଠଲୋକକୁ ଯାଇ ବିଷ୍ଣୁଙ୍କୁ ଚରଣରେ ଶରଣ ପଶି ପ୍ରାର୍ଥନା କଲେ–

 

“ପ୍ରଭୋ ! ମୁଁ ଘୋର ଅପରାଧୀ । ନିର୍ଦ୍ଦୋଷ ଅମ୍ବରୀଷଙ୍କୁ ବହ୍ମଶାପ ବଳରେ ବହୁ କ୍ଳେଶ ଦେଇଛି । ମୋତେ ସେଥିପାଇଁ କ୍ଷମା ଦିଅନ୍ତୁ ଏବଂ ଆପଣଙ୍କ ଅମୋଘ ଅସ୍ତ୍ର ସୁଦର୍ଶନ–ମୁଖରୁ ରକ୍ଷା କରନ୍ତୁ ।”

 

Image

[ଦୁର୍ବାସାଙ୍କ ପଛରେ ସୁଦର୍ଶନ ଚକ୍ର]

 

ନାରାୟଣ ଗମ୍ଭୀର ହୋଇ କହିଲେ–

 

“ଋଷିବର ! ମୁଁ ସବୁ ସହିପାରେ, କିନ୍ତୁ ଭକ୍ତର ଅପମାନ ସହ୍ୟ କରିବା ମୋ ପକ୍ଷରେ ଅସମ୍ଭବ । ଅମ୍ବରୀଷ ମୋର ଅତି ପ୍ରିୟ ଭକ୍ତ । ତୁମେ ନିଜ ତପସ୍ୟା ପ୍ରଭାବର ଅପବ୍ୟବହାର କରି ତାଙ୍କର ଅଯଥା ଅନିଷ୍ଟ ସାଧନ କରିଛ । ତେଣୁ ସେହି ଅମ୍ବରୀଷଙ୍କ ନିକଟକୁ ଯାଅ । ସେ ଯଦି କ୍ଷମା ଦିଅନ୍ତି, ତାହାହେଲେ ସୁଦର୍ଶନ ଚକ୍ରଠାରୁ ମୁକ୍ତି ପାଇପାରିବ । ତା’ନହେଲେ ସମଗ୍ର ବ୍ରହ୍ମାଣ୍ଡରେ ଅନ୍ୟ କେହି ତୁମକୁ ରକ୍ଷା କରିପାରିବେ ନାହିଁ ।”

 

ବିଷ୍ଣୁଙ୍କ ଉପଦେଶାନୁଯାୟୀ ଦୁର୍ବାସା ବୈକୁଣ୍ଠ ତ୍ୟାଗ କରି ଅମ୍ବରୀଷଙ୍କ ନିକଟକୁ ଧାଇଁଲେ । ସେତେବେଳକୁ ଅମ୍ବରୀଷ ଦୁଃଖରେ ଦିନ କଟାଉଛନ୍ତି । ଅତିଥି ତାଙ୍କ ପୁରୀକୁ ଆସି ମଧ୍ୟ ଅନାହାରରେ ଚାଲିଯାଇଛନ୍ତି । ନିଜ ଦୁର୍ଭାଗ୍ୟରୁ ସେ ଅତିଥିଙ୍କର ସତ୍କାର କରିପାରିଲେ ନାହିଁ, ଏହି କଥା ହିଁ ତାଙ୍କ ମନରେ ବାରମ୍ବାର ଆଘାତ କରୁଥାଏ ଏବଂ ଏହା ହିଁ ତାଙ୍କ ଦୁଃଖର ଏକମାତ୍ର କାରଣ ହୋଇଥାଏ ।

 

ଯାହାହେଉ, ଏହିପରି ମନସିକ ଦୁଶ୍ଚିନ୍ତା ଭୋଗ କରୁଥିବା ସମୟରେ ଅମ୍ବରୀଷ ହଠାତ୍ ଦୁର୍ବାସାଙ୍କ ଦର୍ଶନ ପାଇଲେ । ସେ ମୁନିଙ୍କ ପାଦ ବନ୍ଦନା ପାଇଁ ପ୍ରସ୍ତୁତ ହେଉ ହେଉ ନିଜେ ମୁନି ଧାଇଁ ଆସି ତାହାଙ୍କ ଦୁଇ ପାଦ ଧରି କହିଲେ–

 

“ହେ ବିଷ୍ଣୁ ଭକ୍ତ, ଏତେ କାଳପରେ ମୁଁ ତୁମର ପ୍ରକୃତ ପରିଚୟ ପାଇଲି । ତୁମେ ଯୋଗଜନ୍ମା ଓ ମହାସୌଭାଗ୍ୟଶାଳୀ । ଭକ୍ତିର ଶକ୍ତି ଯେ କେତେ ବେଶି ଆଜି ମୁଁ ପ୍ରତ୍ୟକ୍ଷ ଭାବରେ ଜାଣିପାରିଲି । ତୁମ ଯୋଗୁଁ ହିଁ ମୋର ଜ୍ଞାନ ପରିପୂର୍ଣ୍ଣ ଲାଭକଲା । ମାତ୍ର ମୁଁ ତୁମକୁ ଅପରାଧୀ ମନେକରି ବ୍ରହ୍ମଶାପ ଦେଇଥିଲି । ତଦ୍ଦ୍ୱାରା ମୁଁ ନିଜେ ହିଁ ମହା ଅପରାଧ କରିଛି ଏବଂ ସେହି ପାପରୁ ଏତେ ଦଶା ଭୋଗ କରୁଛି । ଏବେ ସଦୟ ହୋଇ ତୁମେ ମୋର ଅପରାଧ କ୍ଷମାକର । ତା ନୋହିଲେ ସୁଦର୍ଶନ ଚକ୍ର ମୋର ପ୍ରାଣ ସଂହାର କରିବ ।”

 

ଦୁର୍ବାସାଙ୍କ କାତର ମିନତୀରେ ଅମ୍ବରୀଷଙ୍କ ଚକ୍ଷୁ ଛଳଛଳ ହୋଇଉଠଲା । ସେ ମୁନିଙ୍କୁ ବକ୍ଷରେ ଜଡ଼ାଇଧରି ଆଶ୍ୱାସନାଦେଲେ ଏବଂ ସୁଦର୍ଶନ ଚକ୍ରକୁ ନିବେଦନ କଲେ–

 

“ଦୁର୍ବାସା ମୋର ଅତିଥି । ମୁଁ ଏ ପର୍ଯ୍ୟନ୍ତ ତାଙ୍କର ସତ୍କାର କରିପାରି ନାହିଁ । ତାହାଙ୍କୁ ମୁଁ କ୍ଷମା ଦେଇସାରିଲିଣି । ତେଣୁ ତୁମେ ଏବେ ତାଙ୍କର ପ୍ରାଣ ରକ୍ଷା କର ।”

 

ରାଜାଙ୍କର ଏଭଳି ମହାନୁଭବତା ଦେଖି ସୁଦର୍ଶନ ମୁଗ୍‍ଧ ହୋଇ ବୈକୁଣ୍ଠକୁ ଫେରିଗଲା-। ଦୁର୍ବାସା ମୃତ୍ୟୁ କବଳରୁ ମୁକ୍ତି ପାଇଲେ । ତାହାପରେ ଅମ୍ବରୀଷ ମହାଆଦରରେ ଋଷିଙ୍କୁ ସତ୍କାରରେ ଆପ୍ୟାୟିତ କରି ତାଙ୍କଠାରୁ ଅଜସ୍ର ଆଶୀର୍ବାଦ ଲାଭକଲେ

Image

 

ଦୈତ୍ୟଦଳନ ନାରାୟଣ

 

ଦୈତ୍ୟରାଜ ବଳି ସମଗ୍ର ମର୍ତ୍ତ୍ୟଭୂମି ଜୟକରି ନିଜକୁ ସମ୍ରାଟ ବୋଲାଇଲେ । ତାଙ୍କର ଅଖଣ୍ଡ ପ୍ରତାପ ଦେଖି ସ୍ୱର୍ଗର ଦେବତାଗଣ ସର୍ବଦା ଶଙ୍କିତ ହୋଇ ରହିଲେ । ଥରେ ବଳି ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟଙ୍କଠାରୁ ନିଜ ବଂଶର ପୂର୍ବ ଚରିତ ଶୁଣିବାକୁ ଆଗ୍ରହ ପ୍ରକାଶ କଲେ । ଶୁକ୍ରାଚାର୍ଯ୍ୟ ଆଦିଦୈତ୍ୟ ହିରଣ୍ୟକଶିପୁ, ତାଙ୍କ ଭ୍ରାତା ହିରଣାକ୍ଷ, ହିରଣ୍ୟକଶିପୁଙ୍କର ପୁତ୍ର ବିଷ୍ଣୁ ଭକ୍ତ ପ୍ରହ୍ଲାଦ ଏବଂ ତାଙ୍କ ପୁତ୍ର ବିରୋଚନଙ୍କ ବୀରତ୍ୱ ତଥା ପ୍ରଜାଶାସନ ବିଷୟରେ ବହୁତ ପ୍ରଶଂସା କରି ଶେଷରେ କରିଲେ–

 

“ହେ ମହାବଳୀ ବଳି ! ତୁମର ପିତା ବିରୋଚନଙ୍କ ଖ୍ୟାତି ଜଗତରେ ଦୁର୍ଲ୍ଲଭ । ତାଙ୍କ ବିକ୍ରମରେ ଦେବରାଜ ଇନ୍ଦ୍ରଙ୍କ ଆସନ ପ୍ରତି ମୁହୂର୍ତ୍ତରେ ଟଳମଳ ହେଉଥିଲା । ଇନ୍ଦ୍ର ନିଜର ଆଧିପତ୍ୟକୁ ନିଷ୍କଣ୍ଟକ ରଖିବାପାଇଁ ଶେଷରେ ଛଳନାର ଆଶ୍ରୟ ନେଇ ଅତି ହୀନ ଉପାୟରେ ବିରୋଚନଙ୍କର ପ୍ରାଣ ହରଣ କରିଥିଲେ ।”

 

ଏହା ଶୁଣୁ ଶୁଣୁ ବଳିଙ୍କର ସର୍ବାଙ୍ଗ ରେମାଞ୍ଚିତ ହୋଇଉଠିଲା । କ୍ରୋଧରେ ଅମମ୍ଭାଳ ହୋଇ ପିତୃହତ୍ୟାର ପ୍ରତିଶୋଧ ନେବାକୁ ଏବଂ ପିତୃହନ୍ତାକୁ ଉପଯୁକ୍ତ ଶାସ୍ତି ଦେବାକୁ ସେ ବଦ୍ଧପରିକର ହେଲେ । ପ୍ରତିଜ୍ଞା କଲେ, ଅଚିରେ ଇନ୍ଦ୍ରପୁରୀ ଅଧିକାର କରି ଇନ୍ଦ୍ରଙ୍କୁ ସିଂହାସନଚ୍ୟୁତ କରିବେ ।

 

ଯୁଦ୍ଧ ଅଭିଯାନ ବାର୍ତ୍ତା ସଙ୍ଗେ ସଙ୍ଗେ ଦୈତ୍ୟରାଜ୍ୟରେ ପ୍ରଚାରିତ ହେଲା । ଅସଂଖ୍ୟ ଦୈତ୍ୟସେନା ପ୍ରଚଣ୍ଡ ଗର୍ଜନ ଛାଡ଼ି ସ୍ୱର୍ଗରାଜ୍ୟ–ଅଭିମୁଖରେ ପ୍ରଧାବିତ ହେଲେ । ଦୈତ୍ୟମାନଙ୍କ ରଣବାଦ୍ୟରେ ସ୍ୱର୍ଗର ଆକାଶ କମ୍ପିତ ହେବାକୁ ଲାଗିଲା । ଶତ୍ରୁସେନାର ଦର୍ପିତ ଆହାନରେ ଦେବତାମାନେ ସୁସଜ୍ଜିତ ହୋଇ ଆତ୍ମରକ୍ଷା ପାଇଁ ବାହାରିପଡ଼ିଲେ ।

 

ଦେବସେନା ଓ ଦୈତ୍ୟସେନା ମଧ୍ୟରେ ପ୍ରବଳ ଯୁଦ୍ଧର ଉପକ୍ରମ ହେଲା । ଦୁଇ ପକ୍ଷରେ ରଥୀ–ମହାରଥୀ ଦଳ ପ୍ରଚୁର ଥିଲେ । ସେମାନେ ଇନ୍ଦ୍ରଜାଲ, ପାଶୁପତ, ବ୍ରହ୍ମଜାଲ, ରୁଦ୍ରମୁଖ, ସୂଚୀମୁଖ, ଶିଳୀମୁଖ ପ୍ରଭୃତି ବାଣ ଓ ନାନାପ୍ରକାର ସାଘାଂତିକ ଅସ୍ତ୍ର ପରସ୍ପରକୁ ନିକ୍ଷେପ କରି ଆକାଶଥକୁ ଅନ୍ଧକାରମୟ କରିଦେଲେ । ଦେବତାମାନେ ଯେତେ ଚେଷ୍ଟା କଲେ ମଧ୍ୟ ଦୈତ୍ୟମାନଙ୍କୁ ପରାଜିତ କରିପାରିଲେ ନାହିଁ । ତହୁଁ ସ୍ୱୟଂ ଇନ୍ଦ୍ର ଯୁଦ୍ଧକ୍ଷେତ୍ରକୁ ଅବତରଣ କଲେ ଏବଂ ଦୈତ୍ୟପତି ବଳିଙ୍କ ସହିତ ଘୋର ସଂଗ୍ରାମରେ ମତ୍ତ ହେଲେ । ପ୍ରଚଣ୍ଡ ଉତ୍ତେଜନାର ସହିତ ଯୁଦ୍ଧ କରୁ କରୁ ଇନ୍ଦ୍ରଦେବ ହଠାତ୍ ବଳିଙ୍କର ଏକ ଭୀଷଣ ବାଣାଘାତରେ ସଂଜ୍ଞାହୀନ ହୋଇଗଲେ-

 

ନିଜର ପ୍ରଭୁଙ୍କୁ ମୂର୍ଚ୍ଛିତ ହୋଇଯିବାର ଦେଖି ସାରଥି ମାତଳି ତତ୍‍କ୍ଷଣାତ୍ ରଥକୁ ଯୁଦ୍ଧକ୍ଷେତ୍ରରୁ ନେଇ ଏକ ଦୂର ନଦୀତଟକୁ ଚାଲିଗଲେ । ସେଠାରେ ଶୀତଳ ସମୀରଣର ମୃଦୁ ସ୍ପର୍ଶରେ ଦେବରାଜଙ୍କର ଚେତନା ଫେରି ଆସିଥିଲା । ସେ ପୁଣି ଉନ୍ମତ୍ତ ହୋଇଉଠିଲେ ଏବଂ ସଂଗ୍ରାମଭୂମିକୁ ସଙ୍ଗେ ସଙ୍ଗେ ରଥ ଚାଳନା କରିବାପାଇଁ ମାତଳିକୁ ଆଦେଶ ଦେଲେ । ରଥର ଘୋର ଘର୍ଘର–ଘୋଷରେ ଗଗନ–ପବନ ପ୍ରକମ୍ପିତ ହେବାକୁ ଲାଗିଲା । ଏଥର ବଳିଙ୍କୁ ନିଶ୍ଚୟ ଯମାଳୟକୁ ପେଷିବେ ବୋଲି ପ୍ରତିଜ୍ଞା କରି ଇନ୍ଦ୍ର ନିଜର ଅମୋଘ ବଜ୍ରାସ୍ତ୍ର ନିକ୍ଷେପ କଲେ । ସେହି ଆଘାତରେ ଦୈତ୍ୟରାଜଙ୍କର ମୁକୁଟ ଓ କୁଣ୍ଡଳ ଖସିପଡ଼ିଲା ଏବଂ ରଥ ଭାଙ୍ଗି ଖଣ୍ତ ଖଣ୍ତ ହୋଇଗଲା । ମହାପ୍ରତାପୀ ବଳି ହଠାତ୍ ମୂର୍ଚ୍ଛିତ ହୋଇଗଲେ । ତତକ୍ଷଣାତ୍ ତାଙ୍କର ରକ୍ତାକ୍ତ ଶରୀର ନିଃସହାୟ ଅବସ୍ଥାରେ ଭୂମିରେ ଟଳିପଡ଼ିଲା ।

 

ଏହି ଶୋଚନୀୟ ଦୁର୍ଘଟଣାରେ ଦୈତ୍ୟସେନା ମଧ୍ୟରେ ହାହାକାର ପଡ଼ିଗଲା । ସେମାନେ ଯୁଦ୍ଧଭୂମି ଛାଡ଼ି କିଏ କୁଆଡ଼େ ଭୟରେ ପଳାୟନ କଲେ । କେତେକ ବିଶ୍ୱସ୍ତ ଦୈତ୍ୟ ଏକତ୍ର ମିଳି ଦୈତ୍ୟରାଜ ବଳିଙ୍କ ଶବଦେହକୁ ନେଇ ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ଆଶ୍ରମରେ ପହଞ୍ଚିଲେ । ଶୁକ୍ରାଚାର୍ଯ୍ୟ ମନ୍ତ୍ରବଳରେ ବଳିଙ୍କ ଦେହରେ ପ୍ରାଣ ସଞ୍ଚାର କରାଇଦେଲେ । ବଳି ପୁନର୍ଜୀବନ ଲାଭ କରି ଗୁରୁଙ୍କୁ ଆରାଧନା କଲେ ଏବଂ ତାଙ୍କରୁ ଆଶୀର୍ବାଦ ଘେନି ହିମାଳୟକୁ ଚାଲିଗଲେ । ସେହିଠାରେ ସେ ବହୁକାଳବ୍ୟାପୀ କଠୋର ତପସ୍ୟାରେ ମଗ୍ନ ରହିଲେ । ବ୍ରହ୍ମା ସେହି ତପସ୍ୟାରେ ସନ୍ରୁଷ୍ଟ ହୋଇ ବଳିଙ୍କ ନିକଟରେ ଆସି ଆବିର୍ଭୂତ ହେଲେ ଏବଂ ଇଚ୍ଛାମତେ ଯେ କୌଣସି ବର ପ୍ରାର୍ଥନା କରିବାକୁ ତାଙ୍କୁ ସୁଯୋଗ ଦେଲେ । ବ୍ରାହ୍ମାଙ୍କଠାରୁ ଏଭଳି ପ୍ରତିଶ୍ରୁତି ପାଇ ଦୈତ୍ୟେଶ୍ୱର ଏକ ଭୀଷଣ ବର ମାଗିଲେ–

 

“ପ୍ରଭୋ ! ତାହାହେଲେ ମୋତେ ଅଜୟ ଅବାଧ୍ୟ ହେବାର ବର ଦିଅ । କେହି ମୋତେ ପରାସ୍ତ କରିପାରିବେ ନାହିଁ କି କାହାରି ହସ୍ତରେ ମୋର ମୃତ୍ୟୁ ହେବ ନାହିଁ–ଏହାହିଁ ମୋର ଏକମାତ୍ର ବାଞ୍ଛା ।”

 

ନିଃସଙ୍କୋଚରେ ଏହି ବର ଦେଇ ପ୍ରଜାପତି ବ୍ରହ୍ମା ନିଜ ପୁରୀକୁ ଚାଲିଗଲେ । ଏବେ ମହାବଳରେ ବଳୀୟାନ୍ ହୋଇ ବଳି ହିମାଳୟ ତ୍ୟାଗ କରି ରାଜଧାନୀକୁ ଫେରି ଆସିଲେ । କାଳ କ୍ଷୟ ନ କରି ସେ ଅପରିମିତ ସୈନ୍ୟ ସଂଗ୍ରହ କଲେ ଏବଂ ସେମାନଙ୍କୁ ଘେନି ସ୍ୱର୍ଗରାଜ୍ୟ ଆକ୍ରମଣ କରିବାକୁ ସଦର୍ପରେ ବାହାରିଲେ ।

 

ପୁଣି ସ୍ୱର୍ଗରେ ତୁମୁଳ ସମରର ଆୟୋଜନ ହେଲା । ଏଥର ଦେବତାମାନଙ୍କର ଆଉ ରକ୍ଷା ନାହିଁ । ସେମାନେ ପ୍ରାଣପଣେ ଯେତେ ଚେଷ୍ଟା କଲେ ମଧ୍ୟ ପରିଣାମରେ ଦୈତ୍ୟସେନାମାନଙ୍କଦ୍ୱାରା ପରାଜିତ ହୋଇ ପୃଷ୍ଠଭଙ୍ଗ ଦେଲେ । ଯମ, ବରୁଣ, ପବନ, ତପନ ପ୍ରଭୃତିଙ୍କଠାରୁ ଆରମ୍ଭ କରି ସ୍ୱୟଂ ଇନ୍ଦ୍ରଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜର ପ୍ରାଣ ଘେନି ପଳାଇଗଲେ-। ସ୍ୱର୍ଗରାଜ୍ୟ ଏହିରୂପେ ଦେବତାମାନଙ୍କ ଅଧିକାରରୁ ଚାଲିଯାଇ ଦୈତ୍ୟମାନଙ୍କ ବାସସ୍ଥଳୀରେ ପରିଣତ ହେଲା । ଦେବତାଗଣ ନିରୁପାୟ ହୋଇ ମନୁଷ୍ୟବେଶରେ ଆସି ପୃଥିବୀରେ ବାସ କରିବାକୁ ଲାଗିଲେ ।

 

ଏଣିକି ବଳି ସ୍ୱର୍ଗ ଓ ପୃଥିବୀ ଉଭୟର ଅଧୀଶ୍ୱର ହୋଇ ମହା ଆନନ୍ଦରେ ରାଜତ୍ୱ କରିବାକୁ ଲାଗିଲେ । ଦିନେ ଗୁରୁ ଶୁକ୍ରାଚାର୍ଯ୍ୟ ତାଙ୍କୁ ପରାମର୍ଶ ଦେଲେ–

 

“ଦୈତ୍ୟରାଜ ! ଏଥର ଅଶ୍ୱମେଧ ଯଜ୍ଞ ଅନୁଷ୍ଠାନ କର । ତାହା ନିର୍ବିଘ୍ନରେ ପୂର୍ଣ୍ଣ ହୋଇପାରିଲେ ତୁମେ ସର୍ବକର୍ମରେ ଜୟଲାଭ କରିପାରିବ ।”

 

ଗୁରୁବାକ୍ୟ ଅନୁସାରେ ବଳି ଖୁବ୍ ଆଡ଼ମ୍ବରରେ ଯଜ୍ଞ ଆରମ୍ଭ କରିଦେଲେ । ତାହା ଦେଖି ଦେବତାମାନେ ଶଙ୍କାକୁଳ ହୋଇ ବ୍ରହ୍ମାଙ୍କ ନିକଟରେ ପହଞ୍ଚିଲେ ଏବଂ ଦୈତ୍ୟପତିଙ୍କ ଦୌରାତ୍ମ୍ୟରୁ ଦେବରାଜ୍ୟକୁ ଉଦ୍ଧାର କରିବାପାଇଁ ପ୍ରାର୍ଥନା କଲେ । ବ୍ରହ୍ମା ତ ନିଜେ ବଳିଙ୍କୁ ଅଜେୟ ଓ ଅବାଧ୍ୟ ହେବାର ବର ଦେଇସାରିଛନ୍ତି, ଏବେ ଚାରା କ’ଣ ? ଦେବଗଣଙ୍କ ଦୁର୍ଗତି କଥା ଭାବି ସେ ବଡ଼ ମର୍ମାହତ ହେଲେ ଏବଂ ସଙ୍କଟ କାଳରେ ସର୍ବଶ୍ରେଷ୍ଠ ଆଶ୍ରୟ, ଅଗତିର ଗତି ନାରାୟଣଙ୍କଠାରେ ଶରଣାପନ୍ନ ହେବା ବ୍ୟତୀତ ଉଦ୍ଧାରର ଅନ୍ୟ କୌଣସି ଉପାୟ ଦେଖିଲେ ନାହିଁ-। ତହୁଁ ସେ ଦେବତାମାନଙ୍କୁ ସଙ୍ଗରେ ନେଇ କ୍ଷୀରସାଗରଶାୟୀ ନାରାୟଣଙ୍କ ସମୀପରେ ଉପସ୍ଥିତ ହେଲେ ।

 

Image

[ଧ୍ୟାନମଗ୍ନ ନାରାୟଣଙ୍କୁ ଦେବଗଣଙ୍କ ସ୍ତବ]

 

ସେତେବେଳେ ପ୍ରଭୁ ଧ୍ୟାନରତ ଥାଆନ୍ତି । ସମବେତ ଦେବଗଣଙ୍କ ଆକୁଳ କଣ୍ଠର ଆର୍ତ୍ତନାଦରେ ନାରାୟଣଙ୍କର ଧାନଭଙ୍ଗ ହେଲା । ସେ ଚକ୍ଷୁ ଉନ୍ମୀଳନ କରି ପ୍ରଶାନ୍ତ ଦୃଷ୍ଟିରେ ଅନାଇଲେ । ଦେବବୃନ୍ଦ ଭଗବାନଙ୍କର ସ୍ତବବନ୍ଦନା ଗାଇସାରି ସ୍ୱର୍ଗପୁରୀର ଦୁରବସ୍ଥା ଓ ନିଜ ନିଜର ଦୁଃଖଦୁର୍ଦ୍ଦଶା ବର୍ଣ୍ଣନା କଲେ । ତାହା ଶୁଣି ନାରାୟଣ ସେମାନଙ୍କୁ ଆଶ୍ୱାସନା ଦେଇ କହିଲେ–

 

“ଆପଣମାନେ ଏବେ ଫେରିଯାନ୍ତୁ, ଅଳ୍ପ କାଳ ମଧ୍ୟରେ ମୁଁ ସ୍ୱର୍ଗରାଜ୍ୟରୁ ଦୈତ୍ୟ–ରାଜତ୍ୱ ଲୋପ କରି ଆପଣମାନଙ୍କର ସକଳ ଦୁଃଖ ଅପନୋଦନ କରିବି । ପୁଣି ଆପଣମାନେ ସ୍ୱର୍ଗକୁ ଫେରି ପୂର୍ବପରି ସୁଖରେ କାଳାତିପାତ କରିବେ ।”

 

ଦେବଗଣ ଏବେ ଅଭୟ ପାଇ ନିଶ୍ଚିନ୍ତ ହେଲେ ଏବଂ ନାରାୟଣଙ୍କଠାରୁ ବିଦାୟ ଘେନି ନିଜ ନିଜ ବାସସ୍ଥାନକୁ ଆନନ୍ଦରେ ପ୍ରତ୍ୟାବର୍ତ୍ତନ କଲେ ।

 

ଇତିମଧ୍ୟରେ ଦେବମାତା ଅଦିତି ନିଜ ସନ୍ତାନମାନଙ୍କର ଦୁଃଖ ଦେଖି ବଡ଼ କାତର ହୋଇପଡ଼ିଲେ । ସେମାନେ ସ୍ୱର୍ଗଭ୍ରଷ୍ଟ ହୋଇ ମର୍ତ୍ତ୍ୟରେ ଇତସ୍ତତଃ ବୁଲି ଯେଉଁ କଷ୍ଟ ଭୋଗୁଥିଲେ, ତାହା ଅଦିତିଙ୍କର ମାତୃପ୍ରାଣ ଆଉ ସହ୍ୟ କରିପାରିଲା ନାହିଁ । କିପରି ଦୈତ୍ୟଦର୍ପ ଚୁର୍ଣ୍ଣ ହେବ ଏବଂ ଦେବତାମାନେ ସ୍ୱର୍ଗ ରାଜ୍ୟରେ ଯାଇ ପୁଣି ପ୍ରତିଷ୍ଠିତ ହେବେ, ସେ କେବଳ ଏହା ହିଁ ଚିନ୍ତା କରିବାକୁ ଲାଗିଲେ ।

 

ସନ୍ତାନମାନଙ୍କର ମଙ୍ଗଳ ସାଧନ ଉଦ୍ଦେଶ୍ୟରେ ଦେବମାତା ଶେଷରେ କଠୋର ତପସ୍ୟା ଆରମ୍ଭ କଲେ । ପାନ, ଭୋଜନ ସମସ୍ତ ତ୍ୟାଗ କରି ଏବଂ ପ୍ରଶ୍ୱାସଗ୍ରହଣ ବନ୍ଦ କରି ସେ ମୁଦ୍ରିତ ନୟନରେ ଅହରହ ଭଗବାନଙ୍କୁ ଧାନ କରିବାକୁ ଲାଗିଲେ । ଅଦିତିଙ୍କର ଭକ୍ତିବଳ ଓ ନିଷ୍ଠା ଦେଖି ଭଗବାନଙ୍କ ହୃଦୟ କରୁଣାରେ ଆର୍ଦ୍ର ହୋଇଗଲା । ତପୋମଗ୍ନା ଦେବମାତାଙ୍କ ସମ୍ମୁଖରେ ନବଜଳଧରକାନ୍ତି, ତମାଳଶ୍ୟାମଳତନୁ ଶଙ୍ଖଚକ୍ର–ଗଦାପଦ୍ମାଧାରୀ ନାରାୟଣଙ୍କ ମଧୁରମୂର୍ତ୍ତି ଧୀରେ ଧୀରେ ଭାସି–ଉଠିଲା । ସହସା ଅଦିତିଙ୍କ ନୀଳୋତ୍ପଳ ଡୋଳାଦ୍ୱୟ ଉନ୍ମୀଳିତ ହୋଇଗଲା । ସେ ପ୍ରଭୁଙ୍କର ପାଦପଦ୍ମ ଧରି ତାଙ୍କର ସ୍ତୁତିଗାନ କରିବାକୁ ଲାଗିଲେ । ଭକ୍ତବାଞ୍ଛାକଳ୍ପତରୁ ଭଗବାନ ସନ୍ତୁଷ୍ଟ ଚିତ୍ତରେ କହିଲେ–

 

"ଦେବମାତା ! ଆତ୍ମାକୁ ଘୋର କଷ୍ଟ ଦେଇ ଯେଉଁ ଉଦ୍ଦେଶ୍ୟରେ ଏଭଳି କଠିନ ତପଶ୍ଚରଣ କରୁଛ, ନିଃସଙ୍କୋଚ ମନରେ ତାହା ପ୍ରକାଶ କର । ଯେତେ ଅସାଧ୍ୟ ବା ଅସମ୍ଭବ ହେଉ ପଛକେ, ମୁଁ ତୁମ୍ଭର ପ୍ରାର୍ଥନା ନିଶ୍ଚୟ ପୂରଣ କରିବି । ଏବେ ମନରୁ ଚିନ୍ତା ଦୂର କର ।”

 

ଅଦିତି ବଦ୍ଧାଞ୍ଜଳି ହୋଇ ପ୍ରାର୍ଥନା କଲେ–

 

“ପ୍ରଭୋ ! ମୋ ପୁତ୍ରମାନଙ୍କ ଦୁଃଖ ମୁଁ ସହିପାରୁନାହିଁ । ସେମାନେ ସ୍ୱର୍ଗରୁ ବିତାଡ଼ିତ ହୋଇ ମନୁଷ୍ୟବେଶରେ ପୃଥିବୀରେ ବୁଲୁଛନ୍ତି । ଆଉ ଦୈତ୍ୟମାନେ ସ୍ୱର୍ଗ ରାଜ୍ୟର ସର୍ବେସର୍ବା ହୋଇ ମହାଆନନ୍ଦରେ ସେଠାରେ ରହିଛନ୍ତି । ଆପଣ ଶୀଘ୍ର ଏଥିର ପ୍ରତିକାର କରନ୍ତୁ । ମୋର ପୁତ୍ରମାନେ ଯେପରି ଦୈତ୍ୟଦାଉରୁ ରକ୍ଷା ପାଇବେ ଏବଂ ନିଜର ଅଧିକାର ଫେରିପାଇ ସ୍ୱର୍ଗରାଜ୍ୟରେ ନିଷ୍କଣ୍ଟକ ରୁପେ ବାସ କରିପାରିବେ, ତାହାର ବ୍ୟବସ୍ଥା କରନ୍ତୁ ।”

 

ଅଭୀଷ୍ଟଦାତା ନାରାୟଣ ପ୍ରୀତ ମନରେ କହିଲେ–

 

“ମାତାର ଶୁଭକାମନାରେ ହିଁ ପୁତ୍ରର କଲ୍ୟାଣ । ତୁମେ ଯେତେବେଳେ ସନ୍ତାନମାନଙ୍କର ଦୁର୍ଗତି ଖଣ୍ତନପାଇଁ ଅସହ୍ୟ ଦୁଃଖ ବରଣ କରିଛ, ନିଶ୍ଚୟ ତୁମର ଇଚ୍ଛା ଅଚିରେ ପୁର୍ଣ୍ଣ ହେବ । ମୁଁ ବାମନ ଅବତାର ଗ୍ରହଣ କରି ତୁମରି ଗର୍ଭରୁ ଜାତ ହେବି ଏବଂ ଦୈତ୍ୟରାଜ ବଳିଙ୍କ ଦର୍ପ ଦଳନ କରି ଦେବତାମାନଙ୍କୁ ତାଙ୍କ ଅତ୍ୟାଚାରରୁ ଚିରଦିନ ପାଇଁ ମୁକ୍ତ କରିବି । ତୁମ ପୁତ୍ରଗଣ ଆପଣାର ଅଧିକାର ପୁନଃ ପ୍ରାପ୍ତ ହୋଇ ଅତ୍ୟଳ୍ପ କାଳମଧ୍ୟରେ ସ୍ୱର୍ଗପୁର ଭୋଗ କରିବେ-।"

 

ଏହା କହି ନାରାୟଣ ସେଠାରୁ ଅଦୃଶ୍ୟ ହୋଇଗଲେ । ଦେବମାତା ଅଦିତି ନିଜ ଜନ୍ମକୁ ସାର୍ଥକ ବୋଲି ମନେ କଲେ । ନିଖିଳ ବ୍ରହ୍ମାଣ୍ଡ ଯାହାଙ୍କ ଲୋମକୂପରେ ବିରାଜିତ, ମହାଜ୍ଞାନୀ ଯୋଗିବୃନ୍ଦ ସାରା ଜୀବନ ଧ୍ୟାନ କରି ମଧ୍ୟ ଯାହାଙ୍କ ତତ୍ତ୍ୱରୁ କଣିକାଏ ସୁଦ୍ଧା ବୁଝି ପାରି ନାହାନ୍ତି, ସେହି ବିରାଟ ପୁରୁଷଙ୍କୁ ଗର୍ଭରେ ଧାରଣ କରିବା କ’ଣ ସାମାନ୍ୟ ଭାଗ୍ୟର କଥା ! ଅଦିତି ଉଦ୍‍ବେଗପୂର୍ଣ୍ଣ ହୃଦୟରେ ଆଶ୍ରମରେ ପହଞ୍ଚି ସ୍ୱାମୀ କଶ୍ୟପ ମୁନିଙ୍କୁ ସମସ୍ତ ବୃତ୍ତାନ୍ତ ଜଣାଇଲେ ।

 

ସତକୁସତ କିଛିଦିନପରେ ଅଦିତି ଦେବୀଙ୍କର ଗର୍ଭସଞ୍ଚାର ହେଲା । ପତ୍ନୀଙ୍କ ଦେହର ଆଭାରୁ କଶ୍ୟପ ବୁଝିପାରିଲେ ଯେ, ନାରାୟଣ ନିଶ୍ଚୟ ତାଙ୍କ କୁଟୀରକୁ ଉଭାସିତ କରିବେ । ଯଥାସମୟରେ ଅଦିତିଙ୍କ ଗର୍ଭରୁ ବାମନ ଆକୃତିର ଏକ ପୁତ୍ରସନ୍ତାନ ଭୂମିଷ୍ଠ ହେଲା । ଜନ୍ମମାତ୍ରେ ସନ୍ତାନଟି କଶ୍ୟପଙ୍କୁ କହିଲା–

 

("ପିତା ! ଏହିକ୍ଷଣି ମୋର ପ୍ରାଥମିକ ସଂସ୍କାର କରିବା ସଙ୍ଗେ ସଙ୍ଗେ ଉପନୟନ କାର୍ଯ୍ୟ ମଧ୍ୟ ସମାପନ କରନ୍ତୁ ।")

 

କଶ୍ୟପ ତତକ୍ଷଣାତ୍ ପୁତ୍ରର ଉପନୟନ ଶେଷ କଲେ । ଉପବୀତଧାରା ବାମନ ତହୁଁ ପିତାଙ୍କୁ କହିଲେ–

 

“ଦୈତ୍ୟରାଜ ବଳି ଯେଉଁ ଅଶ୍ୱମେଧ ଯଜ୍ଞ କରୁଥିଲେ, ତାହା ପ୍ରାୟ ସମାପ୍ତ ହେବା ଉପରେ । ମୁଁ ଦାନ ଗ୍ରହଣ କରିବା ଉଦ୍ଦେଶ୍ୟରେ ସେହିଠାକୁ ଯାଉଛି ।”

 

ଏହା କହି ବାମନ କ୍ଷଣମାତ୍ର ବିଳମ୍ବ ନ କରି ବଳିଧାମକୁ ଯାତ୍ରା କଲେ । ସେ ଯାଇ ଯଜ୍ଞଭୂମିର ଦ୍ୱାରଦେଶରେ ଉପସ୍ଥିତ ହୁଅନ୍ତେ ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟ ତାହା ଜାଣିପାରିଲେ ଏବଂ ବଳିଙ୍କୁ ସତର୍କ କରାଇ କହିଲେ–

 

“ଦୈତ୍ୟରାଜ ! ବିଷମ ସମୟ ଉପସ୍ଥିତ ହେଲା । ପ୍ରଭୁ ନାରାୟଣ ବାମନବେଶ ଧରି ତୁମକୁ ଛଳନା କରିବାକୁ ଆସୁଛନ୍ତି । ସାବଧାନ, ତାଙ୍କୁ ଯେପରି କୌଣସି ଦାନ ନ ଦିଅ ।”

 

ଏହି ଆଦେଶକୁ ନିର୍ବିଚାରରେ ପ୍ରତ୍ୟାଖ୍ୟାନ କରି ଦାନଶୌଣ୍ଡ ବଳି ଉତ୍ତର ଦେଲେ–

 

“ଗୁରୁଦେବ ! କ୍ଷମା କରନ୍ତୁ, ମୁଁ ଏଭଳି ଆଦେଶ ପାଳନ କରିପାରିବି ନାହିଁ । ଯଦି ନାରାୟଣ ସ୍ୱଇଚ୍ଛାରେ ଆସି ମୋର ଯଜ୍ଞସ୍ଥଳୀକୁ ପଦରେଣୁ ଦ୍ୱାରା ପୂତ କରନ୍ତି, ତାହାହେଲେ ମୋଠାରୁ ବଳି ଭାଗ୍ୟଶାଳୀ ଆଉ କେହି ନାହିଁ । ଏପରି ଅବସ୍ଥାରେ ଆବଶ୍ୟକ ହେଲେ ସର୍ବସ୍ୱ ଦାନ କରି ମଧ୍ୟ ତାହାଙ୍କୁ ସନ୍ତୁଷ୍ଟ କରିବା ମୋ ପକ୍ଷରେ ଉଚିତ ହେବ ନାହିଁ କି ? ”

 

ଶୁକ୍ରାଚାର୍ଯ୍ୟ ଏ ଉତ୍ତର ଶୁଣି ବିରକ୍ତ ହୋଇ ଚାଲିଗଲେ । ଠିକ୍ ତାର ପରେ ପରେ ବାମନ ଆସି ଯଜ୍ଞସଭାରେ ଉପନୀତ ହେଲେ । ସହସା ତାଙ୍କ ଉଜ୍ଜ୍ୱଳ ଜ୍ୟୋତିରେ ଚତୁର୍ଦ୍ଦିଗ ଝଲସି ଉଠିଲା । ବଳି ପାଦ୍ୟ–ଅର୍ଘ୍ୟଦ୍ୱାରା ତାଙ୍କୁ ଯଥୋଚିତ ପୂଜା କରିସାରି କର ଯୋଡ଼ି ନିବେଦନ କଲେ–

 

“କହନ୍ତୁ ବାମନ ! ଆପଣଙ୍କର କ’ଣ ଇଚ୍ଛା ? ଆପଣ ଯାହା ପ୍ରାର୍ଥନା କରିବେ, ମୁଁ ଅକୁଣ୍ଠିତ ଚିତ୍ତରେ ତାହା ଦାନ କରିବାପାଇଁ ପ୍ରସ୍ତୁତ ଅଛି ।”

 

ବାମନରୂପୀ ନାରାୟଣ କପଟହାସ୍ୟ ହସି କହିଲେ–

 

“ମୁଁ ଜଣେ ବ୍ରାହ୍ମଣ ବାଳକ । ଧନ, ଜନ, ଗୋପ, ଲକ୍ଷ୍ମୀ କାହିଁରେ ମୋର ଅଭିଳାଷ ନାହିଁ-। ତପସ୍ୟା ହିଁ ମୋର ଏକମାତ୍ର କାମ୍ୟ । ତିନୋଟି ପାଦ ରହିବା ଭଳି ଖଣ୍ତିଏ ଜାଗା ମିଳିଗଲେ, ମୁଁ ସେହିଠାରେ ବସି ପରମ ଶାନ୍ତିରେ ତପସ୍ୟା ସାଧନ କରିପାରିବି । ତେଣୁ ହେ ଦୈତ୍ୟରାଜ ! ମୋତେ ସେହି ତ୍ରିପାଦ ପରିମିତ ଭୂମି ଦାନ କର ।”

 

ଏଭଳି ଗୋଟାଏ ତୁଚ୍ଛା ଦାନ ଦେବାକୁ ଦେବ ଭାବି ବଳି ବଡ଼ ଦୁଃଖିତ ହୋଇ କହିଲେ–

 

“ହେ ବଟୁ ! ତିନିପାଦ ମାତ୍ର ଭୂମି ଯଦି ମୁଁ ଦାନ କରେ ତାହାହେଲେ ରାଜ୍ୟରେ ମୋର କଳଙ୍କ ରଟିତ ହେବ । ତେଣୁ ସେହି ଭୂମି ସହିତ ଧନ–ସମ୍ପଦ, ଗ୍ରାମ–ନଗର, ରାଜ୍ୟ–ରାଜପୁରୀ ଆଉ ଯାହା ଇଚ୍ଛା ମାଗନ୍ତୁ ।”

 

ବାମନ ଈଷତ୍ ହସି କହିଲେ–

 

“ସେହି ତିନିପାଦ ଭୂମି ହିଁ ମୋ ପକ୍ଷରେ ଯଥେଷ୍ଟ । ସେତକ ପାଇପାରିଲେ ମୁଁ ତୃପ୍ତ ହେବି । ତାହାଛଡ଼ା ଜଗତର ଅନ୍ୟ କୌଣସି ଦ୍ରବ୍ୟରେ ମୋର ଆଶା ନାହିଁ ।”

 

ବଳି ଏବେ ତ୍ରିପାଦ ଭୂମି ଦାନ ଦେବାପାଇଁ ପ୍ରସ୍ତୁତ ହେଲେ । ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟ ଦୁରରୁ ଏହା ଦେଖି ଦାନକାର୍ଯ୍ୟଟିକୁ ପଣ୍ଡ କରିଦେବାପାଇଁ ଏକ ଉପାୟ କଲେ । ବଳି ଭୃଙ୍ଗାରଟିଏ ଧରି ବାମନଙ୍କ ହସ୍ତରେ ଜଳ ଢାଳିବାକୁ ଉଦ୍ୟତ ହେବା ସମୟରେ ଶୁକ୍ରାଚାର୍ଯ୍ୟ ଏକ କ୍ଷୁଦ୍ର ବଜ୍ରକୀଟ ହୋଇଯାଇ ଭୃଙ୍ଗାର ମଧ୍ୟକୁ ପଶିଗଲେ ଏବଂ ତତ୍‍ସଂଲଗ୍ନ ନଳମୁଖରେ ଲୁଚିରହି ଜଳକୁ ଅଟକାଇ ରଖିଲେ । ଫଳରେ ନଳ ମୁଖରୁ ଆଉ ଜଳ ନିର୍ଗମନ ହେଲା ନାହିଁ । ଏହା ଦେଖି ଦୈତ୍ୟପତି ଲଜ୍ଜିତ ହୋଇଗଲେ ।

 

ବାମନବେଶଧାରୀ ନାରାୟଣଙ୍କୁ କେଉଁ କଥା ବା ଅଜଣା ? ସେ ମୃଦୁହାସ୍ୟ କରି କହିଲେ–

 

“ଦୈତ୍ୟରାଜ ! ବିବ୍ରତ ହୁଅ ନାହିଁ । ଖଣ୍ଡିଏ ତୀକ୍ଷଣାଗ୍ର କୁଶରେ ନଳମୁଖଟିକୁ ପରିଷ୍କାର କରିଦିଅ, ତାହାହେଲେ ସହଜରେ ଜଳ ବାହାରିଆସିବ ।”

 

ବଳି ସଙ୍ଗେ ସଙ୍ଗେ ଖଣ୍ଡିଏ କୁଶ ନେଇ ତାହାର ଅଗ୍ରଭାଗକୁ ଭୃଙ୍ଗାରର ନଳମଧ୍ୟରେ ପ୍ରବେଶ କରାଇଲେ । ତାହା ବଜ୍ରକୀଟ ଚକ୍ଷୁରେ ବଜ୍ରଭଳି ଏପରି ଜୋରରେ ଆଘାତ କଲା ଯେ, ତାହାରି ଫଳରେ ଛଦ୍ମବେଶୀ ଶୁକ୍ରାଚାର୍ଯ୍ୟ କଣା ହୋଇଗଲେ ଏବଂ ଅସ୍ତବ୍ୟସ୍ତ ହୋଇ ଭୃଙ୍ଗାର ଛାଡ଼ି ପଳାଇଗଲେ ।

 

ଏଥର ଭଙ୍ଗାରରୁ ଜଳ ନିର୍ଗତ ହେଲା । ବଳି ହୃଷ୍ଟ ହୋଇ ବାମନଙ୍କୁ ତ୍ରିପାଦ ଭୂମି ଗ୍ରହଣ କରିବା ଲାଗି ଅନୁରୋଧ କଲେ । ତାହା ଶୁଣି ବାମନ ଏକ ବିରାଟ ମୂର୍ତ୍ତି ଧାରଣ କଲେ । ତାଙ୍କର ମସ୍ତକ ଆକାଶ ଭେଦକରି ଅତି ଊର୍ଦ୍ଧ୍ୱରେ ଶୋଭିତ ହେଲା । ସମଗ୍ର ତ୍ରିଭୁବନ ତାଙ୍କରି ଦେହମଧ୍ୟରେ ଲୀନ ହୋଇଗଲାପରି ଜଣାଗଲା । ପରମ ପୁରୁଷ ନାରାୟଣଙ୍କର ସେହି ସର୍ବବ୍ୟାପୀ ଆକୃତି ଦେଖି ବଳି ତଟସ୍ଥ ହୋଇଗଲେ ଏବଂ ଭୟବିହ୍ୱଳ ପ୍ରାଣରେ ତାଙ୍କର ସ୍ତୁତି କରିବାକୁ ଲାଗିଲେ ।

 

ଏଥର ବାମନ ନିଜର ଏକ ପାଦରେ ସମସ୍ତ ମର୍ତ୍ତ୍ୟଲୋକକୁ ଅବରୋଧ କଲେ ଏବଂ ଅନ୍ୟ ପାଦଟିରେ ସପ୍ତ ସ୍ୱର୍ଗକୁ ଆବୃତ୍ତ କରିଦେଲେ । ଏହି ସମୟରେ ତାଙ୍କର ନାଭି ଗହ୍ୱରରୁ ଆଉ ଗୋଟିଏ ପାଦ ଉଦ୍‍ଗମ ହେଲା । ସେହି ପାଦଟିକୁ ରଖିବାପାଇଁ ସ୍ଥାନ ନ ମିଳିବାରୁ ବାମନ ପଚାରିଲେ–

 

“ହେ ଦାନବୀର ! ମୁଁ ଏବେ ତୃତୀୟ ପାଦଟିକୁ କେଉଁଠାରେ ସ୍ଥାପନ କରିବି ! ଶୀଘ୍ର ଏହାପାଇଁ ସ୍ଥାନ ନିର୍ଦ୍ଦେଶ କରି ତୁମେ ନିଜର ପ୍ରତିଜ୍ଞା ସାର୍ଥକ କର ।”

 

ଭକ୍ତଶ୍ରେଷ୍ଠ ବଳି ସେହିକ୍ଷଣି ନିଜର ଶିର ଦେଖାଇଦେଇ ନିବେଦନ କଲେ–

 

“ପ୍ରଭୋ ! ଏଇ ନିଅନ୍ତୁ ମୋର ମସ୍ତକ । ଏହାରି ଉପରେ ଆପଣ ତୃତୀୟ ପାଦଟିକୁ ସ୍ଥାପନ କରନ୍ତୁ ।”

 

ବାମନବେଶୀ ନାରାୟଣ ସଙ୍ଗେ ସଙ୍ଗେ ବଳିରାଜାଙ୍କ ମସ୍ତକକୁ ପାଦରେ ଚାପିଦେଇ ତାହାଙ୍କୁ ରସାତଳକୁ ପଠାଇ ଦେଲେ । ସେହିଠାରେ ବଳି କିଛିକାଳ ନାଗପାଶରେ ଆବଦ୍ଧ ହୋଇ ରହିଲେ ।

 

ଏହା ଦେଖି ମର୍ତ୍ତ୍ୟବାସୀ ସମସ୍ତ ଦେବତା ମନୁଷ୍ୟବେଶ ଛାଡ଼ି ମହା ଆନନ୍ଦରେ ସ୍ୱର୍ଗକୁ ଧାଇଁଲେ । ନାରାୟଣଙ୍କ ପ୍ରସାଦରୁ ସେମାନେ ପୁଣି ନିଜର ସ୍ୱର୍ଗରାଜ୍ୟ ଅଧିକାର କରି ଦୈତ୍ୟମାନଙ୍କୁ ସେଠାରୁ ତଡ଼ିଦେଲେ ।

Image

 

ଶତ୍ରୁ ପ୍ରତି କ୍ଷମା

 

ଦ୍ୟୁତକ୍ରୀଡ଼ାରେ ପରାଜିତ ହେବାପରେ ପଣ ଅନୁଯାୟୀ ଯୁଧିଷ୍ଠିରଙ୍କୁ ଭ୍ରାତୃଗଣ ଓ ଦ୍ରୌପଦୀଙ୍କ ସହିତ ବନବାସ କରିବାକୁ ପଡ଼ିଲା । ଖଳମତି ଦୁର୍ଯ୍ୟୋଧନ ଏହିରୂପେ ପାଣ୍ଡବମାନଙ୍କୁ ରାଜ୍ୟଚ୍ୟୁତ କଲେ ଏବଂ ସମଗ୍ର ରାଜ୍ୟର ଏକାଙ୍ଗ ଚକ୍ରବର୍ତ୍ତୀ ହୋଇ ଏକଛତ୍ର ଶାସନ ଚଳାଇଲେ । ଏତେଦିନେ ତାଙ୍କର ଚକ୍ରାନ୍ତ ଫଳପ୍ରସୂ ହେବାରୁ ସେ ପରମ ଆନନ୍ଦରେ କାଳାତିପାତ କରିବାକୁ ଲାଗିଲେ ।

 

ଏକେତ ଦୁର୍ଯ୍ୟୋଧନ ଅତି ନୀଚମନା ଓ ଅହଙ୍କାରୀ, ତାହିଁରେ ପୁଣି ଦୁଷ୍ଟବୁଦ୍ଧି ଶକୁନି ତାହାଙ୍କୁ ଅବିରତ ନାନା କୁମନ୍ତ୍ରଣା ଦେଉଥିଲେ । ତେଣୁ ଦୁର୍ଯ୍ୟୋଧନଙ୍କ ଅନ୍ତର ପାଣ୍ଡବମାନଙ୍କ ପ୍ରତି ଦିନକୁଦିନ ଅଧିକ ଇର୍ଷାନ୍ୱିତ ହୋଇଉଠିଲା । ନିରୀହ ପାଣ୍ଡବମାନଙ୍କୁ ରାଜ୍ୟରୁ ବିତାଡ଼ିତ କରି ମଧ୍ୟ ସେ ତୃପ୍ତିଲାଭ କରିପାରିଲେ ନାହିଁ । ଦାସଦାସୀଙ୍କ ସେବା, ବନ୍ଧୁବାନ୍ଧବଙ୍କ ସ୍ନେହପ୍ରୀତି, ରାଜପୁରୀର ଭୋଗବିଳାସ ଏ ସମସ୍ତ ସୁଖସମ୍ଭୋଗରୁ ବଞ୍ଚିତ ହୋଇ ଯୁଧିଷ୍ଠିର ବନମଧ୍ୟରେ କୁଟୀର ରଚନାପୂର୍ବକ ଭାର୍ଯ୍ୟା ଓ ଭ୍ରାତାମାନଙ୍କ ସହ କିପରି ଦୀନହୀନ ଭାବରେ ଦିନ କଟାଉଛନ୍ତି, ତାହା ସ୍ୱଚକ୍ଷୁରେ ଦେଖିବାପାଇଁ ତାଙ୍କର ପ୍ରବଳ ଇଚ୍ଛା ହେଲା । ଦୁର୍ଯ୍ୟୋଧନ ଅତ୍ୟନ୍ତ ଇର୍ଷାଳୁ ଥିବାରୁ ଶତ୍ରୁଙ୍କ ଦୁଃଖଦୈନ୍ୟ ଦେଖିଲେ ତାଙ୍କ ପ୍ରାଣରେ ଅପାର ଆନନ୍ଦ ଓ ତୃପ୍ତି ଜାତ ହେବା ସ୍ୱାଭାବିକ ।

 

ଦୁର୍ଯ୍ୟୋଧନ ଏହି ସିଦ୍ଧାନ୍ତ କଲେ ସତ୍ୟ; ମାତ୍ର ଏ ହୀନ ଉଦ୍ଦେଶ୍ୟଟି ପ୍ରଘଟ ହୋଇଗଲେ ରାଜ୍ୟଲୋକେ ତାଙ୍କର ନିନ୍ଦା ରଟିବେ, ଏଥିପାଇଁ ସେ ଏକ ଛଳନାର ଆଶ୍ରୟ ନେଲେ-। ଫଳରେ ସର୍ବତ୍ର ପ୍ରଚାରିତ ହେଲା ଯେ, ରାଜା ଦୁର୍ଯ୍ୟୋଧନ ଘୋଷପଲ୍ଲୀ ଦର୍ଶନ କରିବାପାଇଁ ଯିବେ । ପ୍ରଜାମାନେ ତାହାହିଁ ବିଶ୍ୱାସ କଲେ ।

 

ଯାତ୍ରାର ଦିନ ନିର୍ଦ୍ଧାରିତ ହେଲା । ଯଥାସମୟରେ ଦୁର୍ଯ୍ୟୋଧନ ଅଗଣିତ ଦାସଦାସୀ, ସହଚର, ଅମାତ୍ୟ, ସେନା, ଭ୍ରାତୃଗଣ ଓ ଯାନବାହନ ସଙ୍ଗରେ ଘେନି ମହାଆଡ଼ମ୍ବରରେ ଘୋଷପଲ୍ଲୀ–ଅଭିମୁଖରେ ଯାତ୍ରା କଲେ । ସେଠାରେ ଲୋକେ ଆଗରୁ ବ୍ୟଗ୍ରଭାବରେ ଅପେକ୍ଷା କରି ରହିଥିଲେ । ଦୁର୍ଯ୍ୟୋଧନ ଉପସ୍ଥିତ ହେଲାମାତ୍ରେ ସେମାନେ ତାଙ୍କୁ ମହାସମାଦରରେ ଅଭିନନ୍ଦନ କଲେ ଏବଂ ରାଜଦର୍ଶନ ଲାଭ କରି ଜୀବନକୁ ଧନ୍ୟ ମଣିଲେ ।

 

ଦୁର୍ଯ୍ୟୋଧନ ସେହି ଘୋଷପଲ୍ଲୀରେ କେତୋଟି ଦିନ ମାତ୍ର ଅବସ୍ଥାନ କଲେ । ଯୁଧିଷ୍ଠିରାଦି ସେତେବେଳେ ଯେଉଁ ବନରେ ବାସ କରୁଥିଲେ, ତାହା ଉକ୍ତ ଘୋଷପଲ୍ଲୀଠାରୁ ଅଳ୍ପ ଦୂରବର୍ତ୍ତୀ । ପାଣ୍ଡବମାନଙ୍କର ଦୁର୍ଦ୍ଦଶା ସୂଚକ୍ଷୁରେ ଦେଖି ଆନନ୍ଦ ଉପଭୋଗ କରିବା'ତ ଦୁର୍ଯ୍ୟୋଧନଙ୍କର ପ୍ରଧାନ ଉଦ୍ଦେଶ୍ୟ ଥିଲା, ତେଣୁ ସେ ଘୋଷପଲ୍ଲୀ ତ୍ୟାଗ କରି ସେହି ବନ ମଧ୍ୟକୁ ସଦଳବଳରେ ପ୍ରବେଶ କଲେ ଏବଂ ଗୋଟିଏ ମୁକ୍ତ ସ୍ଥାନ ନିର୍ବାଚନ କରି ସେହିଠାରେ ଶିବିର ସ୍ଥାପନ କଲେ ।

 

ଶିବିରର କିୟଦ୍ଦୂରରେ ଏକ ବିଶାଳ ରମଣୀୟ ସରୋବର ଥିଲା । ଗନ୍ଧର୍ବରାଜ ଚିତ୍ରସେନ ନିଜର ଅନୁଚରବର୍ଗଙ୍କ ସହିତ ସେହି ସରୋବର ତୀରରେ କିଛିଦିନ ହେଲା ବାସ କରୁଥିଲେ । ଦୁର୍ଯ୍ୟୋଧନ ସ୍ୱୀୟ ଅନୁଚର ଓ ଭ୍ରାତା ପ୍ରଭୁତିଙ୍କ ଗହଣରେ ଦିନେ ବନରେ ବୁଲୁ ବୁଲୁ ଚିତ୍ରସେନଙ୍କର ବାସସ୍ଥାନର ନିକଟବତ୍ତୀ ହେଲେ । ତାହା ଦେଖି ଗନ୍ଧର୍ବରାଜଙ୍କ ଭୁତ୍ୟମାନେ ସେଠାକୁ ଯିବାପାଇଁ ସେ ସମସ୍ତଙ୍କୁ ନିଷେଧ କଲେ । ମାତ୍ର ଉକ୍ତ ନିଷେଧକୁ ଭ୍ରୁଷେପ ନ କରି ଦୁର୍ଯ୍ୟୋଧନଙ୍କ ଇଙ୍ଗିତ ଅନୁସାରେ ତାଙ୍କର ସମସ୍ତ ଲୋକ ଚିତ୍ରସେନଙ୍କ ଆବାସ ଆଡ଼କୁ ବଳପୂର୍ବକ ଅଗ୍ରସର ହେଲେ ।

 

ଏହି ଘଟଣାରେ ଗନ୍ଧର୍ବରାଜାଙ୍କ ଭୃତ୍ୟଗଣ ବଡ଼ କ୍ରୁଦ୍ଧ ହୋଇଉଠିଲେ । ଦୁର୍ଯ୍ୟୋଧନଙ୍କ ଲୋକେ ମଧ୍ୟ ବିପକ୍ଷ ଦଳପ୍ରତି ହେୟଜ୍ଞାନ ପ୍ରକାଶ କଲେ । ଫଳରେ ଦୁଇପକ୍ଷ ମଧ୍ୟରେ ଭୀଷଣ ଯୁଦ୍ଧ ଉପସ୍ଥିତ ହେଲା । କିଛିସମୟ ସମାନଭାବରେ ଯୁଦ୍ଧ ଚାଲିଲା ସତ୍ୟ କିନ୍ତୁ ଅବଶେଷରେ ଦୁର୍ଯ୍ୟୋଧନ ପରାଜିତ ହୋଇ ନିଜର ସେନା, ଅନୁଚର ଓ ଭ୍ରାତାନାନଙ୍କ ସହିତ ଗନ୍ଧର୍ବରାଜାଙ୍କ ହସ୍ତରେ ବନ୍ଦୀ ହେଲେ ।

 

ନିଜେ ରାଜା ଦୁର୍ଯ୍ୟୋଧନ ବନ୍ଦୀରୂପେ ସରୋବର-ତୀରରେ ଆବଦ୍ଧ ହୋଇ ରହିବାରୁ ତାଙ୍କର ଅମାତ୍ୟ, ସହଚର ଓ ସେନାଦଳ ତ୍ରସ୍ତ ହୋଇ ପଡ଼ିଲେ । ଦୁର୍ଯ୍ୟୋଧନଙ୍କୁ ଶତ୍ରୁ ହସ୍ତର କିପରି ଉଦ୍ଧାର କରିବେ, ସେମାନେ ତାହାରି ଉପାୟ ଚିନ୍ତା କଲେ । ଯୁଧିଷ୍ଠିରଙ୍କର ଆଶ୍ରୟପ୍ରାର୍ଥୀ ହେବାହିଁ ବନ୍ଧନମୁକ୍ତିର ଏକମାତ୍ର ପନ୍ଥା ବୋଲି ସର୍ବଶେଷରେ ସ୍ଥିରୀକୃତ ହେଲା । ତେଣୁ ଦୁର୍ଯ୍ୟୋଧନଙ୍କ ଲୋକେ ସଙ୍ଗେ ସଙ୍ଗେ କୁଟୀରବାସୀ ଯୁଧିଷ୍ଠିରଙ୍କ ନିକଟରେ ଉପସ୍ଥିତ ହେଲେ ଏବଂ ତାଙ୍କର ଶରଣାଗତ ହୋଇ କାତରଭାବରେ ନିବେଦନ କଲେ–

 

“ଧର୍ମରାଜ ! ଆମ୍ଭେମାନେ ଏକ ଦାରୁଣ ଦୁଃସମ୍ବାଦ ଘେନି ଆପଣଙ୍କ ନିକଟକୁ ଆସିଛୁଁ । ରାଜା ଦୁର୍ଯ୍ୟୋଧନ ନିଜର ଅନୁଚର, ସେନା ଓ ଦୁଃଶାସନାଦି ଭ୍ରାତାଙ୍କ ସହିତ ଗନ୍ଧର୍ବରାକ ଚିତ୍ରସେନଙ୍କଦ୍ୱାରା ବନ୍ଦୀ ହୋଇଛନ୍ତି । ଆପଣ ଅତି ଶୀଘ୍ର ସେମାନଙ୍କୁ ଶତ୍ରୁ କବଳରୁ ମୁକ୍ତ କରି ହସ୍ତିନା ରାଜବଂଶର ସମ୍ମାନ ରକ୍ଷା କରନ୍ତୁ ।”

 

ଏହି ଦୁଃସମ୍ବାଦ ଶୂଣିବାମାତ୍ରେ ଯୁଧିଷ୍ଠିର ବଡ଼ ବିବ୍ରତ ହୋଇପଡ଼ିଲେ । ସେ ସେହିକ୍ଷଣି ସ୍ୱୀୟ ଭ୍ରାତାମାନଙ୍କୁ ଆଦେଶ ଦେଲେ–

 

“ଅବିଳମ୍ବେ ସରୋବର ତୀରକୁ ଯାଅ ଏବଂ ଦୁର୍ଯ୍ୟୋଧନ ପ୍ରଭୃତିଙ୍କୁ ଗନ୍ଧର୍ବରାଜ ହସ୍ତରୁ ମୁକୁଳାଇ ଘେନିଆସ ।”

 

ତାହାଶୁଣି ମହାବଳ ଭୀମ ପ୍ରତିବାଦ କରି ଅଗ୍ରଜଙ୍କୁ କହିଲେ–

 

“ଏ କ୍ଷେତ୍ରରେ ଆପଣ ଏତେ ଦୟାପବଣ ହେବା ଉଚିତ ନୁହେଁ । ଆପଣଙ୍କ ଆଜ୍ଞାକୁ ଲଙ୍ଘନ କରିବାର ସାହସ ନ ଥିଲେହେଁ ସ୍ୱତଃପ୍ରବୃତ୍ତ ହୋଇ ପାଳନ କରିବାକୁ ମୋର ଇଚ୍ଛା ହେଉନାହିଁ । ଯେ ଚିରଶତ୍ରୁ ହୋଇ ଆମ୍ଭମାନଙ୍କର ଘୋର ଅନିଷ୍ଟ ସାଧନ କରି ଆସିଛନ୍ତି ଏବଂ ଯାହାଙ୍କର ଜଘନ୍ୟ ଷଡ଼ଯନ୍ତ୍ର ଯୋଗୁଁ ଆମ୍ଭେମାନେ ରାଜ୍ୟ-ସମ୍ପଦ ହରାଇ ଆଜି ବନବାସୀ ହୋଇଥାଇଁ, ସେହି ପାପାତ୍ମା ରାଜ୍ୟଲୋଭୀ ଦୁର୍ଯ୍ୟୋଧନଙ୍କୁ ଉଦ୍ଧାର କରିବାକୁ ଆପଣ କିପରି ଆଦେଶ ଦେଉଛନ୍ତି ?”

 

ଧୈର୍ଯ୍ୟଶୀଳ ଯୁଧିଷ୍ଠିର ଅସହନ ଭୀମକୁ ସ୍ନେହ ମଧୁର ଭାଷାରେ ବୁଝାଇ କହିଲେ–

 

“ଶତ୍ରୁ ହିଁ ସବୁବେଳେ ଦୟାର ପାତ୍ର । ଦୁର୍ଯ୍ୟୋଧନ ଆମର ଯେତେ କ୍ଷତି କରିଥାନ୍ତୁ ପଛକେ, ଆଜି ସେ ବନ୍ଦୀ । ତାଙ୍କୁ ଏଭଳି ବିପଦରୁ ଉଦ୍ଧାର କରିବାରେ ହିଁ ଆମର ମନୁଷ୍ୟତା ପ୍ରକଟିତ ହେବ । ତେଣୁ ସମସ୍ତ ଶତ୍ରୁଭାବ ମନରୁ ଭୁଲିଯାଇ ଦୁର୍ଯ୍ୟୋଧନାଦିଙ୍କୁ ଯେ କୌଣସିପ୍ରକାରେ ଚିତ୍ରସେନ–ହସ୍ତରୁ ମୁକ୍ତ କର । ତାହା ନ ହେଲେ ଚିରଦିନ ଆମ୍ଭମାନଙ୍କର ଜୀବନରେ ଏହା ଗୋଟିଏ କଳଙ୍କ ହୋଇ ରହିଯିବ ।”

 

ଆଉ ଯୁକ୍ତି କରବାକୁ ଅବସର ରହିଲା ନାହିଁ । ଜ୍ୟେଷ୍ଠଭ୍ରାତାଙ୍କ ଆଦେଶ ପାଳନ କରିବା ଲାଗି ଭୀମ, ଅଜ୍ଜୁନ, ନକୁଳ, ସହଦେବ ସମସ୍ତେ ତତ୍ପର ହୋଇ ଉଠିଲେ । ସେମାନେ ଗନ୍ଧର୍ବମାନଙ୍କୁ ଯାଇ କହିଲେ–

 

“ଦୁର୍ଯ୍ୟୋଧନ ଓ ତାଙ୍କ ଭ୍ରାତାମାନଙ୍କୁ ବନ୍ଦୀ କରି ତୁମ୍ଭେମାନେ ଘୋର ଅନ୍ୟାୟ କରିଛ । ଧର୍ମରାଜ ଯୁଧିଷ୍ଠିରଙ୍କ ଆଦେଶାନୁସାରେ ଏହିକ୍ଷଣି ସେମାନଙ୍କୁ ବନ୍ଧନରୁ ମୁକ୍ତ କରିଦିଅ ।”

 

ଦୁର୍ଯ୍ୟୋଧନ ପ୍ରଭୃତିଙ୍କୁ ଛାଡ଼ିଦେବାପାଇଁ ଗନ୍ଧର୍ବମାନେ ସମ୍ମତ ହେଲେ ନାହିଁ । ଫଳରେ ଯୁଦ୍ଧ ଅନିବାର୍ଯ୍ୟ ହୋଇପଡ଼ିଲା । ପାଣ୍ଡବ ଚାରି ଭାଇ ଏବଂ ଗନ୍ଧର୍ବଗଣ ପ୍ରବଳଭାବରେ ପରସ୍ପରକୁ ଆକ୍ରମଣ କଲେ । ମାତ୍ର ଅଳ୍ପ କ୍ଷଣ ପରେ ଗନ୍ଧର୍ବମାନେ ପରାସ୍ତ ହୋଇ ପୃଷ୍ଠଭଙ୍ଗ ଦେବାକୁ ବସିଲେ । ତାହା ଦେଖି ଗନ୍ଧର୍ବରାଜ ଚିତ୍ରସେନ ବଡ଼ ସଙ୍କଟରେ ପଡ଼ିଲେ । ବିଜୟର ସମସ୍ତ ଆଶାକୁ ବିସର୍ଜନ ଦେଇ ସେ ହଠାତ୍ ଅର୍ଜ୍ଜୁନଙ୍କ ନିକଟକୁ ଧାଇଁ ଆସି କହିଲେ–

 

“ହେ ମହାବୀର ! ତୁମର ଅପରିସୀମ ଭୁଜବଳ ଜଗତରେ ସର୍ବତ୍ର ବିଦିତ । ମୋର ଅନୁଚରମାନେ ତୁମକୁ ଚିହ୍ନି ନ ପାରି ଯୁଦ୍ଧ ଆରମ୍ଭ କରିଦେଲେ । ସେଥିପାଇଁ ମୁଁ ବଡ଼ ମର୍ମାହତ । ତୁମେ ବୋଧହୁଏ ମୋତେ ଭୁଲିଯାଇଛ । ଥରେ ଭଲକରି ଅତୀତ କଥା ସ୍ମରଣ କର । ତୁମକୁ ଇତିପୂର୍ବରୁ ଯେ ଗାନ୍ଧର୍ବବିଦ୍ୟା ଶିକ୍ଷା ଦେଇଥିଲା, ମୁଁ ତୁମର ବନ୍ଧୁ ସେହି ଚିତ୍ରସେନ । ସାମାନ୍ୟ କାରଣରୁ ବନ୍ଧୁ ବନ୍ଧୁ ମଧ୍ୟରେ ବିବାଦ ହେବା ଆଦୌ ଶୋଭନୀୟ ବା ସ୍ପୃହଣୀୟ ନୁହେଁ, ତେଣୁ ମୋର ଅନୁରାଧ ଅନୁସାରେ ଏହିଠାରୁ ଯୁଦ୍ଧର ଅବସାନ ହେଉ ।”

 

ବୀରବର ପାର୍ଥ ଗନ୍ଧର୍ବରାଜ ଚିତ୍ରସେନଙ୍କୁ ଚିହ୍ନିପାରିଲେ ଏବଂ ତାଙ୍କରି ଅନୁରାଧମତେ ଯୁଦ୍ଧରୁ ନିବୃତ ହେଲେ । ତତ୍ପରେ ସେ ଚିତ୍ରସେନଙ୍କୁ ପ୍ରଶ୍ନ କଲେ–

 

“ତୁମେ କାହିଁକି ଦୁର୍ଯ୍ୟୋଧନଙ୍କୁ ବନ୍ଦୀ କରିଥିଲ, କହିବ କି ?”

 

ଗନ୍ଧର୍ବରାଜ ଉତ୍ତର ଦେଲେ–

 

“ବନ୍ଧୁ ! ନିଜ ଇଚ୍ଛାରେ ମୁଁ କିଛି କରିନାହିଁ–ଦେବରାଜ ଇନ୍ଦ୍ରଙ୍କ ଆଦେଶ ଅନୁଯାୟୀ ଦୁର୍ଯ୍ୟୋଧନଙ୍କୁ ବନ୍ଦୀ କରିଛି । ଏବେ ଧର୍ମରାଜ ଯୁଧିଷ୍ଠିରଙ୍କ ନିକଟକୁ ଚାଲ । ସେଠାରେ ସକଳ ବୃତ୍ତାନ୍ତ ବିସ୍ତାରିତ ଭାବରେ ବର୍ଣ୍ଣନା କରିବି ।”

 

ତହୁଁ ଦୁର୍ଯ୍ୟୋଧନାଦି ବନ୍ଦୀଙ୍କୁ ଘେନି ସମସ୍ତେ ଯୁଧିଷ୍ଠିରଙ୍କ ନିକଟକୁ ଗମନ କଲେ । ଚିତ୍ରସେନଙ୍କୁ ଦେଖି ଧର୍ମାତ୍ମା ଯୁଧିଷ୍ଠିର କହିଲେ–

 

“ଗନ୍ଧର୍ବରାଜ ! ଦୁର୍ଯ୍ୟୋଧନ ଆମ୍ଭମାନଙ୍କର ଭ୍ରାତା । ଆମ୍ଭେମାନେ ଏଠାରେ ଥାଉ ଥାଉ ତୁମେ ତାଙ୍କୁ ବନ୍ଦୀକରି ଘୋର ଅନ୍ୟାୟ କରିନାହଁ କି ? ଦୁର୍ଯ୍ୟୋଧନ ବନ୍ଦୀ ରହିବା ଅର୍ଥ ଆମ୍ଭମାନଙ୍କ ବାହୁବଳ ଓ ରାଜବଂଶ ପ୍ରତି ତୀବ୍ର ଅପମାନ । ତେଣୁ ସ୍ୱଚକ୍ଷୁରେ ତାଙ୍କର ଏ ଦୁରବସ୍ଥା ଦେଖିବା ମୋ ପକ୍ଷରେ ଏକାନ୍ତ ଅସହ୍ୟ । ତୁମେ କ୍ଷଣମାତ୍ର ବିଳମ୍ବ ନକରି ଦୁର୍ଯ୍ୟୋଧନ ଓ ତାଙ୍କ ଭ୍ରାତାମାନଙ୍କୁ ମୁକ୍ତ କରିଦିଅ ।”

 

ଏହା ଶୁଣି ଚିତ୍ରସେନ ନମ୍ରତାର ସହିତ କହିଲେ–

 

“ଧର୍ମରାଜ ! ମୋର ଏ କାର୍ଯ୍ୟରେ କୌଣସି ଅପରାଧ ନାହିଁ, ତେଣୁ ମୋ ପ୍ରତି ମନରେ କଟୁଭାବ ପୋଷଣ କରନ୍ତୁ ନାହିଁ । ଆପଣମାନେ ରାଜ୍ୟହରା ହୋଇ ଏହି ବନରେ ପୂର୍ଣ୍ଣକୁଟୀର ରଚି ଦରିଦ୍ରର ଜୀବନଯାପନ କରୁଛନ୍ତି । ଦୁଷ୍ଟମତି ଦୁର୍ଯ୍ୟୋଧନ ଏହି ସମ୍ବାଦ ପାଇ, ଆପଣମାନଙ୍କର ଦୁର୍ଦ୍ଦଶା ସ୍ୱ ଚକ୍ଷୁରେ ଦେଖିବେ ଏବଂ ଆପଣାର ଐଶ୍ୱର୍ଯ୍ୟ ଆପଣମାନଙ୍କୁ ଦେଖାଇ ଉପହାସ କରିବେ, ଏହି ଉଦ୍ଦେଶ୍ୟରେ ଏଠାକୁ ଆସିଥିଲେ । ଦୁର୍ଯ୍ୟୋଧନଙ୍କର ଏହି ଦୁରଭିସନ୍ଧି ଇନ୍ଦ୍ରଦେବ ଜାଣିପାରିଲେ ଏବଂ ଭ୍ରାତୃଗଣଙ୍କ ସହ ତାଙ୍କୁ ବନ୍ଦୀ କରି ସମୁଚିତ ଶିକ୍ଷା ଦେବାପାଇଁ ମୋତେ ଆଦେଶ ଦେଇଗଲେ । ମୁଁ ଦୁର୍ଯ୍ୟୋଧନ ପ୍ରଭୃତିଙ୍କୁ ବନ୍ଦୀ କରିବାଦ୍ୱାରା ଦେବରାଜ ଇନ୍ଦ୍ରଙ୍କର ଆଦେଶକୁ ପାଳନ କରିଛି ମାତ୍ର । ଏଥିରେ ମୋର ତିଳେ ସୁଦ୍ଧା ଅନ୍ୟାୟ ନାହିଁ, ଏବେ ଆପଣ ବେଶ୍ ଉପଲବଧି କରିପାରିବେ ।”

 

ତଥାପି ଯୁଧିଷ୍ଠିରଙ୍କ ମନରୁ ଦୁଃଖର ମେଘ ଅପସାରିତ ହେଲା ନାହଁ । ସେ ଚିତ୍ରସେନଙ୍କୁ କହିଲେ–

 

Image

[ଯୁଧିଷ୍ଠିରଙ୍କ କର୍ତ୍ତୃକ ଦୁର୍ଯ୍ୟୋଧନଙ୍କ ବନ୍ଧନ ମୋଚନ]

 

ଗନ୍ଧର୍ବରାଜ ! ମୋର ଭ୍ରାତା ଦୁର୍ଯ୍ୟୋଧନଙ୍କ ବିରୁଦ୍ଧରେ ଅଧିକ କିଛି ମୋତେ ଶୁଣାନ୍ତୁ ନାହିଁ । ତଦ୍ଦ୍ୱାରା ମୋ ମନରେ ଆଦୌ ଆନନ୍ଦର ସଞ୍ଚାର ହେଉନାହିଁ, ବରଂ ଦୁଃଖର ମାତ୍ରା ବଢ଼ିଯାଉଛି । ଆପଣ ଯୁଦ୍ଧରେ ଆମଠାରୁ ପରାଜିତ ହୋଇସାରିଛନ୍ତି, ତେଣୁ ବନ୍ଦୀ ଦୁର୍ଯ୍ୟୋଧନଙ୍କ ଉପରେ ଆପଣଙ୍କର କୌଣସି ପ୍ରଭୁତ୍ୱ ଆଉ ନାହିଁ ।”

 

ଏହା କହି ମହାମନା ଯୁଧିଷ୍ଠିର ସ୍ୱହସ୍ତରେ ଦୁର୍ଯ୍ୟୋଧନଙ୍କର ବନ୍ଧନ ମୋଚନ କରିଦେଲେ ଏବଂ ସସ୍ନେହରେ ତାଙ୍କୁ ଆଲିଙ୍ଗନ କରି ଅପାର ଆନନ୍ଦ ଅନୁଭବ କଲେ । ଯୁଧିଷ୍ଠିରଙ୍କର ଏହି ଅପୂର୍ବ ଉଦାରତା ଓ ଅଯାଚିତ କ୍ଷମାଗୁଣ ଦେଖି ଭୀମ, ଅର୍ଜ୍ଜୁନ ନକୁଳ, ସହଦେବ ଓ ଦ୍ରୌପଦୀ ଅବାକ୍ ହୋଇଗଲେ । ସଙ୍ଗେ ସଙ୍ଗେ ଦୁର୍ଯ୍ୟୋଧନଙ୍କ ଭ୍ରାତାମାନେ ମଧ୍ୟ ବନ୍ଧନ ମୁକ୍ତ ହେଲେ ।

 

ଯୁଧିଷ୍ଠିରଙ୍କର ଏହି ଦୋବୋପମ ଆଚରଣରେ ହୀନମତି ଦୁର୍ଯ୍ୟୋଧନ ଘୋର ଲଜ୍ଜା ଓ ଅକଥନୀୟ ଅପମାନରେ ମ୍ରିୟମାଣ ହୋଇଗଲେ । ସେ ମୁହୂର୍ତ୍ତେ ସୁଦ୍ଧା ଉକ୍ତ ବନରେ ଆଉ ନ ରହି ଦଳବଳ ସହିତ ହସ୍ତିନାପୁରୀକୁ ଫେରିଗଲେ । ଘୋଷଯାତ୍ରାର କଳ୍ପିତ ଆନନ୍ଦ ଏହିରୂପେ ତାଙ୍କ ପକ୍ଷରେ ମହାବିଷାଦରେ ପରିଣତ ହେଲା ।

Image

 

ଅନ୍ୟାୟ ଧନ-ଦାନର ଫଳ

 

ଶତାନୀକ ନାମରେ ଚନ୍ଦ୍ରବଂଶରେ ଜଣେ ପ୍ରସିଦ୍ଧ ରାଜା ଥିଲେ । ସେ ଅତ୍ୟନ୍ତ ବୀର ଓ ବିକ୍ରମୀ ଥିବାରୁ ବାହୁବଳରେ ବହୁ ରାଜ୍ୟ ଜୟ କରି ନିଜ ରାଜ୍ୟର କଳେବର ବୃଦ୍ଧି କରିଥିଲେ । ପ୍ରଜାମାନଙ୍କଠାରୁ ମିଳୁଥିବା କର ଏବଂ ବ୍ୟବସାୟୀ ଓ ସୌଦାଗରମାନଙ୍କଠାରୁ ଆଦାୟ ହେଉଥିବା ଶୁଳ୍‍କ ଓ ସ୍ୱର୍ଣ୍ଣରୌପ୍ୟାଦିରେ ଶତାନୀକଙ୍କ ଧନଭଣ୍ଡାର ସର୍ବଦା ପରିପୂର୍ଣ୍ଣ ଥିଲା । ଅପରିମିତ ସମ୍ପତ୍ତି ଓ ଧନରତ୍ନର ଅଧିକାରୀ ହୋଇ ସେ ମହାସୁଖରେ ରାଜ୍ୟ ଶାସନ କରୁଥିଲେ । ଏହା ସଙ୍ଗେ ସଙ୍ଗେ ସେ ବ୍ରାହ୍ମଣମାନଙ୍କୁ ମୁକ୍ତିହସ୍ତରେ ଦାନ କରୁଥିଲେ । ବ୍ରାହ୍ମଣମାନେ ସେହି ଦାନ–ଧନରେ କୁଟୁମ୍ବ ପ୍ରତିପୋଷଣ କରୁଥିଲେ ଏବଂ ଯାଗଯଜ୍ଞଦ୍ୱାରା ଦେଶରେ ଧର୍ମଭାବର ମହତ୍ତ୍ୱ ବଢ଼ାଉଥିଲେ । ଶତାନୀକ ନିଜେ ମଧ୍ୟ ବଡ଼ ଯଜ୍ଞ ଅନୁଷ୍ଠାନ କରି ତହିଁରେ ବିପୁଳ ଅର୍ଥ ବ୍ୟୟ କରୁଥିଲେ ଏବଂ ଋଷି ବ୍ରାହ୍ମଣମାନଙ୍କୁ ଅଗଣିତ ଦାନଦକ୍ଷିଣା ଦେଇ ପରିତୃପ୍ତ କରାଉଥିଲେ ।

 

ଏହି ଶତାନୀକଙ୍କ ଅନ୍ତେ ତାଙ୍କର ପୁତ୍ର ସହସ୍ରାନୀକ ଚନ୍ଦ୍ରବଂଶର ସିଂହାସନ ମଣ୍ଡନ କଲେ । ସେ ମଧ୍ୟ ପିତାଙ୍କ ପରି ପ୍ରବଳ ପରାକ୍ରମୀ ରାଜା ହେଲେ, ମାତ୍ର ରାଜଧର୍ମ ଓ ଶାସନୀତି ପିତାଙ୍କ ନୀତିଠାରୁ କେତେକାଂଶରେ ସ୍ୱତନ୍ତ୍ର ଦେଖାଗଲା । ସେ ରାଜ୍ୟଲୋଭୀ ହୋଇ କେବେହେଲେ ପରରାଜ୍ୟ ଆକ୍ରମଣ କଲେ ନାହିଁ କି ଲୁଣ୍ଠନ ଦ୍ରବ୍ୟରେ ରାଜଗନ୍ତାଘର ପରିପୂର୍ଣ୍ଣ କରିବାର ଅଭିଳାଷ ରଖିଲେ ନାହିଁ । ପ୍ରଜାମାନଙ୍କୁ ସନ୍ତାନବତ୍ ପାଳନ କରିବା, ଦୀନଦୁଃଖୀମାନଙ୍କୁ ଅକାତରରେ ଦାନ କରି ସେମାନଙ୍କର ଦୁଃଖ–ଅଭାବ ଦୂର କରିବା ଏବଂ ଦେଶର ସର୍ବାଞ୍ଚଳରେ ଶତ ଶତ ଲୋକହିତକର କାର୍ଯ୍ୟ ଅନୁଷ୍ଠାନ କରିବା ତାଙ୍କ ରାଜତ୍ୱର ପ୍ରଧାନ ଅଙ୍ଗ ହେଲା ।

 

Image

[ରାଜା ସହସ୍ରାନୀକଙ୍କ ରାଜସଭା]

 

ସହସ୍ରାନୀକଙ୍କ ସୁଶାସନରେ ସକଳ ଶ୍ରେଣୀର ପ୍ରଜା ପରମ ସନ୍ତୋଷରେ କାଳ ଯାପନ କଲେ ସତ୍ୟ; କିନ୍ତୁ ବ୍ରାହ୍ମଣଗୋଷ୍ଠୀ ମଧ୍ୟରେ ଅସନ୍ତୋଷ ଓ ଦୁଃଖର ବହ୍ନି ଜଳିଉଠଲା । ତାହାର କାରଣ ଏହି ଯେ, ସହସ୍ରାନୀକ ପିତୃ ନିର୍ଦ୍ଦେଶିତ ପଥ ପରିତ୍ୟାଗ କରି ବ୍ରାହ୍ମଣମାନଙ୍କ ପ୍ରତି ଏକ ଏକପ୍ରକାର ନିର୍ଦ୍ଦୟ ହୋଇଛନ୍ତି । ସେ ପିତାଙ୍କ ପରି ଯଜ୍ଞାନୁଷ୍ଠାନ କରି ତହିଁରେ ଅଜସ୍ର ଅର୍ଥ ବ୍ୟୟ କରୁନାହାନ୍ତି କି ବ୍ରାହ୍ମଣମାନଙ୍କୁ ଆଦୌ ଦାନ ଦେଉ ନାହାନ୍ତି । ଧର୍ମ କର୍ମ ବିଷୟରେ ସହସ୍ରାନୀକଙ୍କ ଧାରଣା ସମ୍ପୂର୍ଣ୍ଣ ଅନ୍ୟପ୍ରକାର । ପଚାରିଲେ ସେ କହନ୍ତି–“ମୁଁ ଯେଉଁସବୁ ସତ୍‍କାର୍ଯ୍ୟ କରୁଛି, ତହିଁରେ ମୋ ନିଜର ସ୍ୱାର୍ଥ ବା ଲାଭର କୌଣସି ସମ୍ପର୍କ ନାହିଁ । ଯାହା ରାଜଧର୍ମ ଏବଂ ଯାହା କରିବା ରାଜାର କର୍ତ୍ତବ୍ୟ ବୋଲି ମୁଁ ବିବେଚନା କରୁଛି, ଅକୁଣ୍ଠିତ ଚିତ୍ତରେ ସେହିସବୁ କାର୍ଯ୍ୟ କରିଯାଉଛି । ପୁଣ୍ୟ ଅର୍ଜନ କରି ସ୍ୱର୍ଗ ଲାଭ କରିବି, ଏଭଳି ଚିନ୍ତା ଆଜି ପର୍ଯ୍ୟନ୍ତ ମୋ ମନରେ ସ୍ଥାନ ପାଇନାହିଁ କି ତେବେହେଲେ ପାଇବ ନାହିଁ ।"

 

କ୍ରମେ ବ୍ରାହ୍ମଣମାନଙ୍କ ଅବସ୍ଥା ଶୋଚନୀୟ ହେବାକୁ ବସିଲା । ଦିନକୁଦିନ ଅଭାବ–ଅନଟନର ମାତ୍ରା ବଢ଼ି ଚାଲିଲା । ନିୟମିତରୂପେ ପରିବାର ଚଳାଇବା କୌଣସି ବ୍ରାହ୍ମଣ ପକ୍ଷରେ ସମ୍ଭବପର ହେଲା ନାହିଁ । ଏହି ବିପତ୍ତିର ପ୍ରତିକାର କରି ନ ପାରି ରାଜ୍ୟର ପ୍ରବୀଣ ଓ ବୟୋଜ୍ୟେଷ୍ଠ ବ୍ରାହ୍ମଣମାନେ ଦିନେ ସମ୍ମିଳିତ ହୋଇ ରାଜା ସହସ୍ରାନୀକଙ୍କ ପାଖକୁ ଆସିଲେ ଏବଂ ତାଙ୍କ ଆଗରେ ସମସ୍ତ ଦୁଃଖ ନିର୍ଭୟରେ କହିବାକୁ ଲାଗିଲେ ।

 

“ମହାରାଜ ! ଆପଣଙ୍କ ପିତା ଯେପରି ନାନା ଉପାୟରେ ଅର୍ଥ ସଂଗ୍ରହ କରୁଥିଲେ, ସେହିପରି ରାଜ୍ୟର ବ୍ରାହ୍ମଣମାନଙ୍କୁ ଅବାରିତ ଦାନ କରୁଥିଲେ । ତାଙ୍କର ସେହି ଅନୁଗ୍ରହ ଲାଭ କରି ଆମ୍ଭେମାନେ ନିବିଘ୍ନରେ ଗୃହସଂସାର ଚଳାଉଥିଲୁଁ । ଦିନେ ହେଲେ ଆମ୍ଭମାନଙ୍କ ଘରେ ଅନ୍ନର ଅଭାବ ଘଟୁ ନ ଥିଲା । କୁଟୁମ୍ବ ପୋଷିବାପାଇଁ ଅନ୍ୟ ବୃତ୍ତିର ଆଶ୍ରୟ ନେଇ ଅର୍ଥ ଉପାର୍ଜନ କରିବା ଆଦୌ ଆବଶ୍ୟକ ହେଉ ନ ଥିଲା । ବିନା ପରିଶ୍ରମରେ ଆମ ପାଖକୁ ରାଜଭଣ୍ଡାରରୁ ଧନ ଆସୁଥିଲା ଏବଂ ଆମ୍ଭେମାନେ ନିଶ୍ଚିନ୍ତରେ ଘରେ ବସି ଧର୍ମ କର୍ମ କରିପାରୁଥିଲୁଁ । ମାତ୍ର ଆପଣଙ୍କ ରାଜତ୍ୱରେ ଆମ୍ଭମାନଙ୍କ ଦୁର୍ଦ୍ଦଶା ଶେଷ ସୀମାକୁ ଚାଲିଯାଇଛି । ଆପଣ ଏକାବେଳେ ଦାନ ବନ୍ଦ କରି ଦେଇଛନ୍ତି । ଗୋଟିଏ କପର୍ଦ୍ଦକ ସୁଦ୍ଧା ରାଜଗନ୍ତାଘରୁ ମିଳବାର ଆଶା ନାହିଁ । ଶତାନୀକଙ୍କ ସମୟରେ ବ୍ରାହ୍ମଣମାନେ ଯେଉଁ ଅଖଣ୍ଡ ସୁଖଶାନ୍ତି ଭୋଗ କରୁଥିଲେ, ଏବେ ତାହା ଭାବିଲେ ସ୍ୱପ୍ନପରି ବୋଧହୁଏ । ରାଜଅନୁଗ୍ରହରୁ ବଞ୍ଚିତ ହେବାପରେ ଆମ୍ଭେମାନେ ପରିବାରପୋଷଣପାଇଁ ଏକାଧିକ ବୃତ୍ତି ଆଶ୍ରୟ କରିବାକୁ ବାଧ୍ୟ ହୋଇଛୁଁ । ଏତେ ପରିଶ୍ରମ କରି ମଧ୍ୟ ପେଟପୂରା ଆହାର ମିଳୁନାହିଁ । ବ୍ରାହ୍ମଣ କୁଳର ଏ ଦୁର୍ଦ୍ଦଶା ଆପଣଙ୍କ ସୁଶାସନରେ ଗୋଟିଏ କଳଙ୍କରୂପେ ରହିଯିବ ସିନା ।”

 

ସହସ୍ରାନୀକ ଖୁବ୍ ଧୈର୍ଯ୍ୟର ସହିତ ବ୍ରାହ୍ମଣମାନଙ୍କର ସମସ୍ତ ଅଭିଯୋଗ ଶୁଣିସାରି ଉତ୍ତର ଦେଲେ–

 

“ଆପଣମାନଙ୍କର କୌଣସି ଅବସ୍ଥା ମୋତେ ଅବିଦିତ ନାହିଁ । ପିତାଙ୍କ ରାଜତ୍ୱ ସମୟରେ ଆପଣମାନେ ସୀମାତୀତ ସୁଖରେ କାଳ କାଟୁଥିଲେ ଏବଂ ଯାଗଯଜ୍ଞ, ଧର୍ମକର୍ମାଦି କରି ତାଙ୍କ ଆତ୍ମାର ସଦ୍‍ଗତି କାମନା କରୁଥିଲେ । ପିତା ମଧ୍ୟ ତାଙ୍କ ଜୀବଦ୍ଦଶାରେ ଯଥେଷ୍ଟ ପୁଣ୍ୟ ଅର୍ଜନ କରିଥିଲେ । ଏସବୁ କଥା ମୁଁ ଜାଣିଛି ସତ, ମାତ୍ର ଇହଧାମ ଛାଡ଼ିଲା ପରେ ମୋ ପିତାଙ୍କର କି ପ୍ରକାର ସଦ୍‍ଗତି ହୋଇଛି ତାହା ଏପର୍ଯ୍ୟନ୍ତ ଜାଣିପାରିଲି ନାହିଁ । ସେ ବର୍ତ୍ତମାନ କେଉଁ ଲୋକରେ କିପରି ଭାବରେ ଅଛନ୍ତି, ଏହି ସମ୍ବାଦଟି ଯଦି ଆପଣମାନେ ମୋତେ ଦେଇପାରିବେ, ତାହାହେଲେ ମୁଁ ମଧ୍ୟ ପିତାଙ୍କ ପରି ଦାନ–ଦକ୍ଷିଣା ଦେବା ଆରମ୍ଭ କରିଦେବି । ଏଭଳି ଦାନଧର୍ମର ଫଳାଫଳ ବିଷୟରେ ମୋର ପ୍ରତ୍ୟକ୍ଷ ଜ୍ଞାନ ହୋଇ ନ ଥିବାରୁ ମୁଁ ଏପର୍ଯ୍ୟନ୍ତ ସେ ସବୁ ବନ୍ଦ ରଖିଛି-।”

 

ବ୍ରାହ୍ମଣମାନେ ଏବେ ରାଜାଙ୍କର ମନୋଗତ ଭାବ ଜାଣିପାରିଲେ ଏବଂ ଯେ କୌଣସିମତେ ପ୍ରୟୋଜନୀୟ ସମ୍ବାଦ ସଂଗ୍ରହ କରି ଅଳ୍ପ କାଳ ମଧ୍ୟରେ ଆସି ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇ ତାଙ୍କଠାରୁ ବିଦାୟ ନେଲେ । ସେମାନେ ଏହି ଉଦ୍ଦେଶ୍ୟରେ ନାନାସ୍ଥାନ ଭ୍ରମଣ କରିବାପରେ ଭାର୍ଗବ ଋଷିଙ୍କ ଆଶ୍ରମରେ ଉପଗତ ହୋଇ ତାଙ୍କୁ ପ୍ରାର୍ଥନା କଲେ ।

 

“ମହର୍ଷି ! ଆପଣ ଦୟାପୂର୍ବକ ବ୍ରାହ୍ମଣକୂଳରେ ଉପକାର ପାଇଁ ଗୋଟିଏ କାର୍ଯ୍ୟ କରିବେ ବୋଲି ଭରସା ରଖି ଆମ୍ଭେମାନେ ଆସିଛୁ । ଶତାନୀକ ବର୍ତ୍ତମାନ କେଉଁ ସ୍ୱର୍ଗରେ କିପରି ଅବସ୍ଥାରେ ଅଛନ୍ତି, ଏହି ସମ୍ବାଦଟି ଯେବେ ଆପଣ ଆଣିଦେଇ ପାରିବେ, ତାହାହେଲେ ମହାରାଜା ସହସ୍ରାନୀକ ବ୍ରାହ୍ମଣମାନଙ୍କୁ ଧନ ଦାନ କରିବେ । ସେ ଏହା ନ ଜାଣିବା ପର୍ଯ୍ୟନ୍ତ ଆମ୍ଭମାନଙ୍କୁ ଆଦୌ କିଛି ଦେବେ ନାହିଁ ।”

 

ଭାର୍ଗବଙ୍କ ହୃଦୟରେ କରୁଣାର ସଞ୍ଚାର ହେଲା । ସେ ବ୍ରାହ୍ମଣମାନଙ୍କୁ ଆଶ୍ୱାସନା ଦେଇ ସୂକ୍ଷ୍ମଶରୀର ଧାରଣାପୂର୍ବକ ସ୍ୱର୍ଗକୁ ଗଲେ ଏବଂ ଦେବଦୂତମାନଙ୍କୁ ଶତାନୀକଙ୍କ ବିଷୟ ପଚାରିଲେ-। ଦେବଦୂତଗଣ ଉତ୍ତର ଦେଲେ–“ମହର୍ଷି ! ଶତାନୀକ ବୋଲି ଜଣେ ରାଜା ସ୍ୱର୍ଗକୁ ଆସିଥିଲେ । ସଞ୍ଚିତପୁଣ୍ୟର ପରିମାଣ ବେଶି ନ ଥିବାରୁ ସେ ଅଳ୍ପ କେତେଦିନ ସ୍ୱର୍ଗରେ ରହିବା ପରେ ତାଙ୍କର ସମସ୍ତ ପୁଣ୍ୟ ଶେଷ ହୋଇଗଲା । ତେଣୁ ସେ ସ୍ୱର୍ଗ ଛାଡ଼ି ନରକରେ ଯାଇ ରହିଛନ୍ତ-।”

 

ଏହାଶୁଣି ଭାର୍ଗବ ନରକପୁରୀକୁ ଗମନ କଲେ ଏବଂ ସେଠାରେ ଶତାନୀକଙ୍କ ସହିତ ସାକ୍ଷାତ କରି ତାଙ୍କୁ ପଚାରିଲେ–

 

“ମହାରାଜ ! ଆପଣ ସାରାଜୀବନ ଅଜସ୍ର ଦାନ କରି ଅଶେଷ ପୁଣ୍ୟ ଅର୍ଜନ କରିବା ସତ୍ତ୍ୱେ ନରକକୁ ଆସିଲେ କିପରି ? ମୃତ୍ୟୁ ପରେ ଆପଣ କେଉଁଠାରେ କିପରିଭାବରେ ଅଛନ୍ତି, ଏହା ଜାଣିବାକୁ ଆପଣଙ୍କ ପୁତ୍ର ସହସ୍ରାନୀକ ବିଶେଷ ଉଦବିଗ୍ନ ହେବାରୁ ମୁଁ ସେହିକଥା ଏଠାକୁ ବୁଝିବାକୁ ଆସିଛି । ଆପଣ କୃପା କରି ବିସ୍ତାରିତ ଭାବରେ ସବୁ ବୃତ୍ତାନ୍ତ ମୋତେ ବୁଝାଇ କୁହନ୍ତୁ ।”

 

ଭାର୍ଗବଙ୍କ କୌତୁହଳ ଚରିତାର୍ଥ କରିବା ନିମିତ୍ତ ଶତାନୀକ କହିଲେ–

 

“ମହର୍ଷି ! ମୋର ପରଲୋକ ଅବସ୍ଥା ଜାଣିବାପାଇଁ ଆପଣ ଯେ ମର୍ତ୍ତ୍ୟ ଛାଡ଼ି ଏଠାକୁ ଆସିଛନ୍ତି, ଏହା ମୋ ପକ୍ଷରେ ପରମ ସୌଭାଗ୍ୟ । ମୋର ନରକବାସ ଦେଖି ଆପଣ ବିସ୍ମିତ ହେଉଛନ୍ତି, ମାତ୍ର ସେପରି ବିସ୍ମିତ ହେବାର କୌଣସି କାରଣ ନାହିଁ । ଏବେ ମୁଁ ବୁଝାଇ ଦେଉଛି ଶୁଣନ୍ତୁ । ରାଜା ଥାଇ ଯେଉଁ ଅଜସ୍ର ଧନ ଦାନ କରିଥିଲି, ସେଥିରେ ମୁଁ ବହୁତ ପୁଣ୍ୟ ଅର୍ଜିଛି ବୋଲି ଆପଣମାନଙ୍କର ଧାରଣା; ମାତ୍ର ପ୍ରକୃତରେ ତାହା ନୁହେ । ତଦ୍ଦ୍ୱାରା ମୁଁ ବହୁତ ପାପ ଅର୍ଜିଛି । ମୁଁ ଯେଉଁସବୁ ଧନ ଦାନ କରୁଥିଲି ତାହା ପରରାଜ୍ୟ–ଲୁଣ୍ଠନ ଓ ପ୍ରଜାଶୋଷଣରୁ ହିଁ ଆସୁଥିଲା । ସେହି ଅନ୍ୟାୟ ଧନ ବ୍ରାହ୍ମଣମାନଙ୍କୁ ଦାନ କରିବାଫଳରେ ମୁଁ ଘୋର ପାପଭାଗୀ ହୋଇଛି ଏବଂ ବାହ୍ମଣମାନଙ୍କର ଧର୍ମକର୍ମକୁ ମଧ୍ୟ–ନଷ୍ଟ କରାଇଦେଇଛି । ଏହି ଦୁଇ କାରଣରୁ ମୋର ନରକବାସ ଘଟିଛି । ଯେଉଁ ସାମାନ୍ୟ ପୁଣ୍ୟ ଅନ୍ୟ ଉପାୟରେ ସଞ୍ଚୟ କରିଥିଲି, କେବଳ ତାହାରି ଯୋଗୁଁ ଅଳ୍ପ କେତୋଟି ଦିନମାତ୍ର ସ୍ୱର୍ଗବାସର ସୁଯୋଗ ପାଇଥିଲି । କେଉଁ କାର୍ଯ୍ୟରେ ପୁଣ୍ୟ ହୁଏ ଏବଂ କେଉଁ କାର୍ଯ୍ୟରେ ପାପ ହୁଏ, ତାହା ଇହଲୋକରେ ବୁଝିବା ସହଜ ନୁହେଁ । ଅତି ସୂକ୍ଷ୍ମ ଓ ନିରପେକ୍ଷ ଭାବରେ ସେ ସବୁର ହିସାବ ଏଠାରେ କରାହୋଇଥାଏ । ତେଣୁ ପ୍ରାଣୀ ପରଲୋକକୁ ଆସିଲେ କେଉଁଟି ପାପ ଓ କେଉଁଟି ପୁଣ୍ୟ ବୁଝିପାରେ ।”

 

ମହର୍ଷି ଭାର୍ଗବ ପାପ–ପୁଣ୍ୟର ଏହି ତଥ୍ୟ ଶୁଣି ଯେତିକି ଆନନ୍ଦିତ ହେଲେ, ମହାରାଜାଙ୍କର ନରକଗତି ଦେଖି ତତୋଽଧିକ ବ୍ୟଥିତ ହେଲେ । ସେ ବିଷଣ୍ଣ ମୁଖରେ ପ୍ରଶ୍ନ କଲେ–

 

“ମହାରାଜ ! ଏହି ନରକରୁ ଆପଣଙ୍କ ମୁକ୍ତିର କ'ଣ କୌଣସି ଉପାୟ ନାହିଁ ?”

 

ଶତାନୀକ ଉତ୍ତର ଦେଲେ–

 

“ନାନା ଅନ୍ୟାୟମାର୍ଗରୁ ମୁଁ ଅପରିମିତ ଧନ ସଂଗ୍ରହ କରି ରାଜଭଣ୍ଡାର ପୂର୍ଣ୍ଣ କରିଥିଲି । ସେହି ଭଣ୍ଡାରର ଧନ ବ୍ରାହ୍ମଣଙ୍କୁ ଯେତେଦିନ ପର୍ଯ୍ୟନ୍ତ ଦାନ କରାଯାଉଥିବ, ସେତେଦିନ ପର୍ଯ୍ୟନ୍ତ ମୋର ପାପ ବଢ଼ି ଚାଲିଥିବ । ସେହି ଅନୁପାତରେ ମୋର ନରକ ବାସର କାଳ ମଧ୍ୟ ବୃଦ୍ଧି ଲାଭ କରୁଥିବ । ଏପରି ଅବସ୍ଥାରେ ନରକରୁ ମୁକ୍ତି ପାଇବାର ପ୍ରଶ୍ନ କାହିଁ ?”

 

ଏହା ଶୁଣି ଭାର୍ଗବ କହିଲେ–

 

“ମହାରାଜ ! ଶୁଣି ସୁଖୀ ହେବେ ଯେ, ଆପଣଙ୍କ ପୁତ୍ର ସହସ୍ରାନୀକ ଅତି ବୁଦ୍ଧିମତ୍ତାର ସହିତ କାର୍ଯ୍ୟକରି ଧନଦାନ ଏକାବେଳକେ ବନ୍ଦ କରିଦେଇଛନ୍ତି । ତେଣୁ ଆପଣଙ୍କ ନରକଭୋଗ କାଳ ବଢ଼ିବାର କୌଣସି ଆଶଙ୍କା ନାହିଁ । ଏବେ କୁହନ୍ତୁ, ଆପଣ ଏହି ନରକରୁ କିପରି ଉଦ୍ଧାର ପାଇ ପାରିବେ ?”

 

ମହାରାଜା ସଙ୍ଗେ ସଙ୍ଗେ କହି ଉଠିଲେ–

 

“ସେଥିର ଗୋଟିଏ ମାତ୍ର ପ୍ରତିକାର ଅଛି । ମୋର ପୁତ୍ର ଯଦି ସମ୍ପୂର୍ଣ୍ଣ ସତ୍ ଉପାୟରେ ଅର୍ଥ ଉପାର୍ଜ୍ଜନ କରି ବ୍ରାହ୍ମଣମାନଙ୍କୁ ତାହା ଦାନ କରିବ, ତେବେ ସେହି ପୁଣ୍ୟରେ ମୋର ନରକଭୋଗ କଟିଯିବ ଏବଂ ତା’ପରେ ମୁଁ ସ୍ୱର୍ଗଲାଭ କରିପାରିବି ।”

 

ଉଲ୍ଲିଖିତ ବିବରଣ ଘେନି ଭାର୍ଗବ ମର୍ତ୍ତ୍ୟକୁ ଫେରିଲେ ଏବଂ ସହସ୍ରାନୀକ ରାଜସଭାକୁ ଯାଇ ତାଙ୍କ ଆଗରେ ସେ ସମସ୍ତ ବର୍ଣ୍ଣନା କଲେ । ତାହା ଶୁଣି ସହସ୍ରାନୀକ କହିଲେ–

 

“ମହର୍ଷି ! ପିତାଙ୍କ ପରଲୋକ ଜୀବନ ସମ୍ବନ୍ଧରେ ମୁଁ ଏହିଭଳି ଅନୁମାନ କରୁଥିଲି । ମୋ ପିତାଙ୍କ ସହିତ କଥାବାର୍ତ୍ତା କରି ଏବଂ ମୋତେ ତାଙ୍କ ଉଦ୍ଧାର ପଥର ସନ୍ଧାନ ଦେଇ ଆପଣ ଏ ରାଜବଂଶର ପ୍ରଭୁତ କଲ୍ୟାଣ ସାଧନ କରିଛନ୍ତି । ଏବେ ଆଶୀର୍ବାଦ କରନ୍ତୁ, ପିତାଙ୍କୁ ନରକରୁ ମୁକ୍ତ କରାଇ ମୁଁ ମୋର ପୁତ୍ରଜନ୍ମ ସାର୍ଥକ କରେ ।”

 

ଏହାପରେ ସହସ୍ରାନୀକ ପାଟମନ୍ତ୍ରୀଙ୍କୁ ଚାହିଁ କହିଲେ–

 

“ମୋ ସ୍ୱର୍ଗତ ପିତାଙ୍କ ଦୁରବସ୍ଥା କଥା ଆପମ ମହର୍ଷିଙ୍କ ମୁଖରୁ ସବୁ ଶୁଣିଲେ । ଏହା ଜାଣିବାପରେ ରାଜପୁରୀରେ ଅବସ୍ଥାନ କରିବା ମୋ ପକ୍ଷରେ ଅସମ୍ଭବ । ପିତାଙ୍କୁ ନରକରୁ ଅବ୍ୟାହତି ନ ମିଳିବା ପର୍ଯ୍ୟନ୍ତ ମୁଁ ଆଉ ଏଠାକୁ ଫେରିବି ନାହିଁ । ଏବେ ଆପଣଙ୍କୁ ଏ ରାଜ୍ୟର ସକଳ ବିଷୟ ଲାଗିଲା । ମୁଁ ଏକବର୍ଷ ପାଇଁ ତୀର୍ଥ ଭ୍ରମଣରେ ଆଜି ବାହାରିଯିବି । କୌଣସି ସଖା, ଅନୁଚର ବା ପାଥେୟ ସଙ୍ଗରେ ନ ନେଇ ଏକାକୀ ପଦବ୍ରଜରେ ତୀର୍ଥକ୍ଷେତ୍ରମାନ ବୁଲିବି । ମୋର ଶିଶୁପୁତ୍ର ଉଦୟନଙ୍କୁ ସିଂହାସନରେ ବସାଇ ଅନ୍ୟାନ୍ୟ ଅମାତ୍ୟଙ୍କ ପରାମର୍ଶରେ ଆପଣ ଶାସନ ଚଳାଇବେ । ଠିକ୍ ମୋହରି ନୀତି ଅନୁସରଣ କରି ରାଜ୍ୟରକ୍ଷା ଓ ପ୍ରଜାପାଳନ କରିବେ ଏବଂ ମୋର ସମସ୍ତ ସଦ୍‍ନୁଷ୍ଠାନକୁ ପୂର୍ବପରି ପରିଚାଳନା କରିବେ । ପ୍ରଜାଙ୍କଠାରୁ କଡ଼ାଏ ସୁଦ୍ଧା କଉଡ଼ି କର ବାବଦରୁ ଅଧିକ ଆଦାୟ କରିବେ ନାହିଁ । ରାଜପୁରୀରେ କୌଣସି ପ୍ରକାର ବିଳାସିତା ରହିବ ନାହିଁ; କି ଉତ୍ସବ ଆମୋଦାଦି ଅନଷ୍ଠିତ ହେବ ନାହିଁ । ପିତାଙ୍କ ସଦ୍‍ଗତି ପାଇଁ ମୋର ଏହି କଠିନ ବ୍ରତରେ ଆପଣ ସର୍ବତୋଭାବରେ ସାହାଯ୍ୟ କରିବେ ।”

 

ଏହି ନିର୍ଦ୍ଦେଶ ଦେଇ ମହାରାଜା ସହସ୍ରାନୀକ ରାଜଧାନୀ ପରିତ୍ୟାଗ କଲେ । ବହୁ ତୀର୍ଥ ଦର୍ଶନ କରିସାରି ଶେଷରେ ଏକ ସେ ଦୂର ଦେଶରେ ଉପସ୍ଥିତ ହେଲେ । ସେହି ଦେଶରେ ନଗରପ୍ରାନ୍ତରେ ସେତେବେଳେ ଗୋଟିଏ ପ୍ରକାଣ୍ଡ ପୁଷ୍କରିଣୀ ଖୋଳା ହେଉଥାଏ । ସହସ ସହସ୍ର ଶ୍ରମିକ ସେଠାରେ ପ୍ରତ୍ୟହ ମୃତ୍ତିକାଖନନ କାର୍ଯ୍ୟରେ ନିଯୁକ୍ତ ଥାଆନ୍ତି । ସହସ୍ରାନୀକ ତାହା ଦେଖି ଆନନ୍ଦରେ ଯାଇ ଶ୍ରମିକ ଦଳରେ ଯୋଗ ଦେଲେ ଏବଂ ଖୁବ୍ ନିଷ୍ଠାର ସହିତ ସେମାନଙ୍କ ସହିତ ମୃତ୍ତିକା ଖନନ କରିବାକୁ ଲାଗିଲେ । ସେ ସେହି ଶ୍ରମିକମାନଙ୍କ କୁଟୀରରେ ଅବସ୍ଥାନ କଲେ ଏବଂ ଦୁଇବେଳା କେବଳ ଛତୁ ଖାଇ ପ୍ରାଣ ବଞ୍ଚାଇଲେ । କ୍ରମେ ମହାରାଜାଙ୍କର ଦକ୍ଷତା ଖନନ କର୍ମରେ ବହୁତ ବଢ଼ିଗଲା । ଫଳରେ ତାଙ୍କର ପାରିଶ୍ରମିକ ସମସ୍ତ ଶ୍ରମିକମାନଙ୍କ ଠାରୁ ଅଧିକ ହେଲା ଏବଂ ସେ ଦଳର ଶ୍ରମିକ ସର୍ଦ୍ଦାର ହୋଇ ଖନନ କାର୍ଯ୍ୟର ତତ୍ତ୍ୱାବଧାନ କରିବାକୁ ଲାଗିଲେ ।

 

ଏହିରୂପେ କଠିନ ଶ୍ରମ କରି ସହସ୍ରାନୀକ ପ୍ରଚୁର ଅର୍ଥ ସଞ୍ଚୟ କଲେ ଏବଂ ବର୍ଷ ଶେଷରେ ସେହି ଅର୍ଥ ଘେନି ନିଜ ରାଜଧାନୀକୁ ପ୍ରତ୍ୟାବର୍ତ୍ତନ କଲେ । ସେତେବେଳେ ତାଙ୍କର ରୂପ ଢେର ପରିବର୍ତ୍ତିତ ହୋଇଯାଇଥାଏ । ଜୀର୍ଣ୍ଣ ବେଶ, ରୁକ୍ଷ କେଶ, ଶୀର୍ଣ୍ଣ ଅଙ୍ଗ ଓ ଶ୍ମଶ୍ରୁଭରା ମୁଖରେ ସେ ଯେତେବେଳେ ରାଜପୁରୀରେ ପଦାର୍ପଣ କଲେ, କୌଣସି ବ୍ୟକ୍ତି ପ୍ରଥମେ ତାଙ୍କୁ ଚିହ୍ନିପାରିଲେ ନାହିଁ । ଯାହାହେଉ ସହସ୍ରାନୀକ ପାଟମନ୍ତ୍ରୀଙ୍କୁ ଡାକିଲେ ଏବଂ ପୂର୍ବୋକ୍ତ ବ୍ରାହ୍ମଣମାନଙ୍କୁ ଡକାଇ ଆଣିବାକୁ ଆଦେଶ ଦେଲେ । ସଙ୍ଗେ ସଙ୍ଗେ ଆଦେଶ ପାଳିତ ହେଲା ଏବଂ ବ୍ରାହ୍ମଣମାନେ ରାଜସଭାରେ ଆସି ଉପସ୍ଥିତ ହେଲେ । ମହାରାଜା ନିଜର ସମସ୍ତ ସଞ୍ଚିତ ଅର୍ଥ ସେମାନଙ୍କୁ ଦାନକରି କହିଲେ–

 

“ଏହି ଦାନର ପରିମାଣ ଅଳ୍ପ ହେଲେ ହେଁ ଏହାର ଧର୍ମଗତ ମୂଲ୍ୟ ଖୁବ୍ ବେଶି । ଆପଣମାନେ ସନ୍ତୁଷ୍ଟ ଚିତ୍ତରେ ଏହି ଅର୍ଥତକ ନିଅନ୍ତୁ ଏବଂ ଏଥିରେ ଧର୍ମକର୍ମ କରି ମୋ ପିତାଙ୍କର ସଦ୍‍ଗତି କାମନା କରନ୍ତୁ ।”

 

ବ୍ରାହ୍ମଣମାନେ ସେହି ଅର୍ଥ ଗ୍ରହଣ କଲେ ଏବଂ ମହାରାଜାଙ୍କର ଜୟଗାନ କରି କରି ସଭାସ୍ଥଳ ଛାଡ଼ି ସ୍ୱ ସ୍ୱ ଗୃହକୁ ଚାଲିଗଲେ ।

 

ଶତାନୀକଙ୍କ ଅମଳର ଯେଉଁ ରାଜଭଣ୍ଡାର ଆଜିପର୍ଯ୍ୟନ୍ତ ବନ୍ଦ ହୋଇ ରହିଥିଲା, ଏବେ ସହସ୍ରାନୀକ ତାହାର ଦ୍ୱାର ଫିଟାଇଦେଲେ । ସମଗ୍ର ରାଜ୍ୟର ଦୀନ ଦୁଃଖୀ, ଅରକ୍ଷ–ଅନାଥଙ୍କ ଲାଗି ତାହା କିଛିଦିନ ମୁକ୍ତ ରଖାଗଲା । ପ୍ରତ୍ୟହ ସଂଖ୍ୟାତୀତ ବ୍ୟକ୍ତି ଆସି ମନଇଚ୍ଛା ସେହି ଭଣ୍ଡାରରୁ ଅର୍ଥାଦି ନେବାକୁ ଲାଗିଲେ । ଶେଷରେ ଭଣ୍ଡାରଟି ଏକାବେଳକେ ଶୂନ୍ୟ ହୋଇଗଲା । ଗୋଟିଏ କପର୍ଦ୍ଦକ ସୁଦ୍ଧା ଆଉ ଅବଶିଷ୍ଟ ରହିଲା ନାହିଁ ।

 

ପିତାଙ୍କ ରାଜଭଣ୍ଡାର ଶେଷ ହୋଇଯିବାର ଦେଖି ସହସ୍ରାନୀକ ମନରେ ପରମ ସନ୍ତୋଷ ଲାଭ କଲେ । ସେ ତାହା ପରେ ପାଟମନ୍ତ୍ରୀଙ୍କୁ ଡାକି କହିଲେ–

 

“ଅନ୍ୟାୟ ଉପାୟରେ ଅର୍ଜିତ ଯେତେ ଅର୍ଥ ପିତାଙ୍କ ସମୟରୁ ରାଜଭଣ୍ଡାରରେ ଗଚ୍ଛିତ ହୋଇ ରହିଥିଲା, ଏବେ ସେ ସମସ୍ତ ଚାଲିଗଲା । ପାପର ଗନ୍ଧ ପର୍ଯ୍ୟନ୍ତ ଆଉ ଏଠାରେ ରହିଲା ନାହିଁ । ତେଣୁ ଆପଣ ନୂତନ ରାଜଭଣ୍ଡାର ସ୍ଥାପନ କରିବାପାଇଁ ଆଜିଠାରୁ ଲାଗିପଡ଼ନ୍ତୁ । ମନେ ରଖନ୍ତୁ, ଯେପରି କଡ଼ାଏ ସୁଦ୍ଧା କଉଡ଼ି ଅନ୍ୟାୟ ବାଟରୁ ତାହାମଧ୍ୟକୁ ନ ଆସେ । ଶାସ୍ତ୍ରରେ ବିଧାନ ଅଛି–ପ୍ରଜା ଯେତିକି ଆୟ ବା ଉତ୍ପାଦନ କରିବ, ରାଜା ଖୁବ୍ ବେଶି ହେଲେ ତହିଁର ଛଅ ଭାଗରୁ ଭାଗେ ମାତ୍ର ରାଜସ୍ୱ ଗ୍ରହଣ କରିପାରିବ । କେତେବେଳେ ହିସାବରେ ଭୁଲ ହୋଇଗଲେ ରାଜାର ପ୍ରାପ୍ୟ ବାବଦକୁ ବେଶି ରାଜସ୍ୱ ଆଦାୟ ହୋଇଯାଇପାରେ, ତେଣୁ ମୁଁ ଆଦେଶ ଦେଉଛି ଯେ ଛଅ ଭାଗରୁ ଏକ ଭାଗ ବଦଳରେ ଏଣିକି ଆଠ ଭାଗରୁ ଏକ ଭାଗ ପ୍ରଜାଙ୍କଠାରୁ ରାଜସ୍ୱ ନିଆଯିବ । ତାହାଦେଲେ ଅନ୍ୟାୟଭାବରେ ରାଜକୋଷକୁ ଅର୍ଥ ଆସିବାର କୌଣସି ଆଶଙ୍କା ରହିବ ନାହିଁ ।”

 

ମହାରାଜାଙ୍କର ଏ ବିଚିତ୍ର ପରିବର୍ତ୍ତନ ଓ ଉତାରତା ଦେଖି ପାଟମନ୍ତ୍ରୀ ଅବାକ୍ ହୋଇଗଲେ ଏବଂ ଏହି ନୀତିରେ ରାଜସ୍ୱ ଆଦାୟ କରାଇବେ ବୋଲି ପ୍ରତିଶ୍ରୁତି ଦେଲେ । ତତ୍ପରେ ସହସ୍ରାନୀକ ପୁଣି ପାଟମନ୍ତ୍ରୀଙ୍କୁ କହିଲେ–

 

“ଆଉ ଗୋଟିଏ କଥା । ମୁଁ ରାଜ୍ୟବାସୀଙ୍କର ସେବକ ମାତ୍ର । ତେଣୁ ମୋପାଇଁ ବା ମୋ ପରିବାରର ବ୍ୟକ୍ତିମାନଙ୍କ ପାଇଁ ଆଦୌ ଅନର୍ଥକ ବ୍ୟୟ ହେବ ନାହିଁ । ଆପଣମାନେ ଯେପରି ମାସିକ ବେତନ ପାଉଛନ୍ତି, ଆମ୍ଭମାନଙ୍କ ପାଇଁ ମଧ୍ୟ ସେହିପରି କିଛି କିଛି ବେତନ ଧାର୍ଯ୍ୟ କରିଦିଅନ୍ତୁ । ସେ ନିର୍ଦ୍ଧାରିତ ବେତନରୁ ଅଧିକ ଅର୍ଥ ମୁ ବା ମୋର ପରିଜନ କେହି ନେଇପାରିବୁ ନାହିଁ । ଏହି ରୁପେ ସବୁ ଦିଗରୁ ଅଯଥା ବ୍ୟୟ ବନ୍ଦ କରିଦେଲେ ବଳେ ବଳେ ରାଜଭଣ୍ଡାର ପୂର୍ଣ୍ଣ ହୋଇଯିବ ଏବଂ ଅର୍ଥର ଆଉ ଅଭାବ ରହିବ ନାହିଁ । ତାହାହେଲେ ରାଜ୍ୟର ବହୁ ସଦ୍‍ନୁଷ୍ଠାନ ପୁଣି ମୁଣ୍ଡ ଟେକିପାରିବ ଏବଂ ବ୍ରାହ୍ମଣମାନେ ପୂର୍ବପରି ବହୁପରିମିତ ଦାନ ପାଇପାରିବେ ।”

 

ମହାରାଜାଙ୍କର ସମସ୍ତ ଆଦେଶ ପାଟମନ୍ତ୍ରୀ ଅକ୍ଷରେ ଅକ୍ଷରେ ପାଳନ କଲେ । ସେହିଦିନୁ ରାଜ୍ୟରେ ନୂଆ ଧରଣର ଶାସନ ପ୍ରବର୍ତ୍ତିତ ହେଲା । ଲୋକେ ପରମ ଶାନ୍ତିରେ କାଳ ଯାପନ କଲେ । ବ୍ରାହ୍ମଣକୁଳର ଆଉ କୌଣସି ଅଭାବ–ଅସୁବିଧା ରହିଲା ନାହିଁ ।

 

ଏହି ଭାବରେ ଛଅ ମାସ ଅତୀତ ହେଲାପରେ ମହର୍ଷି ଭାର୍ଗବ ପୁଣିଥରେ ନରଗପୁରୀକୁ ଗମନ କଲେ । ସେଠାରେ ଶତାନୀକଙ୍କର ସାକ୍ଷାତ ନ ପାଇବାରୁ ସେ ଯମଦୁତମାନଙ୍କୁ ତାଙ୍କ ସମ୍ବାଦ ପଚାରିଲେ । ଯମଦୂତମାନେ କହିଲେ–

 

“ଏଥିମଧ୍ୟରେ ଶତାନୀକଙ୍କର ସମସ୍ତ ପାପ ଶେଷ ହୋଇଯାଇଛି । ତେଣୁ ପାପକ୍ଷୟରେ ସେ ନରକବାସରୁ ମୁକ୍ତିପାଇ ସ୍ୱର୍ଗକୁ ଚାଲିଯାଇଛନ୍ତି ଏବଂ ସେଠାରେ ସ୍ଥାୟୀଭାବରେ ବାସ କରୁଛନ୍ତି-।”

 

ଶତାନୀକଙ୍କର ଏହି ସମ୍ବାଦ ଘେନି ଭାର୍ଗବ ସହସ୍ରାନୀକଙ୍କ ନିକଟକୁ ଆସିଲେ । ପିତା ଏବେ ସ୍ୱର୍ଗରେ ବାସ କରୁଥିବା କଥା ଋଷିଙ୍କ ମୁଖରୁ ଶୁଣି ସହସ୍ରାନୀକ ଅତ୍ୟନ୍ତ ଉତଫୁଲ୍ଲ ହୋଇଉଠିଲେ ଏବଂ ନିଜର ପୁତ୍ରଜନ୍ମ ଏତେଦିନେ ସାର୍ଥକ ହେଲା ବୋଲି ମନେ ମନେ ଭାବିଲେ ।

Image

 

ଉପବର୍ହଣ

 

ବ୍ରାହ୍ମା ପୃଥିବୀକୁ ଗଢ଼ିସାରିବା ପରେ ପ୍ରଜା ସୃଷ୍ଟି କଲେ । ତା’ପରେ ନିଜର ସନ୍ତାନମାନଙ୍କୁ ସେ ଆଦେଶ ଦେଲେ–

 

“ତୁମ୍ଭେମାନେ ଏବେ ବିବାହକରି ଗୃହସ୍ଥଜୀବନ କର । ତଦ୍ଦ୍ୱାରା ପୁଥିବୀର ପ୍ରଜାସଂଖ୍ୟା ଶୀଘ୍ର ବୃଦ୍ଧିଲାଭ କରିବ ।”

 

ସମସ୍ତ ପୁତ୍ର ପିତାଙ୍କ ଆଜ୍ଞାକୁ ଶିରୋଧାର୍ଯ୍ୟ କଲେ ହେଁ କେବଳ ନାରଦ ସେଥିରେ ଆପତ୍ତି କରି କହିଲେ–

 

“ପିତା ! ମୁଁ ସବୁବେଳେ ହରିନାମ ଜପିବାକୁ ଇଚ୍ଛାକରେ । ସଂସାରୀ ହେଲେ ତହିଁରେ ବାଧା ପଡ଼ିବ, ତେଣୁ ମୁଁ ବିବାହ କରିପାରିବି ନାହିଁ । ଦୟାକରି ଆପଣଙ୍କ ଆଦେଶପାଳନରୁ ମୋତେ କ୍ଷାନ୍ତି ଦିଅନ୍ତୁ ।”

 

ନାରଦଙ୍କର ଏହି ଅବାଧ୍ୟତା ଦେଖି ବ୍ରହ୍ମା ଅତ୍ୟନ୍ତ କ୍ରୁଦ୍ଧହୋଇ ଅଭିଶାପ ଦେଲେ–

 

“ପୁତ୍ର ହୋଇ ତୁମେ ମୋର ଆଦେଶକୁ ଲଙ୍ଘନ କଲ, ତେଣୁ ସେହି ପାପରୁ ମୋର ଅଭିଶାପ ଘେନି ତୁମେ ଗନ୍ଧର୍ବ ହୋଇ ଜନ୍ମ ଲାଭ କରିବ ଏବଂ ନିୟମିତ ସଂସାରୀ ହୋଇ କିଛି କାଳ ଜୀବନ କଟାଇବାପରେ ପୁଣି ସ୍ୱଦେହ ପ୍ରାପ୍ତ ହେବ ।”

 

ଅଭିଶାପ ପାଇ ନାରଦ ବଡ଼ କ୍ଷୁର୍ଣ୍ଣ ହେଲେ । ସେ ମଧ୍ୟ ବ୍ରହ୍ମାଙ୍କୁ ଶାପ ଦେଲେ–

 

“ପିତା ! ବିନା ଅପରାଧରେ ଆପଣ ମୋତେ ଅଭିଶାପ ଦେଲେ । ଏଥିରେ ଆପଣଙ୍କର ଯେଉଁ ପାପ ହେଲା, ତାହାରି ଫଳରେ ଦୀର୍ଘ ତିନି କଳ୍ପ ପର୍ଯ୍ୟନ୍ତ ଆପଣ କାହାଠାରୁ ପୂଜା ପାଇପାରିବେ ନାହିଁ ।”

 

ଉଭୟଙ୍କର ଶାପ ଉଭୟଙ୍କ ପ୍ରତି ଫଳିଲା । ଅଭିଶପ୍ତ ନାରଦ ଗନ୍ଧର୍ବ ରାଜାଙ୍କର ପୁତ୍ର ହୋଇ ଜନ୍ମ ଲାଭ କଲେ ଏବଂ ଶାପଗ୍ରସ୍ତ ବ୍ରହ୍ମା କାହାରିଠାରୁ ପୂଜା ପାଇଲେ ନାହିଁ ।

 

ଗନ୍ଧର୍ବରାଜ ଏ ପର୍ଯ୍ୟନ୍ତ ନିଃସନ୍ତାନ ଥିଲେ । ଏତେକାଳେ ତାଙ୍କ ପୁରୀ ଉଜ୍ଜ୍ୱଳ ହେଲା । ଉତ୍ସବ–ଆମୋଦର ଘଟା ଅହର୍ନିଶ ଲାଗିରହିଲା । ବଶିଷ୍ଠ ନିଜେ ଆସି ଶିଶୁଟିକୁ ଆଶୀର୍ବାଦ ଦେଲେ ଏବଂ ତାହାର ନାମକରଣ କଲେ ‘ଉପବର୍ହଣ’ ।

 

କ୍ରମେ ଉପବର୍ହଣ ବାଲ୍ୟ ଓ କୈଶୋର ଅତିକ୍ରମ କରି ଯୌବନରେ ପଦାର୍ପଣ କଲେ । ତାଙ୍କର ମନ ସ୍ୱଭାବତଃ ହରିଙ୍କ ପ୍ରତି ଆକୃଷ୍ଟ ହେଲା । ବଶିଷ୍ଠ ଏହା ଜାଣିପାରି ତାହାଙ୍କୁ ହରିମନ୍ତ୍ର ଶିକ୍ଷା ଦେଲେ । ଉପବର୍ହଣ ନିଜ ନିଷ୍ଠାବଳରେ ଅଳ୍ପକାଳ ମଧ୍ୟରେ ଜଣେ ବିଶିଷ୍ଟ ଭକ୍ତରୂପେ ଖ୍ୟାତି ଲାଭ କଲେ । ହରିଗୁଣଗାନ ଓ ହରିଙ୍କ ଉପାସନା ତାଙ୍କ ଜୀବନରେ ସର୍ବାପେକ୍ଷା ପ୍ରିୟକାର୍ଯ୍ୟ ହେଲା ।

 

ଏଥିମଧ୍ୟରେ ଗନ୍ଧର୍ବରାଜଙ୍କର ମୃତ୍ୟୁ ଘଟିଲା । ପିତାଙ୍କ ଅନ୍ତେ ଉପବର୍ହଣ ଗନ୍ଧର୍ବମାନଙ୍କର ରାଜା ହୋଇ ରାଜ୍ୟଶାସନ କରିବାକୁ ଲାଗିଲେ । ତାଙ୍କର ପଚାଶଟି ରାଣୀଙ୍କ ମଧ୍ୟରୁ ମାଳାବତୀ ପ୍ରଧାନ ମହିଷୀ ଥିଲେ । ସେ ସ୍ୱାମୀଙ୍କ ସେବାରେ ଜୀବନ ଉତ୍ସର୍ଗ କରି ପରମ ସନ୍ତୋଷ ଲାଭ କରୁଥିଲେ ।

 

ଥରେ ରାଜା ଉପବର୍ହଣ ରାଜ୍ୟ ଭ୍ରମଣ କରୁ କରୁ ପୁଷ୍କର ତୀର୍ଥରେ ଯାଇ ପହଞ୍ଚିଲେ । ସେଠାରେ ଦେବତାମାନେ ଏକତ୍ର ବସି ଅପସରା ରମ୍ଭାର ନୃତ୍ୟଲୀଳା ଉପଭୋଗ କରୁଥିଲେ । ସୁନ୍ଦରୀ ରମ୍ଭାର ଅପୂର୍ବ ନୃତ୍ୟଭଙ୍ଗୀରେ ଉପବର୍ହଣ ଆକୃଷ୍ଟ ହୋଇଗଲେ । ତାଙ୍କର ହରିପଦାଶ୍ରିତ ସ୍ଥିର ମାନସ କ୍ଷଣକାଳ ପାଇଁ ଚଞ୍ଚଳ ହୋଇଉଠିଲା । ତାହା ଦେଖି ବ୍ରହ୍ମା ସେଠାରେ ଆବିର୍ଭୂତ ହେଲେ ଏବଂ ଉପବର୍ହଣଙ୍କୁ ପୁଣି ଅଭିଶାପ ଦେଲେ–

 

“ଏବେ ତୁମେ ଗନ୍ଧର୍ବଶରୀର ଛାଡ଼ି ଶୁଦ୍ରାଣୀର ଗର୍ଭରେ ଜନ୍ମଗ୍ରହଣ କରିବ ।”

 

ସଙ୍ଗେ ସଙ୍ଗେ ବ୍ରହ୍ମାଙ୍କ ଶାପ କାର୍ଯ୍ୟରେ ପରିଣତ ହେଲା । ଉପବର୍ହଣ ଦେହତ୍ୟାଗ କହିବା ମାତ୍ରେ ସାଧ୍ୱୀ ମାଳାବତୀ ସ୍ୱାମୀଙ୍କ ଜଡ଼ପିଣ୍ଡ ଧରି କାତର ପ୍ରାଣରେ ଚିତ୍କାର କରିବାକୁ ଲାଗିଲେ । କାନ୍ଦି କାନ୍ଦି ଶେଷରେ ସେ ମୂର୍ଚ୍ଛିତା ହୋଇ ଭୂତଳରେ ପଡ଼ିରହିଲେ ।

 

କ୍ରମେ ରାତ୍ରିର ଶେଷ ପ୍ରହର ଉପଗତ ହେଲା । ନିଶନ୍ତ ପବନର ସ୍ପର୍ଶରେ ଚୈତନ୍ୟ ଫେରି ଆସନ୍ତେ ଅସହାୟା ମାଳାବତୀ ସ୍ୱାମୀଙ୍କ ମୃତ ଦେହକୁ କୋଳରେ ସ୍ଥାପନ କଲେ ଏବଂ ଉଚ୍ଚ ସ୍ୱରରେ କ୍ରନ୍ଦନ କରି ଦେବତାମାନଙ୍କୁ ଡାକି କହିଲେ–

 

“ହେ ଦେବଗଣ ! ତୁମ୍ଭେମାନେ ଶୀଘ୍ର ମୋ ସ୍ୱାମୀଙ୍କୁ ବଞ୍ଚାଇ ଦିଅ, ନ ହେଲେ ମୋର ଅଭିଶାପରୁ ସମସ୍ତେ ଭୀଷଣ ଶାସ୍ତି ଭୋଗିବ । ହେ ନାରାୟଣ ! ମୋତେ ବୈଧବ୍ୟ ଦୁଃଖରୁ ରକ୍ଷା ନ କଲେ ତୁମର ମହତ୍ତ୍ୱ ନିଶ୍ଚୟ ଧ୍ୱଂସ ପାଇବ । ହେ ବ୍ରହ୍ମା ! ପୁତ୍ରଶାପରୁ ତୁମର ପୂଜା ଲୋପ ପାଇଛି, ମୋ ପତିଙ୍କୁ ଫେରାଇ ନ ଦେଲେ ଏବେ ତୁମର ଅଧିକାର ମଧ୍ୟ ଲୋପ ପାଇବ । ହେ ଶଙ୍କର ! ମୋ କପାଳରୁ ସିନ୍ଦୁର ବିନ୍ଦୁ ଯଦି ଚିରଦିନପାଇଁ ଲୀନ ହୋଇଯାଏ, ତାହାହେଲେ ସତୀର ମହିମାରେ ତୁମର ସମସ୍ତ ତତ୍ତ୍ୱଜ୍ଞାନ ଲୀନ ହୋଇଯିବ ।”

 

ଧର୍ମ, ମୃତ୍ୟୁ, ପବନ, ଚନ୍ଦ୍ର, ସୂର୍ଯ୍ୟ ପ୍ରଭୃତି ଯେତେ ଦେବତା ଉପସ୍ଥିତ ଥିଲେ, ସମସ୍ତଙ୍କୁ ମାଳାବତୀ ଏହିପରି ଶାପର ଭୟ ଦେଖାଇ ଭର୍ତ୍ସନା କରିବାକୁ ଲାଗିଲେ । ତାହା ଶୁଣି ଦେବତାମାନେ ବଡ଼ ଶଙ୍କିତ ହୋଇ ପରମେଶ୍ୱରଙ୍କ ନିକଟରେ ପହଞ୍ଚିଲେ ଏବଂ କରଯୋଡ଼ି ଜଣାଇଲେ–

 

“ଭଗନାନ୍ ! ବୈଧବ୍ୟ–ଶୋକରେ ଆତ୍ମଜ୍ଞାନଶୁନ୍ୟ ହୋଇ ସତୀ ମାଳାବତୀ ବର୍ତ୍ତମାନ ଆମ୍ଭମାନଙ୍କୁ ଅଭିଶାପ ଦେବାକୁ ବସିଛନ୍ତି । ଆପଣ ଦୟାକରି ଆମ୍ଭମାନଙ୍କୁ ସତୀ ଶାପାନଳରୁ ରକ୍ଷା ନ କଲେ ଆମ୍ଭମାନଙ୍କର ଦେବତ୍ୱ ଓ ଅଧିକାର ଚିରଦିନଲାଗି ଲୁପ୍ତ ହୋଇଯିବ ।”

 

ପରମେଶ୍ୱର ଦେବଗଣଙ୍କୁ ଆଶ୍ୱାସନା ଦେଇ ମାଳାବତୀଙ୍କ ନିକଟକୁ ପଠାଇଦେଲେ । ସେମାନେ ଆସି ଦେଖିଲେ, ସତୀ ମୃତପତିଙ୍କୁ କୋଡ଼ରେ ଧରି ବସିଛନ୍ତି । ତାଙ୍କ ନୟନ–ନିସୃତ ଲୋତକ–ସ୍ରୋତରେ ଭୂମି ବକ୍ଷ ପ୍ଲାବିତ ହୋଇଯାଇଛି । ଠିକ୍ ଏହି ସମୟରେ ଗୋଟିଏ ବ୍ରାହ୍ମଣବାଳକ ହଠାତ୍ କାହୁଁ ଆସି ସେଠାରେ ଉପସ୍ଥିତ ହେଲା ଏବଂ ମାଳାବତୀଙ୍କୁ ତାଙ୍କର ଏପରି ଦୁର୍ଦ୍ଦଶାର କାରଣ ପଚାରିଲା । ମାଳାବତୀ ଧୀରେ ଧୀରେ ସମସ୍ତ କାହାଣୀ ବର୍ଣ୍ଣନ କଲେ । ତାହା ଶୁଣି ବ୍ରାହ୍ମଣବାଳକ କହିଲା–

 

“ମୁଁ ଜଣେ ଚିକିତ୍ସକ । ଯେ କୌଣସି ଅସାଧ୍ୟ ବ୍ୟାଧି ମୋ ଦ୍ୱାରା ଆରୋଗ୍ୟ ହୋଇଯାଏ-। ଏପରିକି ମୃତ ବ୍ୟକ୍ତିକୁ ମୁଁ ପୁନର୍ଜୀବିତ କରାଇ ଦେଇପାରେ । ମୋର ଆଦେଶ ହେଲେ ଯମ, କାଳ ଓ ମୃତ୍ୟୁକନ୍ୟା ମଧ୍ୟ ପାଖରେ ଆସି ଉପସ୍ଥିତ ହେବେ । ଏବେ କୁହ, ତୁମର ସ୍ୱାମୀ କି ରୋଗରେ ଜୀବନ ତ୍ୟାଗ କରିଛନ୍ତି । ତାହା ଜାଣିଲେ ମୁଁ କିଛି ପ୍ରତିକାର କରିବି ।”

 

ବାଳକର ଉକ୍ତି ଶୁଣି ମାଳାବତୀ ବିସ୍ମିତ ହୋଇଗଲେ । ତାହାର ଅଦ୍ଭୁତ ଶକ୍ତିର ପରିଚୟ ପାଇବାପାଇଁ ସତୀ କହିଲେ–

 

“ହେ ବାଳକ ଚିକିତ୍ସକ ! ପ୍ରଥମେ ସେହି ତିନିଜଣଙ୍କୁ ଏଠାକୁ ଆସିବା ପାଇଁ ଆଦେଶ କର । ମୁଁ ସେମାନଙ୍କୁ କେତୋଟି ପ୍ରଶ୍ନ ପଚାରିବି ।”

 

ବ୍ରାହ୍ମଣବାଳକଟି ସମ୍ମତିସୂଚକ ନୟନଭଙ୍ଗୀ ଦେଖାଇ କେତୋଟି କ୍ଷଣମାତ୍ର ନୀରବରେ ଦଣ୍ଡାୟମାନ ରହିଲା । ଆଶ୍ଚର୍ଯ୍ୟ କଥା, ସଙ୍ଗେ ସଙ୍ଗେ ଯମ, କାଳ ଓ ମୃତ୍ୟୁକନ୍ୟା ଆସି ସେଠାରେ ଉପସ୍ଥିତ ହୋଇଗଲେ । ମାଳାବତୀ ପ୍ରଥମେ ଯମଙ୍କୁ ପଚାରିଲେ–

 

“ପ୍ରଭୋ ! ଆପଣ ତ ସ୍ୱୟଂ ଧର୍ମ, କହନ୍ତୁ, କେଉଁ ଧର୍ମ ବିଚାରରେ ଆପଣ ମୋ ସ୍ୱାମୀଙ୍କର ଜୀବନ ନେଇଯାଇଛନ୍ତି ?”

 

Image

[ମାଳାବତୀ ଓ ଯମ]

 

ଯମ ଉତ୍ତର ଦେଲେ–

 

“ପ୍ରାଣୀର ସମୟ ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ତା ଜୀବନ ନେବାର ଅଧିକାର ମୋର ନାହିଁ-। ଏ କଥାରେ ବିଶ୍ୱାସ ନ ହେଲେ ମୃତ୍ୟୁ କନ୍ୟାଙ୍କୁ ପଚାରି ପାର ।”

 

ମାଳାବତୀ ମୃତ୍ୟୁକନ୍ୟାଙ୍କ ପ୍ରତି ଦୃଷ୍ଟିପାତ କଲେ । ମୃତ୍ୟୁକନ୍ୟାଙ୍କ ଦେହ ଘୋର କୃଷ୍ଣବର୍ଣ୍ଣ । ତାଙ୍କର ଛଅଟି ହସ୍ତ । ସେ ତାଙ୍କ ସ୍ୱାମୀ କାଳଙ୍କ ପାର୍ଶ୍ୱକୁ ଲାଗି ଠିଆ ହୋଇଥାଆନ୍ତି । ଆଉ ତାଙ୍କର ଚଉଷଠିଟି ପୁତ୍ର ସେଠାରେ ଘେରି ରହିଥାନ୍ତି । ମାଳାବତୀ ମୃତ୍ୟୁକନ୍ୟାଙ୍କୁ କହିଲେ–

 

“ଆପଣ ଦେବୀ, ତେଣୁ ଅବଳା ନାରୀର ଦୁଃଖ ସହଜରେ ଅନୁଭବ କରିପାରିବେ । ଦୟା କରି କହନ୍ତୁ, କେଉଁ ଅପରାଧରେ ମୋର ପତି ପ୍ରାଣହୀନ ହେଲେ ?”

 

ମୃତ୍ୟୁକନ୍ୟା ଖୁବ ସହାନୁଭୂତି ଦେଖାଇ ଉତ୍ତର ଦେଲେ–

 

“ମୁଁ ବା ମୋର ପୁତ୍ରଗଣ କାଳଙ୍କ ଆଦେଶ ନ ପାଇବା ପର୍ଯ୍ୟନ୍ତ କୌଣସି ପ୍ରାଣୀର ପ୍ରାଣ ହରଣ କରୁନାହିଁ । ମୋ କଥାରେ ସନ୍ଦେହ ହେଲେ କାଳଙ୍କୁ ପଚାର । ସେ ଏଥିର ସତ୍ୟାସତ୍ୟ କହିବେ ଏବଂ ତୁମ ସ୍ୱାମୀଙ୍କ ମୃତ୍ୟୁର କାରଣ ମଧ୍ୟ ବୁଝାଇଦେବେ ।”

 

ତା’ପରେ ମାଳାବତୀ କାଳଙ୍କୁ ଚାହିଁଲେ । ତାଙ୍କ ମୂର୍ତ୍ତି ଅତି ଭୀଷଣ,. କିନ୍ତୁ ସମସ୍ତ ଅବୟବରୁ ଗୋଟିଏ ଜ୍ୟୋତି ଫୁଟି ବାହାରୁଥାଏ । ତାଙ୍କର ଷୋଳ ହାତ, ଛଅ ମୁଖ, ଚବିଶ ଆଖି ଓ ଛଅ ପାଦ । ସେ ସର୍ବଦା ନାରାୟଣଙ୍କ ନାମ ଜପ କରୁଥାନ୍ତି । ସେହି ବିଚିତ୍ର ଆକୃତିବିଶିଷ୍ଟ କାଳଙ୍କୁ ମାଳାବତୀ ପ୍ରଶ୍ନକଲେ–

 

“ପ୍ରଭୋ ! ଆପଣ କି କାରଣରୁ ଅକାଳରେ ମୋ ସ୍ୱାମୀଙ୍କ ପ୍ରାଣ ଘେନିଗଲେ ?”

 

ଏହା ଶୁଣି କାଳ ମଧୁର ସ୍ୱରରେ ବୁଝାଇ କହିଲେ–

 

“ସତୀ ! ମୋ ଇଚ୍ଛାନୁସାରେ ମୁଁ କିଛି କରିପାରେ ନାହିଁ । ମୋର ନିଜର କୌଣସି ଶକ୍ତି ନାହିଁ–ମୁଁ ସେହି ପରମେଶ୍ୱରଙ୍କର ଦାସ ମାତ୍ର । ସେ ଯେତେବେଳେ ଯେପରି ଆଦେଶ ଦିଅନ୍ତି, ମୁଁ ସେହିପରି ତାହା ପାଳନ କରେ । ତେଣୁ ସର୍ବମୂଳାଧାର ସେହି ଭଗବାନଙ୍କ ଚରଣରେ ତୁମେ ଶରଣ ନିଅ । ସେ ସନ୍ତୁଷ୍ଟ ହେଲେ ତୁମେ ପୁଣି ପତିଙ୍କୁ ପାଇପାରିବ । ଏକମାତ୍ର ପରମେଶ୍ୱରଙ୍କ ବ୍ୟତୀତ ଅନ୍ୟ କେହି ତୁମ ସ୍ୱାମୀଙ୍କ ପ୍ରାଣ ଫେରାଇ ଦେଇପାରିବେ ନାହିଁ ।”

 

ଏତିକିବେଳେ ବ୍ରାହ୍ମଣ ବାଳକଟି ମାଳାବତୀଙ୍କୁ ଲକ୍ଷ୍ୟକରି କହିଲା–

 

“ଯମ, ମୃତ୍ୟୁକନ୍ୟା ଓ କାଳ ଯାହା ଯାହା କହିଲେ, ତୁମେ ସବୁ ଶୁଣିଲ । ଏହାପରେ ଆଉ କିଛି ଯଦି ପଚାରିବାର ଥାଏ, ମୋତେ ପଚାର ।”

 

ମାଳାବତୀ କରଯୋଡ଼ି ନିବେଦନ କଲେ–

 

“ହେ ଚିକିତ୍ସକ ! ଆଉ କୌଣସି ପ୍ରଶ୍ନ ପଚାରିବାର ପ୍ରୟୋଜନ ନାହିଁ । କୃପାବହି ମୋ ସ୍ୱାମୀଙ୍କୁ ଜୀବଦାନ କରନ୍ତୁ, ଏତିକିମାତ୍ର ଭିକ୍ଷା ।”

 

ବ୍ରାହ୍ମଣବାଳକ ଏହା ଶୁଣି ଦେବତାମାନଙ୍କୁ ଚାହିଁ ନିର୍ଦ୍ଦେଶ ଦେଲେ–

 

“ଆପଣମାନେ ଅତିଶୀଘ୍ର ଉପବର୍ହଣଙ୍କୁ ପୁନର୍ଜୀବିତ କରନ୍ତୁ । ତା ନ ହେଲେ ସତୀ ମାଳାବତୀଙ୍କ ତୀବ୍ର ଅଭିଶାପରେ ଆପଣମାନଙ୍କର ସର୍ବନାଶ ଘଟିବ ।”

 

ବ୍ରହ୍ମା ତତ୍‍କ୍ଷଣାତ୍ ଦେବଗଣଙ୍କ ମଧ୍ୟରୁ ବାହାରିପଡ଼ି କହିଲେ–

 

“ମୋର ପୁତ୍ର ନାରଦ ମୋରି ଶାପରେ ଉପବର୍ହଣ ରୂପରେ ଜନ୍ମ ପାଇଥିଲା । ପୁଣି ମୋର ଦ୍ୱିତୀୟ ଶାପରୁ ଶୁଦ୍ରାଣୀ ଗର୍ଭରେ ଜନ୍ନିବାପାଇଁ ଦେହତ୍ୟାଗ କରିଛି । ମୁଁ ମାଳାବତୀର ପତିବ୍ରତ୍ୟରେ ମୁଗ୍‍ଧ ହୋଇ ତା’ର ବୈଧବ୍ୟଶୋକ ଦୂର କରିବି । ଉପବର୍ହଣ ଏଥର ଜୀବନ ପାଇ ବଞ୍ଚିଉଠବ । ଆଉ ତାକୁ ଶୁଦ୍ରାଣୀର ପୁତ୍ର ହେବାକୁ ପଡ଼ିବ ନାହିଁ ।”

 

ବ୍ରହ୍ମା ଏହା କହି ଉପବର୍ହଣଙ୍କ ପ୍ରାଣହୀନ ଦେହରେ କମଣ୍ଡଳୁରୁ ଜଳ ସିଞ୍ଚିଦେଲେ । ସଙ୍ଗେ ସଙ୍ଗେ ସେହି ଜଡ଼ ଦେହରେ ଚେତନା ସଞ୍ଚାରିତ ହେଲା ଏବଂ ମୃତ ପିଣ୍ଡଟି ସୁନ୍ଦର ହୋଇ ଉଠିଲା । ମହାଦେବ ତହିଁରେ ଦେଲେ ଜ୍ଞାନ, ଧର୍ମ ଦେଲେ ବିବେକ, ସୂର୍ଯ୍ୟ ଦେଲେ ଦୃଷ୍ଟିଶକ୍ତି, ପବନ ଦେଲେ ଶ୍ୱାସପ୍ରଶ୍ୱାସ ଏବଂ ସରସ୍ୱତୀ ଦେଲେ ବାକ୍‍ଶକ୍ତି । ଏତେ ଦେବଦେବୀଙ୍କଠାରୁ ଅନୁଗ୍ରହ ଲାଭ କଲେ ମଧ୍ୟ ଉପବର୍ହଣ ଠିଆ ହେବାର ଶକ୍ତି ପାଇପାରିଲେ ନାହିଁ । ସେହିପରି ଭୂତଳରେ ପଡ଼ିରହିଲେ । ଏହା ଦେଖି ମାଳାବତୀ ଗଭୀର ଭକ୍ତିର ସହିତ ପରମେଶ୍ୱରଙ୍କୁ ଧ୍ୟାନ କରିବାକୁ ଲାଗିଲେ । ପରମେଶ୍ୱର ତାଙ୍କୁ ଉପରେ ପ୍ରସନ୍ନ ହେଲେ । ମାଳାବତୀ ଓ ସମସ୍ତ ଦେବଦେବୀଙ୍କୁ ବିସ୍ମୟ–ସାଗରରେ ବୁଡ଼ାଇ ଦେଇ ହଠାତ୍ ସେହି ବ୍ରାହ୍ମଣବାଳକଟି ସେଠାରୁ ଅନ୍ତର୍ହିତ ହୋଇଗଲା ଏବଂ ସ୍ୱୟଂ ପରମେଶ୍ୱର ତା’ ସ୍ଥାନରେ ଅବତୀର୍ଣ୍ଣ ହୋଇ ଉପବର୍ହଣଙ୍କ ପିଣ୍ଡରେ ଆତ୍ମାର ସଞ୍ଚାର କରାଇଦେଲା । ତତ୍‍କ୍ଷଣାତ ଉପବର୍ହଣ ନିଦ୍ରାରୁ ଉଠିଲା ପରି ଚକ୍ଷୁ ଫିଟାଇ ଦଣ୍ଡାୟମାନ ହେଲେ ଏବଂ ପରମେଶ୍ୱରଙ୍କ ସମେତ ସମସ୍ତ ଦେବଦେବୀଙ୍କୁ ପ୍ରଣାମ କଲେ-। ସମସ୍ତେ ଜାଣିଲେ ଯେ, ପରମେଶ୍ୱର ସେହି ବ୍ରାହ୍ମଣବାଳକର ଛଦ୍ମରୂପ ଘେନି ସେଠାକୁ ଆସିଥିଲେ ।

 

ଏହାର କିଛିକାଳ ପରେ ପିତା ବ୍ରହ୍ମାଙ୍କ ଆଶୀର୍ବାଦରୁ ଉପବର୍ହଣଙ୍କ ଶାପଭୋଗର କାଳ ଶେଷ ହେଲା । ସେ ଶାପମୁକ୍ତ ହୋଇ ପୁଣି ନାରଦରୂପେ ସ୍ୱର୍ଗକୁ ଯାତ୍ରା କଲେ ।

Image

 

କୁକୁରୀର ଅଭିଶାପ

 

ତକ୍ଷକର ଦଂଶନରେ ଅଭିମନ୍ୟୁଙ୍କ ପୁତ୍ର ରାଜା ପରୀକ୍ଷିତ ପ୍ରାଣ ହରାଇଲେ । ପିତାଙ୍କର ଅକାଳ ତିରୋଧାନରେ ଜନ୍ମେଜୟ ସିଂହାସାନରେ ଅଭିଷିକ୍ତ ହୋଇ ପ୍ରଜାପାଳନ କଲେ ।

 

ରାଜା ଜନ୍ମେଜୟ ଥରେ କୁରୁକ୍ଷେତ୍ର ପ୍ରାନ୍ତରରେ ଗୋଟିଏ ଯଜ୍ଞ ଆରମ୍ଭ କଲେ । ଘୁତ ଓ ଅନ୍ୟାନ୍ୟ ଯଜ୍ଞଦ୍ରବ୍ୟ ସେଠାରେ ପ୍ରଚୁର ପରିମାଣରେ ରକ୍ଷିତ ହୋଇଥାଏ । କୁକୁର ଶାବକଟିଏ କେଉଁଆଡ଼ୁ ଆସି ସେହିସବୁ ଦ୍ରବ୍ୟର ଚାରିପାଖରେ ବୁଲିଲା । କାଳେ ସେହି ଶାବକଟା ଯଜ୍ଞସାମଗ୍ରୀମାନ ଛୁଇଁ ଅବିତ୍ର କରିଦେବ, ଏହି ଆଶଙ୍କାରେ ଜନ୍ମେଜୟଙ୍କ ଭ୍ରାତାମାନେ ତାକୁ ପ୍ରହାର କରି ଯଜ୍ଞସ୍ଥାନରୁ ତଡ଼ିଦେଲେ । ନିରୀହ କୁକୁରଟି କାନ୍ଦି କାନ୍ଦି ତାହାର ମାତା ପାଖକୁ ଚାଲିଯାଇ କହିଲା–

 

“ମା ! ବିନା ଦୋଷରେ ମୋତେ ରାଜାଘରର ଲୋକେ ମାରିଲେ ।

 

ସନ୍ତାନର ଦୁଃଖ ସହି ନ ପାରି କୁକୁରୀ କ୍ରୁଦ୍ଧହୋଇ ରାଜାଙ୍କ ସମ୍ମୁଖରେ ଉପସ୍ଥିତ ହେଲା-। ଜନ୍ମେଜୟ ତାହାକୁ ଦେଖି ପ୍ରଶ୍ନ କଲେ–

 

“ତୋର କ’ଣ ପ୍ରୟୋଜନ ? କାହିଁକି ଏଠାକୁ ଆସିଛୁ ?”

 

କୁକୁରୀ କୁପିତ ସ୍ୱରରେ କହିଲା–

 

“ରାଜା ! ମୋର ନିରୀହ ଶାବକଟିକୁ ତୁମ ଲୋକେ ବିନା କାରଣରେ ପ୍ରହାର କରି ଏଠାରୁ ବିତାଡ଼ିତ କରିଦେଇଛନ୍ତି । ଲକ୍ଷ ଲକ୍ଷ ଲୋକଙ୍କ ପରି ମୁଁ ମଧ୍ୟ ତୁମ ରାଜ୍ୟର ଜଣେ ପ୍ରଜା । ନିର୍ଦ୍ଦୋଷ ପ୍ରଜା ପ୍ରତି ଏପରି ଅତ୍ୟାଚାର ଅତି ନିନ୍ଦାର କଥା । ଶାସକ ହୋଇ ତୁମେ ଏ ଯେଉଁ ଅନ୍ୟାୟ ଓ ଅତ୍ୟାଚାର କରିଛ, ଏହାର ଫଳରେ ତୁମର ପୁଣ୍ୟ-ଅନୁଷ୍ଠାନ ନିଶ୍ଚୟ ପଣ୍ଡ ହୋଇଯିବ-।”

 

ଏହି କୁକୁରୀଟି ସମାନ୍ୟ ପ୍ରାଣୀ ନୁହେଁ–ଏ ହେଉଛି ଜଣେ ଅଭିଶପ୍ତା ଦେବଗନ୍ୟା । ତେଣୁ ତାର ଅଭିଶାପ କେବେହେଲେ ଅନ୍ୟଥା ହେବାର ନୁହେଁ ।

 

ରାଜା ଜନ୍ମେଜୟ କୁକୁରୀର ଶାପୋକ୍ତି ଶୁଣି ବଡ଼ି ଚିନ୍ତିତ ହୋଇପଡ଼ିଲେ ଏବଂ ବହୁ ବିଜ୍ଞ ବ୍ୟକ୍ତି, ବ୍ରାହ୍ମଣ ଓ ମନ୍ତ୍ରୀଙ୍କ ସହିତ ପରାମର୍ଶ କରି ଶେଷରେ ସେ ଏକ ପାପ-ଖଣ୍ଡନ ଯଜ୍ଞ ଅନୁଷ୍ଠାନ କରିବାକୁ ସ୍ଥିର କଲେ । ଯେଉଁ ଯଜ୍ଞଟି ସେତେବେଳେ ଚାଲିଥିଲା ତାହା ଅପୂର୍ଣ୍ଣ ଅବସ୍ଥାରେ ସେହିଠାରୁ ସ୍ଥଗିତ ରହିଲା । ଏହିରୂପେ କୁକୁରୀର ଶାପ ଅନୁସାରେ ପ୍ରଥମ ଥର ପାଇଁ ରାଜାଙ୍କର ଗୋଟିଏ ପୁଣ୍ୟକାର୍ଯ୍ୟ ପଣ୍ଡ ହେଲା ।

 

ବିରାଟ ଶାପ–ଖଣ୍ଡନ ଯଜ୍ଞ ପାଇଁ ଖୁବ୍ ଉପଯୁକ୍ତ ପୁରୋହିତ ନ ମିଳିଲେ ଯଜ୍ଞକାର୍ଯ୍ୟ ବିଧି ଅନୁଯାୟୀ ସମ୍ପାଦିତ ହୋଇପାରେ ନାହିଁ । ସେଥିଲାଗି ରାଜା ଜଣେ ସୁଯୋଗ୍ୟ ପୁରୋହିତର ଅନୁସନ୍ଧାନ କରିବାକୁ ଲାଗିଲେ ।

 

ବହୁ ଅନ୍ୱେଷଣ ପରେ ଜଣେ ତପସ୍ୱୀ ଋଷିପୁତ୍ର ପୁରୋହିତ ପଦପାଇଁ ଶ୍ରେଷ୍ଠ ବୋଲି ବିବେଚିତ ହେଲେ । ତାଙ୍କର ନାମ ‘ସୋମଶ୍ରବା’ । ସେ ହେଉଛନ୍ତି ଶ୍ରୁତଶ୍ରବା ଋଷିଙ୍କର ପୁତ୍ର । ଜନ୍ମେଜୟ ଋଷି ଶ୍ରୁତଶ୍ରବାଙ୍କ ନିକଟରେ ପହଞ୍ଚି ନିଜ ଆଗମନର ସମସ୍ତ ବୃତ୍ତାନ୍ତ ଜଣାଇଲେ ଏବଂ ପୁତ୍ର ସୋମଶ୍ରବାଙ୍କୁ ଯଜ୍ଞର ପୌରହିତ୍ୟ ଗ୍ରହଣ ପାଇଁ ଅନୁମତି ଦେବାଲାଗି ତାଙ୍କୁ ଅନୁରୋଧ କଲେ ।

 

ଋଷି ତାହା ଶୁଣି କ୍ଷଣକାଳ ଚିନ୍ତା କରି କହିଲେ–

 

“ମହାରାଜ ! ଆପଣଙ୍କ ପ୍ରସ୍ତାବରେ ମୋର ଅସମ୍ମତ ହେବାର ବିଶେଷ କିଛି କାରଣ ନାହିଁ । ତେବେ ମୋ ପୁତ୍ରର ଗୋଟିଏ ପ୍ରତିଜ୍ଞା ଅଛି । ସେ ପୁରୋହିତରୂପେ ଯଜ୍ଞକାର୍ଯ୍ୟ କରୁଥିବାବେଳେ ଯଦି କୌଣସି ବ୍ରାହ୍ମଣ କିଛି ପ୍ରାର୍ଥନା କରେ, ଯଜମାନଙ୍କୁ ସଙ୍ଗେ ସଙ୍ଗେ ତାହା ପୂରଣ କରିବାକୁ ହୁଏ । ଆପଣଙ୍କ ଯଜ୍ଞଶାଳାରେ ଏପରି କେହି ପ୍ରାର୍ଥୀ ପହଞ୍ଚିଲେ ଆପଣ ମଧ୍ୟ ତାହାର ପ୍ରାର୍ଥନା ପୂରଣ କରିବା, ଏହି ଅଙ୍ଗୀକାର ନ ପାଇଲେ ମୁଁ ସୋମଶ୍ରବାକୁ ପୌରୋହିତ୍ୟ ଗ୍ରହଣପାଇଁ ଅନୁମତି ଦେଇପାରିବି ନାହିଁ ।”

 

ଶ୍ରୁତଶ୍ରବାଙ୍କର ଏହି ପ୍ରସ୍ତାବରେ ରାଜା ଆଦୌ ଦ୍ୱିରୁକ୍ତି ନ କରି ସଙ୍ଗେ ସଙ୍ଗେ ନିଜର ଅଙ୍ଗୀକାର ଦେଲେ । ତତ୍‍ପରେ ସେ ଋଷିଙ୍କଠାରୁ ବିଦାୟ ନେଇ ମହାଆନନ୍ଦରେ ରାଜଧାନୀକୁ ପ୍ରତ୍ୟାବର୍ତ୍ତନ କଲେ ।

 

ସେହି ସମୟରେ ଜନ୍ମେଜୟଙ୍କୁ ତକ୍ଷଶିଳା ଯାଇ ଯୁଦ୍ଧ କରିବାକୁ ପଡ଼ିଲା । ଯୁଦ୍ଧରେ ଲିପ୍ତ ରହିବା ଫଳରେ ଶାପଖଣ୍ଡନ ଯଜ୍ଞକଥା ସେ ଏକାବେଳେ ପାସୋରି ପକାଇଲେ । ତକ୍ଷଶିଳାରୁ ପ୍ରତ୍ୟାଗତ ହୋଇ ରାଜା କେତୋଟି ଦିନ ମାତ୍ର ରାଜପୁରୀରେ ରହିଛନ୍ତି ଏହି ସମୟରେ ଉତଙ୍କ ମୁନି ତାଙ୍କ ସହିତ ସାକ୍ଷାତ କରିବାକୁ ଆସିଲେ ।

 

ଏହି ଉତଙ୍କ ବାଲ୍ୟକାଳରେ ଋଷି ଗୌତମ ଆଶ୍ରମରେ ରହି ବିଦ୍ୟା ଶିକ୍ଷା କରୁଥିଲେ । ଶିକ୍ଷାସମାପ୍ତି ପରେ ଋଷିପତ୍ନୀ ତାଙ୍କୁ ସୌଦାସ ରାଜାଙ୍କ ମହିଷୀ ଦମୟନ୍ତୀଙ୍କ କୁଣ୍ଡଳଯୋଡ଼ିକ ଗୁରୁଦକ୍ଷିଣା ମାଗିଲେ । ଉତଙ୍କ ରାଣୀଙ୍କଠାରୁ କୁଣ୍ଡଳ ଘେନି ଫେରୁଥିବା ବେଳେ ତକ୍ଷକ ତାଙ୍କ ଅଜ୍ଞାତରେ କୁଣ୍ଡଳ ଦୁଇଟି ଅପହରଣ କରି ନେଇଗଲା । ତକ୍ଷକଠାରୁ ସେହି କୁଣ୍ଡଳ ଉଦ୍ଧାର କରିବାକୁ ଯାଇ ଉତଙ୍କ ବହୁ କ୍ଳେଶ ସହ୍ୟ କରିଥିଲେ । ସେହିଦିନଠାରୁ ତକ୍ଷକ ଉପରେ ତାଙ୍କର ପ୍ରବଳ ଆକ୍ରୋଶ ଥିଲା । ପ୍ରତିଶୋଧ ନେବାପାଇଁ ଏବେ ସେ ଜନ୍ମେଜୟଙ୍କୁ ଉତ୍ତେଜିତ କରି କହିଲେ–

 

“ମହାରାଜ ! ଦୁଷ୍ଟ ତକ୍ଷକ ଆପଣଙ୍କ ପିତାଙ୍କୁ ଦଂଶନକରି ତାଙ୍କର ପ୍ରାଣ ନେଇଥିଲା । ଗୁଣଧର ବୀରପୁତ୍ର ହୋଇ ଆପଣ ପିତୃହନ୍ତାର ପ୍ରତିଶୋଧ ନ ନେଇ ଏତେକାଳ ନିଶ୍ଚିନ୍ତ ରହିଛନ୍ତି କିପରି ?”

 

ଉତଙ୍କ ମୁନିଙ୍କ କଥାଗୁଡ଼ିକ ରାଜାଙ୍କ ମର୍ମରେ ତୀରପରି ଭେଦକଲା । ଯଥାସମୟରେ ଏପରି ଉପଦେଶ ଦେଉଥିବାରୁ ମୁନିଙ୍କୁ ସେ ଶତ ଧନ୍ୟବାଦ ଦେଲେ । ତାହାପରେ ହିତୈଷୀମାନଙ୍କ ପରାମର୍ଶକ୍ରମେ ‘ସର୍ପସତ୍ର’ ମହାଯଜ୍ଞ କରିବାର ସଂକଳ୍ପ କଲେ । ତକ୍ଷକ ସହିତ ସମସ୍ତ ସର୍ପକୁଳକୁ ଏହି ଯଜ୍ଞରେ ପୋଡ଼ି ମାରି ପିତୃହତ୍ୟାର ପ୍ରତିହିଂସା ନେବାହିଁ ରାଜାଙ୍କର ଉଦ୍ଦେଶ୍ୟ ହେଲା । ସର୍ପସତ୍ର ଯଜ୍ଞ ଚିନ୍ତାରେ ବ୍ୟସ୍ତ ରହିବା ଫଳରେ ଶାପ–ଖଣ୍ତନ ଯଜ୍ଞର କଳ୍ପନା ତାଙ୍କ ମନରୁ ସମ୍ପୂର୍ଣ୍ଣରୂପେ ଅପସୃତ ହୋଇଗଲା । କୁକୁରୀର ଅଭିଶାପ ଯୋଗୁଁ ରାଜାଙ୍କ ଦ୍ୱିତୀୟ ଯଜ୍ଞର ଆୟୋଜନ ମଧ୍ୟ ଏହି ରୂପେ ବ୍ୟର୍ଥ ହେଲା ।

 

ସୋମଶ୍ରବାଙ୍କୁ ଏହି ନୃତନ ଯଜ୍ଞର ହୋତାରୂପେ ରାଜା ବରଣ କଲେ । ମହାସମାରୋହରେ ସର୍ପସତ୍ର ଯଜ୍ଞ ଆରମ୍ଭ ହେଲା । ପ୍ରଚଣ୍ଡ ଶିଖାବଳି ଟେକି ଯଜ୍ଞକୁଣ୍ଡର ଅଗ୍ନି ଧୁ ଧୁ ହୋଇ ପ୍ରଜ୍ଜ୍ୱଳିତ ହେବାକୁ ଲାଗିଲା । ସୋମଶ୍ରବାଙ୍କ ମନ୍ତ୍ର ପ୍ରଭାବରେ ନାନା ଶ୍ରେଣୀର ଦଳ ଦଳ ସର୍ପ ଆସି ସେହି ଅଗ୍ନିରେ ଝାସ ଦେଲେ । ସର୍ପଜଗତ ପ୍ରତିମୁହୂର୍ତ୍ତରେ କ୍ଷୟପ୍ରାପ୍ତ ହେଲା ।

 

ଏବେ ତକ୍ଷକର ମୃତ୍ୟୁ ସମୟ ନିକଟବର୍ତ୍ତୀ ହୋଇଗଲା । ସେ ପ୍ରାଣରକ୍ଷାର କୌଣସି ଉପାୟ ନ ଦେଖି ଦେବରାଜ ଇନ୍ଦ୍ରଙ୍କର ଶରଣାପନ୍ନ ହେଲା । ଇନ୍ଦ୍ର ତାହାକୁ ଆଶ୍ରୟ ଦେଇ ଅଭୟ ପ୍ରଦାନ କଲେ, ମାତ୍ର ସୋମଶ୍ରବା ଏ କଥା ଜାଣିପାରି ଇନ୍ଦ୍ରଙ୍କ ନାମରେ ଆହୁତି ଢାଳିଲେ । ଫଳରେ ଇନ୍ଦ୍ର ତକ୍ଷକ ସହିତ ଆକାଶରୁ ଖସିବାକୁ ଲାଗିଲେ । ଅଳ୍ପ ସମୟ ମଧ୍ୟରେ ନିଜେ ଯଜ୍ଞାଗ୍ନିରେ ପଡ଼ିଯିବେ ଭାବି ସେ ଭୟବିହ୍ୱଳ ହୋଇପଡ଼ିଲେ । ଶରଣାଗତ ତକ୍ଷକକୁ ନ ଛାଡ଼ିଲେ ଆତ୍ମାରକ୍ଷା ଅସମ୍ଭବ ଜାଣି ସେ ସେହି ଆକାଶପଥରେ ତାକୁ ପରିତ୍ୟାଗ କଲେ ।

 

ତେଣେ ନାଗଲୋକରେ ହାହାକାର ପଡ଼ିଥିଲା । ନାଗକୁଳ ନିର୍ମୁଳ ହେବାକୁ ବସିଲା । ଅବଶିଷ୍ଟ ନାଗଙ୍କୁ ରକ୍ଷା କରିବା ଉଦ୍ଦେଶ୍ୟରେ ନାଗରାଜ ବାସୁକି ତାଙ୍କ ଭଗିନୀ ‘ଜରତ୍‍କାରୁ’ ପାଖକୁ ଗଲେ । ନାଗକନ୍ୟା ଜରତ୍‍କାରୁ ଜଣେ ମୁନିଙ୍କୁ ବିବାହ କରିଥିଲେ–ତାଙ୍କ ନାମ ମଧ୍ୟ ଜରତ୍‍କାରୁ । ଏହି ଜରତ୍‍କାରୁ–ଦମ୍ପତ୍ତିଙ୍କ ପୁତ୍ରର ନାମ ଆସ୍ତିକ । ବାସୁକି ଭାଗୀନେୟକୁ ଚାହିଁ କହିଲେ–

 

“ବତ୍ସ ! ଜନ୍ମେଜୟଙ୍କ କର୍ତ୍ତୃକ ସର୍ପସତ୍ରରେ ନାଗଯାକ ପ୍ରତ୍ୟହ ପୋଡ଼ିମରୁଥିବା କଥା ତୁମେ ଜାଣ । ତୁମର ମାତୃକୁଳ ଏବେ ଲୋପ ପାଇବା ଉପରେ । ତାହାକୁ ରକ୍ଷା କରିବାର ଶକ୍ତି କେବଳ ତୁମରିଠାରେ ନିହିତ ଅଛି । ତୁମେ ସେହି ଯଜ୍ଞସ୍ଥଳରେ ମହାରାଜାଙ୍କୁ ସାକ୍ଷାତ କରି ନାଗବଂଶର ପ୍ରାଣଭିକ୍ଷା କରିବ ।”

 

ମାତା ଜରତ୍‍କାରୁ ଏ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ସଙ୍ଗେ ସଙ୍ଗେ ସମର୍ଥନ ଦେବାରୁ ଆସ୍ତିକ ଯଜ୍ଞଭୂମି ଅଭିମୁଖରେ ଯାତ୍ରା କଲେ । ଯଜ୍ଞ ମଣ୍ଡପର ଚତୁର୍ଦ୍ଦିଗରେ ପ୍ରହରୀମାନେ ସତର୍କଭାବରେ ଜଗିରହିଥାନ୍ତି । ସେମାନଙ୍କୁ ଅତିକ୍ରମପୂର୍ବକ ଋଷିପୁତ୍ର ଆସ୍ତିକ ଉଦବିଗ୍ନ ପ୍ରାଣରେ ଧାଇଁଯାଇ ଜନ୍ମେଜୟଙ୍କ ସମ୍ମୁଖରେ ଉପସ୍ଥିତ ହେଲେ । ଠିକ ସେତିକିବେଳକୁ ଇନ୍ଦ୍ରଦେବଙ୍କ ଆଶ୍ରୟ ହରାଇ ଅନନ୍ୟଗତିକ ତକ୍ଷକ ଆକାଶରୁ ଅତି ବେଗରେ ନିମ୍ନକୁ ଖସିଆସୁ ଥାଏ । ଆଉ କେତୋଟି ମୁହୂର୍ତ୍ତ ମଧ୍ୟରେ ସେ ଯଜ୍ଞକୁଣ୍ଡରେ ପଡ଼ି ଭସ୍ମ ହୋଇଯାଇଥାନ୍ତା । ଆସ୍ତିକ ଊର୍ଦ୍ଧ୍ୱକୁ ହସ୍ତ ଉତ୍ତୋଳନ କରି ତକ୍ଷକକୁ ଆଦେଶ ଦେଲେ–

 

‘ତିଷ୍ଠ’ ଅର୍ଥାତ୍ ‘ସେହିଠାରେ ରହ ।’

 

ସତକୁ ସତ ତକ୍ଷକ ଆଉ ନିମ୍ନଗାମୀ ହେଲା ନାହିଁ–ସେତେବେଳେ ଆକାଶର ଯେଉଁଠାରେ ଥିଲା, ଠିକ୍ ସେହିଠାରେ ସ୍ଥିର ହୋଇ ରହିଗଲା । ଜଣେ ଅପରିଚିତ ଋଷି କୁମାରର ଏ ଅଦ୍ଭୁତ ପ୍ରଭାବ ଦେଖି ସଭାସ୍ଥ ସକଳ ବ୍ୟକ୍ତି ତଟସ୍ଥ ହୋଇଗଲେ । ତତ୍ପରେ ଆସ୍ତିକ ଶୂନ୍ୟରୁ ଦୃଷ୍ଟି ପ୍ରତ୍ୟାନୟନ କରି ଜନ୍ମେଜୟଙ୍କୁ ବିନୟପୂର୍ଣ୍ଣ ଭାଷାରେ କହିଲେ–

 

“ମହାରାଜ ! ଆପଣ ଚିରଦିନ ଶରଣରକ୍ଷକ । ମୁଁ ବର୍ତ୍ତମାନ ଆପଣଙ୍କର ଶରଣାଗତ । ଦୟା ବହି ମୋର ପ୍ରାର୍ଥନା ଶ୍ରବଣ କରନ୍ତୁ ।”

 

ଋଷି ଶ୍ରୁତଶ୍ରବାଙ୍କୁ ଦେଇଥିବା ପ୍ରତିଶ୍ରୁତି କଥା ଏବେ ଜନ୍ମେଜୟଙ୍କ ସ୍କୃତିପଥାରୂଢ଼ ହେଲା-। ତେଣୁ ସେ ମନରେ ଆଦୌ କୌଣସି ଦ୍ୱିଧାନ ରଖି କହିଲେ–

 

“କିଛି ଚିନ୍ତା ନାହିଁ ଋଷିପୁତ୍ର ! ତୁମର ଯାହା କାମନା, ଶୀଘ୍ର ପ୍ରକାଶ କର । ଏହିଠାରେ ମୁଁ ତୁମର ପ୍ରାର୍ଥନା ପୂରଣ କରିବି ।”

 

ସେତେବେଳେ ଉପସ୍ଥିତ ସମଗ୍ର ଜନତାର ଦୃଷ୍ଟି ଆସ୍ତିକଙ୍କ ଉପରେ ନିବଦ୍ଧ । ଆସ୍ତିକ କାଳକ୍ଷେପ ନକରି ନିଜର ପ୍ରାର୍ଥନା ଜଣାଇଲେ–

 

“ମହାରାଜ ! ମୁଁ ନାଗକନ୍ୟା ଜରତ୍‍କାରୁ ପୁତ୍ର ଆସ୍ତିକ । ଏହିଠାରେ ଯଜ୍ଞକାର୍ଯ୍ୟ ବନ୍ଦ ରଖି ମୋର ମାତୃକୂଳକୁ ଧ୍ୱଂସମୁଖରୁ ଉଦ୍ଧାର କରନ୍ତୁ ।”

 

ଏ ସାଂଘାତିକ ପ୍ରାର୍ଥନା ଶୁଣି ରାଜା ହତବୁଦ୍ଧି ହୋଇଗଲେ । ପୁର୍ବରୁ ତ ସେ ପ୍ରତିଜ୍ଞାବଦ୍ଧ, ତେଣୁ ଅନ୍ୟଥା କରିବାର ଉପାୟ ନ ଦେଖି ବାଧ୍ୟ ହୋଇ କହିଲେ–

 

“ଆଚ୍ଛା, ତାହାହିଁ ହେବ ।”

 

ସେହିଠାରୁ ଯଜ୍ଞକାର୍ଯ୍ୟ ସ୍ଥଗିତ ରହିଲା । ତକ୍ଷକ ଓ ଅନ୍ୟାନ୍ୟ ଯେତେ ସର୍ପ ବଞ୍ଚି ରହିଥିଲେ, ସମସ୍ତେ ପରମ ସନ୍ତୋଷରେ ଆସି ଆସ୍ତିକଙ୍କୁ ଆଶୀର୍ବାଦ କଲେ । ଆସ୍ତିକ ସେମାନଙ୍କୁ କହିଲେ–

 

“ତୁମ୍ଭେମାନେ ମୋ ନିକଟରେ ଗୋଟିଏ ଶପଥ କର । ଏହି ଆଖ୍ୟାନ ଯେଉଁମାନେ ଶ୍ରବଣ କରିବେ ବା ମୋର ନାମ ସ୍ମରଣ କରିବେ, ସେମାନଙ୍କୁ ତୁମ୍ଭେମାନେ ଆଦୌ ଦଂଶନ କରିବ ନାହିଁ ।”

 

କୃତଜ୍ଞ ସର୍ପଗଣ ଅତି ଆନନ୍ଦରେ ଏହି ଶପଥ ଗ୍ରହଣ କଲେ ଏବଂ ଚିରକାଳ ତାହା ଅକ୍ଷରେ ଅକ୍ଷରେ ପାଳନ କରିବାକୁ ପ୍ରତିଶ୍ରୁତି ଦେଲେ ।

 

ଏହିରୂପେ ଜନ୍ମେୟଙ୍କର ତୃତୀୟ ଯଜ୍ଞଟି ମଧ୍ୟ ପଣ୍ଡ ହେଲା ଏବଂ କୁକୁରୀର ଅଭିଶାପ ତାଙ୍କପ୍ରତି ସମ୍ପୂର୍ଣ୍ଣ ଭାବରେ ଫଳିଲା । ସେ ଜୀବନରେ ଆଉ ଯଜ୍ଞ କରିବାକୁ କେବେହେଲେ ସାହସ କଲେ ନାହିଁ । ସର୍ପସତ୍ର ମହାଯଜ୍ଞରେ ଅଗଣିତ ସର୍ପ ହତ୍ୟାକରିବା ଯୋଗୁଁ ସେ ସେହି ପାତକର ଭାଗୀ ହେଲେ । ତେଣୁ ପରବର୍ତ୍ତୀ ଜୀବନରେ ବୈଶମ୍ପାୟନଙ୍କ ମୁଖରୁ ପବିତ୍ର ମହାଭାରତ ଆଖ୍ୟାନ ଶ୍ରବଣ କରି ରାଜା ଜନ୍ମେଜୟଙ୍କୁ ଉକ୍ତ ପାତକରୁ ମୁକ୍ତି ହେବାକୁ ପଡ଼ିଥିଲା ।

Image

 

ମୁକ୍ତିପିପାସୁ ଭରତ

 

ଭାଗବତ ପୁରାଣରେ ଭଗବାନଙ୍କର ଦ୍ରାବିଂଶତି ଅବତାରର ଉଲ୍ଲେଖ ଅଛି । ତନ୍ମଧ୍ୟରୁ ଅଷ୍ଟମ ଅବତାରର ନାମ ଋଷଭ । ନାଭିରାଜାଙ୍କ ଔରସରେ ମରୁଦେବୀଙ୍କ ଗର୍ଭରୁ ଋଷଭଙ୍କର ଜନ୍ମ-। କାଳକ୍ରମେ ନାଭିରାଜା ପୁତ୍ର ଋଷଭଙ୍କ ହସ୍ତରେ ରାଜ୍ୟଭାର ସମର୍ପଣ କରି ମରୁଦେବୀଙ୍କ ସହିତ ବଦରିକାଶ୍ରମକୁ ସନ୍ନ୍ୟାସବ୍ରତ ଅବଲମ୍ବନାର୍ଥେ ପ୍ରସ୍ଥାନ କଲେ ।

 

ଋଷଭ ସିଂହାସନରେ ଅଭିଷିକ୍ତ ହେଲାପରେ ଦେବରାଜ ଇନ୍ଦ୍ର ଜୟନ୍ତୀ ନାମରେ ଗୋଟିଏ କନ୍ୟାକୁ ତାହାଙ୍କ ସହିତ ବିବାହ ଦେଲେ । ସେହି ଜୟନ୍ତୀ ଗର୍ଭରୁ ଋଷଭଙ୍କର ଏକଶତ ପୁତ୍ର ଜାତ ହେଲେ । ଏହି ଶତପୁତ୍ର ମଧ୍ୟରୁ କୁଶାବର୍ତ୍ତ ଆଦି ନଅ ଜଣ ପୁତ୍ର ସର୍ବଶ୍ରେଷ୍ଠ, ଭରତର ଅନୁଗତ ଏବଂ କବି ପ୍ରଭୃତି ଅନ୍ୟ ନଅ ଜଣ ଭାଗବତ ଧର୍ମପ୍ରଦର୍ଶକ ହୋଇ ବିଶେଷ ଖ୍ୟାତି ଅର୍ଜନ କଲେ । ଅବଶିଷ୍ଟ ଏକାଅଶୀ ଜଣ ପୁତ୍ର ଯଜ୍ଞଶୀଳ, ବିନୀତ ଓ ଦେବଜ୍ଞ ରୂପେ ପ୍ରସିଦ୍ଧ ହେଲେ । ଯଥାକାଳରେ ରାଜା ଋଷଭ ସୁଯୋଗ୍ୟ ଜ୍ୟେଷ୍ଠପୁତ୍ର ଭରତଙ୍କ ଉପରେ ରାଜ୍ୟଚାଳନାର ସକଳ ଦାୟିତ୍ୱ ଅର୍ପଣ କରି ପରମହଂସ ଧର୍ମ ଶିକ୍ଷା କରିବାପାଇଁ ସଂସାର ଛାଡ଼ି ଚାଲିଗଲେ ।

 

ଏବେ ଭରତ ସିଂହାସନ ମଣ୍ଡନ କରି ପ୍ରଜାପୁଞ୍ଜଙ୍କୁ ସନ୍ତାନବତ୍ ମହାସୁଖରେ ପାଳନ କଲେ । ତାଙ୍କର ପରମରୂପବତୀ ମହିଷୀ ‘ପଞ୍ଚଜନୀ’ ପଞ୍ଚପୁତ୍ରର ଜନନୀ ହୋଇ ସ୍ୱାମୀଙ୍କୁ ସର୍ବ ବିଷୟରେ ସାହାଯ୍ୟ କରିବାକୁ ଲାଗିଲେ । ଏହି ବିଶ୍ୱବିଶ୍ରୁତ ନରପତି ଭରତଙ୍କ ନାମାନୁସାରେ ସେହି ଦିନୁ ଜମ୍ବୁଦ୍ୱୀପର ନାମ ‘ଭାରତବର୍ଷ’ ହେଲା । ଦୀର୍ଘକାଳ ରାଜତ୍ୱ କଲାପରେ ଭରତଙ୍କ ହୃଦୟରୁ ବିଷୟବାସନା ଦୁରrଭୂତ ହୋଇ ତତ୍‍ପରିବର୍ତ୍ତେ ପ୍ରବଳ ବୈରାଗ୍ୟ ଜାତ ହେଲା ।

 

ରାଜ୍ୟଶାସନାଦି ରାଜସିକ କର୍ମରେ ଆଉ ବାନ୍ଧ ହୋଇ ରହିବାକୁ ତାଙ୍କୁ ଆଦୌ ସୁଖ ଲାଗିଲା ନାହିଁ । ସେ ପୁତ୍ରମାନଙ୍କ ହସ୍ତରେ ପ୍ରଜାପାଳନ ଭାର ଦେଇ ମୁକ୍ତିଲାଭାର୍ଥେ ଗଣ୍ଡକ ପର୍ବତକୁ ତପଶ୍ଚରଣ କରିବାକୁ ଚାଲିଗଲେ ।

 

କାଲିର ରାଜସମ୍ପଦଭୋଗୀ ଭରତ ଆଜି ସର୍ବତ୍ୟାଗୀ ସନ୍ନ୍ୟାସୀ । ଗଣ୍ଡକର ପାଦଦେଶରେ ପବିତ୍ରସଲିଳା ଗଣ୍ତୁକୀ ନଦୀ ପ୍ରବାହିତ ହେଉଥାଏ । ତାହାର ଗଭୀର ଗର୍ଭ ଅସଂଖ୍ୟ ଶାଳଗ୍ରାମ ଶିଳାରେ ପରିପୁର୍ଣ୍ଣ । ଭରତ ସେହି ନଦୀରେ ପ୍ରତ୍ୟହ ସ୍ନାନାହ୍ନିକ କାର୍ଯ୍ୟ ସମ୍ପାଦନ କରନ୍ତି ଏବଂ ଯତ୍‍ସାମାନ୍ୟ ଆହାର କରି ଯୋଗସାଧନାରେ ଅଭିନିବିଷ୍ଟ ରହନ୍ତି । ଏହିରୂପେ ବହୁକାଳ ଅତୀତ ହେଲା ଏବଂ ଭରତ ଅବଶେଷରେ ତପସ୍ୟାରେ ମହାସିଦ୍ଧି ଅର୍ଜନ କରି ମୁକ୍ତିପଥର ସନ୍ଧାନ ଲାଭ କଲେ ।

 

ଦିନେ ଭରତ ଗଣ୍ତୁକୀ ନଦୀରେ ଅବଗାହନ କରୁଛନ୍ତି । ଏହି ସମୟରେ ଗୋଟିଏ ପୂର୍ଣ୍ଣଗର୍ଭା ହରିଣୀ ବ୍ୟାଘ୍ର ଭୟରେ ଦୌଡ଼ି ଦୌଡ଼ି ଆସି ତଟ ଉପରେ ଉପସ୍ଥିତ ହେଲା । ଅନୁସରଣକାରୀ ବ୍ୟାଘ୍ର ଠିକ୍ ସେତିକିବେଳେ ଗୋଟାଏ ଭୀଷଣ ଗର୍ଜନ ଛାଡ଼ିଲା । ନିରୀହା ହରିଣୀଟି ଆତ୍ମରକ୍ଷାର ଅନ୍ୟ କୌଣସି ପଥ ନ ଦେଖି ତଟଶିଳା ଉପରୁ ନଦୀର ଅପର ପାର୍ଶ୍ୱକୁ ତୀବ୍ର ବେଗରେ ଲମ୍ପ ଦେଲା । ସେ ଆସନ୍ନପ୍ରସବା ଥିବାରୁ ଲମ୍ପଦାନଦ୍ୱାରା ନଦୀ ଉତ୍ତୀର୍ଣ୍ଣ ହେବାକାଳରେ ତାର ଗର୍ଭସ୍ଥ ସନ୍ତାନଟି ହଠାତ୍ ଗର୍ଭଚ୍ୟୁତ ହୋଇ ଜଳମଧ୍ୟରେ ନିପତିତ ହେଲା । ହରିଣୀ ଦୂରରୁ ନିଜ ଶିଶୁଟିର ଏ ଦୁର୍ଦ୍ଦଶା ଅବଲୋକନ କରିବା ସଙ୍ଗେ ସଙ୍ଗେ ମୃଗଜନ୍ମ ସାଙ୍ଗ କରି ତଳେ ଟଳିପଡ଼ିଲା ।

 

ସଦ୍ୟୋଜାତ ମୃଗଶିଶୁଟି ନଦୀସ୍ରୋତରେ ଭାସିଯିବାକୁ ଲାଗିଲା । ଭରତ ତାହାର ବିପନ୍ନ ଅବସ୍ଥା ଦେଖି ଅସ୍ଥିର ହୋଇପଡ଼ିଲେ ଏବଂ ନଦୀଗର୍ଭକୁ ପଶିଯାଇ ତାହାକୁ ସ୍ରୋତମୁଖରୁ ଉଦ୍ଧାରକରି ଆଣିଲେ । ତତ୍ପରେ ସେ ମୃଗଶିଶୁଟିକୁ କୁଟୀର ମଧ୍ୟକୁ ଘେନିଯାଇ ଶୁଶ୍ରୁଷଦ୍ୱାରା କିଛି ସମୟରେ ସୁସ୍ଥ କଲେ ।

 

ଭରତଙ୍କ ଲାଳନପାଳନରେ ହରିଣ ଶାବକଟି ଦିନକୁ ଦିନ ସୁନ୍ଦର ଓ ଲୋଭନୀୟ ହୋଇଉଠିଲା । ତାହାପ୍ରତି ଭରତଙ୍କର ସ୍ନେହମାୟା ଏତେ ଅଧିକ ହୋଇଗଲା ଯେ, କ୍ଷଣକଲାଗି ସୁଦ୍ଧା ସେ ତାହାକୁ ପାଖରୁ ଅନ୍ତର କରିପାରିଲେ ନାହିଁ । ମୃଗଶିଶୁଟି ମଧ୍ୟ ଭରତଙ୍କର ଅତୁଳ ଶ୍ରଦ୍ଧାରେ ଏପରି ବାନ୍ଧି ହୋଇପଡ଼ିଲା ଯେ, ନିତ୍ୟସହଚର ହୋଇ ସେ ତାଙ୍କର ଅନୁସରଣ କରିବାକୁ ଲାଗିଲା ।

 

କ୍ରମେ ଶାବକଟି ବଡ଼ ହୋଇ ହୃଷ୍ଠପୃଷ୍ଟ ଏକ ହରିଣରେ ପରିଣତ ହେଲା । ଯେଉଁ ଭରତ ଦିନେ ସଂସାରର ସମସ୍ତ ମାୟାବନ୍ଧ ଛିନ୍ନକରି କଠୋର ତାପସବ୍ରତ ଅବଲମ୍ବନ କରିଥିଲେ, ଆଜି ସେହି ଯୋଗୀଙ୍କ ମନରେ ହରିଣଟି ଦୀର୍ଘ ମାୟାଜାଲ ବିସ୍ତାର କରିଦେଲା । ଫଳରେ ସନ୍ନ୍ୟାସୀ ଭରତ ଘୋର ମୋହାଚ୍ଛନ୍ନ ହୋଇପଡ଼ିଲେ । ହରିଣଟିର ଚିନ୍ତା ହିଁ ନିୟତ ତାଙ୍କ ମନୋରାଜ୍ୟକୁ ଅଧିକାର କରି ରହିଲା । କ୍ଷୁଧା, ତୃଷା ସବୁ ଭୁଲି କି ନିଦ୍ରା, କି ଜାଗରଣ ସର୍ବଦା ସେ ତାହାରି କଥା ଭାବିବାକୁ ଲାଗିଲେ । ହରିଣର ମମତା ତାଙ୍କୁ ଏତେ ନିବିଡ଼ ଭାବରେ ଅଭିଭୂତ କରିପକାଇଲା ଯେ, ଶେଷରେ ସେ ଧର୍ମକର୍ମ, ଯାଗଯଜ୍ଞ, ଏପରିକି ହରି ଆରାଧନା ପର୍ଯ୍ୟନ୍ତ ବିସର୍ଜନ ଦେବାଲାଗି ତିଳେହେଲେ ଦ୍ୱିଧା ବୋଧ କଲେ ନାହିଁ ।

 

ଏହିରୂପେ କିଛିକାଳ ଅତିକ୍ରାନ୍ତ ହେଲାପରେ ଦିନେ ହରିଣଟି ହଠାତ୍ କେଉଁଆଡ଼େ ଚାଲିଯିବାରୁ ଭରତ ତାହାକୁ ନଦେଖି ଏକାନ୍ତ ଅଥୟ ହୋଇଗଲେ ଏବଂ କ୍ଷିପ୍ତପ୍ରାୟ ଚତୁର୍ଦ୍ଦିଗରେ ଅନ୍ୱେଷଣ କରିବାକୁ ଲାଗିଲେ । ମାତ୍ର କୌଣସି ସ୍ଥାନରେ ଆଦୌ ସନ୍ଧାନ ନ ପାଇବାରୁ ଅବଶେଷରେ ସେ ଅତୀବ ଶୋକଗ୍ରସ୍ତ ହୋଇପଡ଼ିଲେ ଏବଂ ପ୍ରାଣାଧିକ ମୃଗଟିର ଅଭାବରେ ଜୀବନକୁ ଅତ୍ୟନ୍ତ ଅସାର ବୋଧ କଲେ । ତାହାରି ବିଚ୍ଛେଦଜନିତ ଶୋକ ହିଁ ତାଙ୍କୁ ମରଣ-ପଥର ଯାତ୍ରୀ କଲା ।

 

କିୟତ୍‍କାଳ ଶଯ୍ୟାଗତ ରହିବାରେ ଭରତଙ୍କର ମୃତ୍ୟୁବେଳା ଉପସ୍ଥିତ ହେଲା । ସେହି ଅନ୍ତିମ ସମୟରେ ମଧ୍ୟ ତାଙ୍କ ହୃଦୟରୁ ହରିଣ ଚିନ୍ତା ଅନ୍ତରିତ ହୋଇପାରିଲା ନାହିଁ । ତାହାର ଚଳପ୍ରଚଳ ମୂର୍ତ୍ତି ଓ ଚମକଚକିତ ଚାହାଣୀ ନିରନ୍ତର ତାଙ୍କ ଚକ୍ଷୁ ସମକ୍ଷରେ ଉଦ୍ଭାସିତ ହେଲା । ପୁଣି ଅଧିକାଂଶ ସମୟରେ ତାଙ୍କର ମନେ ହେଲା, ସେହି ମୃଗଟି ସତେ ଯେପରି ଠିକ୍ ପୁତ୍ରଭଳି ତାଙ୍କ ମସ୍ତକ ପାର୍ଶ୍ୱରେ ବସିରହି ଅନର୍ଗଳ ଅଶ୍ରୁଧାରା ବର୍ଷଣ କରୁଛି । ଏହି ଅବସ୍ଥାରେ ଭରତଙ୍କର ଶେଷନିଶ୍ୱାସ ନିର୍ଗତ ହେଲା ।

 

ମୃତ୍ୟୁକାଳରେ ଭରତଙ୍କ ମନ କେବଳ ମୃଗ ଚିନ୍ତାରେ ଆଚ୍ଛନ୍ନ ହୋଇ ରହିଥିଲାବୋଲି ପରଜନ୍ମରେ ତାହାଙ୍କୁ କାଳଞ୍ଜର ପର୍ବତରେ ଜାତିସ୍ମର ମୃଗଶିଶୁ ରୂପେ ଜନ୍ମଗ୍ରହଣ କରିବାକୁ ପଡ଼ିଲା-। ଜନ୍ମିବା ପରେ ପରେ ପୂର୍ବଜନ୍ମର ସମସ୍ତ ବିବରଣ ସେ ଜାଣିପାରିଲେ । ହରିଣ ଶାବକର ମାୟାରେ ଆବଦ୍ଧ ହେବାଯୋଗୁଁ ପରକାଳର ସକଳ ସୁଖ ନଷ୍ଟ ହୋଇଯାଇଥିବାରୁ ଘୋର ଅନୁତାପାନଳରେ ତାଙ୍କର ହୃଦୟ ଅହରହ ଦଗ୍‍ଧ ହେବାକୁ ଲାଗିଲା । ତପସ୍ୟାରେ ସିଦ୍ଧ ହୋଇଥିଲେହେଁ ତାଙ୍କର ସମସ୍ତ ସାଧନା ବ୍ୟର୍ଥ ହୋଇଗଲା ଏବଂ ତାହାରି ଫଳରେ ମୃଗଜନ୍ମ ଲାଭକରି ତାଙ୍କୁ ପୁଣି ସଂସାର ପଙ୍କରେ ଘାଣ୍ଟି ହେବାକୁ ପଡ଼ିଲା । ଏଥିପାଇଁ ସେ ମନରେ ଶତ ବୁଶ୍ଚିକର ତୀବ୍ର ଦଂଶନଜ୍ୱାଳା ଅନୁଭବ କଲେ । କିପରି ଏହି ମୃଗଜନ୍ମରୁ ମୁକ୍ତି ପାଇ ଉଚ୍ଚଜନ୍ମ ଲାଭ କରିବେ, ଏହାହିଁ ତାଙ୍କର ପ୍ରଧାନ ଚିନ୍ତାର ବିଷୟ ହେଲା । ଶେଷରେ ଉକ୍ତ ଚିନ୍ତାର ଅବସାନ ଘଟାଇ ସେ ଦିନେ ଗଣ୍ଡକୀ ଗର୍ଭକୁ ଡେଇଁ ପଡ଼ିଲେ । ସେହିଦିନ ତାଙ୍କର ମୃଗଜନ୍ମ ଚିରକାଳପାଇଁ ଶେଷ ହୋଇଗଲା ।

 

ପରଜନ୍ମରେ ଭରତ ଜନୈକ ହରିଭକ୍ତ ବ୍ରାହ୍ମଣର ପୁତ୍ରରୂପେ ଜନ୍ମଗ୍ରହଣ କଲେ । ଉକ୍ତ ବ୍ରାହ୍ମଣର ଦୁଇଟି ପତ୍ନୀ ଥିଲେ । ପ୍ରଥମା ପତ୍ନୀର ଗର୍ଭରୁ ନଅଟି ପୁତ୍ର ଏବଂ ଦ୍ୱିତୀୟା ପତ୍ନୀର ଗର୍ଭରୁ ଗୋଟିଏ କନ୍ୟା ଇତିପୂର୍ବରୁ ଜାତ ହୋଇସାରିଥିଲେ । ଏବେ ଦ୍ୱିତୀୟା ପତ୍ନୀର ଦ୍ୱିତୀୟ ସନ୍ତାନରୂପେ ଭରତ ଜନ୍ମ ହେଲେ ।

 

ଏ ଜନ୍ମରେ ମଧ୍ୟ ଭରତ ଜାତିସ୍ମର ହେଲେ ଏବଂ ପୂର୍ବ ଦୁଇ ଜନ୍ମର ଇତିହାସ ଉତ୍ତମରୂପେ ଅନୁଧ୍ୟାନ କରି ଖୁବ୍ ସାବଧାନ ଭାବରେ ଜୀବନ ଆରମ୍ଭ କରିବାକୁ ସ୍ଥିରକଲେ । ସେ ଇଚ୍ଛାକ୍ରମେ ଶୈଶବରୁ ମୂକ ହୋଇ ସର୍ବଦା ନିଷ୍କ୍ରିୟଭାବରେ ବସିରହିଲେ । ପ୍ରକୃତରେ ସେ ମହାଜ୍ଞାନୀ ହେଲେହେଁ ଲୋକେ ତାଙ୍କର ହାବଭାବ ଓ ଗତିବିଧି ଦେଖି ତାଙ୍କୁ ବାକ୍‍ଶକ୍ତିହୀନ ଓ ମୂର୍ଖ ବୋଲି ସ୍ପଷ୍ଟ ଜାଣିପାରିଲେ । ପୁତ୍ରର ଏହି ଜନ୍ମଗତ ଦୋଷକଥା ଭାବି ପିତାମାତା ନିଜ ଭାଗ୍ୟକୁ ନିନ୍ଦା କରିବାକୁ ଲାଗିଲେ । ଯାହାହେଉ, ପିତା ମନର ଦୁଃଖ ମନରେ ଚାପିରଖି ଭରତଙ୍କର ଉପନୟନ କାର୍ଯ୍ୟ ସମାପନ କଲେ ଏବଂ ପୁତ୍ରକୁ ସଂସାରକ୍ଷେତ୍ରରେ ଉପଯୁକ୍ତ କରିବା ପୂର୍ବରୁ ନିଜେ ଜଗତରୁ ଚିରବିଦାୟ ନେଲେ ।

 

ଆଜନ୍ମ ମୂକ ହୋଲି ଭାବି ଭରତଙ୍କୁ ସମସ୍ତେ ‘ଜଡ଼ ଭରତ’ ଆଖ୍ୟାଦେଲେ ଏବଂ ସେହି ନାମରେ ସେ ସର୍ବତ୍ର ପରିଚିତ ହେଲେ । ପିତୃବିୟୋଗ ପରେ ଭ୍ରାତାମାନେ ପରସ୍ପରଠାରୁ ବିଭିନ୍ନ ହୋଇଗଲେ ଏବଂ ପୈତୃକ ସମ୍ପତ୍ତିମାନ ଆପଣା ଆପଣା ମଧ୍ୟରେ ବଣ୍ଟନ କରିନେଲେ । ବୋଲିବା ବାହୁଲ୍ୟ ଯେ, ସେମାନେ ବାକ୍ୟହୀନ ଓ ଜ୍ଞାନହୀନ ଭରତଙ୍କୁ ତାଙ୍କର ଯାବତୀୟ ନ୍ୟାଯ୍ୟ ପ୍ରାପ୍ୟରୁ ବଞ୍ଚିତ କଲେ ।

 

ଭ୍ରାତାମାନଙ୍କର ଏହି କାର୍ଯ୍ୟରେ ଅପ୍ରାପ୍ତବୟସ୍କ ଭରତ ଆଦୌ ଦୁଃଖିତ ହେଲେ ନାହିଁ । ଅମୂଲ୍ୟ ଜ୍ଞାନଧନଭରା ଯାହାଙ୍କ ହୃଦୟ ନିତ୍ୟାନନ୍ଦରେ ନିରନ୍ତର ବିଭୋର ହୋଇ ରହିଛି, ସାଂସାରିକ ବିଭବର ଭଙ୍ଗୁର ସୁଖ ତାହାଙ୍କୁ କି କେବେହେଲେ ସ୍ପର୍ଶ କରିପାରେ !

 

କ୍ରମେ ଭରତ କୈଶୋର ଅତିକ୍ରମ କରି ଯୌବନରେ ପଦାର୍ପଣ କଲେ । ତାଙ୍କର ଦେହ ଖୁବ୍ ସୌଷ୍ଠବସମ୍ପନ୍ନ ଓ ବଳିଷ୍ଠ ହୋଇଉଠିଲା । ସୁଢ଼ଳ ମୁଖଣ୍ଡଳରେ ଏକ ଅପୂର୍ବ ଆଭା ଉଜ୍ଜ୍ୱଳ ରୂପେ ପ୍ରତିଭାତ ହେଲା । ତାଙ୍କର ଏହି ହୁଷ୍ଟପୁଷ୍ଟତା ଓ ବଳଶାଳିତର ସୁବିଧା ନେଇ ଅନ୍ୟ ଭ୍ରାତାମାନେ ତାଙ୍କୁ ନାନାଭାବରେ ନିର୍ଯାତିତ କଲେ । ଭୂମିକର୍ଷଣ ସମୟରେ ସେମାନେ ବଳୀବର୍ଦ୍ଦ ବଦଳରେ ଭରତଙ୍କୁ ମଙ୍ଗଳରେ ବ୍ୟବହାର କରିବାକୁ କୁଣ୍ଠାବୋଧ କଲେ ନାହିଁ । ପୁଣି ତାଙ୍କୁ ପଶୁସଦୁଶ ଅନେକ ସମୟରେ ପ୍ରତିବେଶୀମାନଙ୍କୁ ଭଡ଼ାଦେଇ ଇଚ୍ଛାନୁରୂପେ ଅର୍ଥ ଉପାର୍ଜନ କରିବାକୁ ଲାଗିଲେ ।

 

ଥଲେ ଜଣେ ପ୍ରତିବେଶୀର କ୍ଷେତ୍ରରେ ଭରତ ଲଙ୍ଗଳ ଟାଣି ଭୂମିକର୍ଷଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ସମଗ୍ର ଦିବସ ଶେଷ ହୋଇ ରାତ୍ରି ଉପଗତ ହେଲା, ତଥାପି ତାଙ୍କର କାର୍ଯ୍ୟ ସମାପ୍ତ ହେଲା ନାହିଁ । ଏକ ଚୌର ପୁତ୍ର କାମନାରେ କାଳୀଙ୍କ ନିକଟରେ ବଳି ଦେବାପାଇଁ ମନୁଷ୍ୟଟିଏ ଖୋଜି ବୁଲୁ ବୁଲୁ ଦୈବାତ୍ ସେହି ନିର୍ଜନ କ୍ଷେତ୍ରରେ ଭରତଙ୍କୁ ଦେଖିଲା ।

 

ବଳିଷ୍ଠ ସୁଦର୍ଶନ ବ୍ରାହ୍ମଣ ଯୁବକହିଁ ଉତ୍କଷ୍ଟ ବଳିରୂପେ ଗଣ୍ୟ ହୋଇଥାଏ । ଭରତ ଉକ୍ତ ଯୋଗ୍ୟତାର ଅଧିକାରୀ ହେବା ସଙ୍ଗେ ସଙ୍ଗେ ମୂକ ଓ ମୂର୍ଖ ହୋଇଥିବାରୁ ଚୌରଟିକୁ ଆହୁରି ସୁବିଧା ହେଲା । ସେ ବଳପ୍ରୟୋଗପୂର୍ବକ ଅନାୟାସରେ ଭରତଙ୍କୁ ଘେନିଯାଇ କାଳୀଙ୍କ ନିକଟରେ ଉପସ୍ଥିତ ହେଲା ଏବଂ ବଳି ପ୍ରଦାନ କରିବାପୂର୍ବରୁ ସ୍ୱୀୟ ଅନୁଚରମାନଙ୍କ ଦ୍ୱାରା ତାଙ୍କୁ ଯୁପକାଷ୍ଠରେ ଆବଦ୍ଧ କଲା । ଆତ୍ମଭୋଳା ଭରତଙ୍କର ସେଥିପ୍ରତି ଆଦୌ ଦୃଷ୍ଟି ନ ଥାଏ । ସେ ସେତେବେଳେ ହରିନାମ ସ୍ମରଣରେ ମାତି ରହିଥାନ୍ତି ।

 

ଶେଷରେ ନିଷ୍ଠୁର ଚୌର ଗୁପ୍ତସ୍ଥାନରୁ ଖଡ଼୍‍ଗଟିଏ ବାହାର କରି ତଦ୍ଦ୍ୱାରା ଭରତଙ୍କୁ ହତ୍ୟା କରିବାପାଇଁ ପ୍ରସ୍ତୁତ ହେଲା । ଖଡ଼୍‍ଗଖର୍ପରଧାରିଣୀ କାଳିକା ଦେବୀ ତାହା ଜାଣି ପାରିଲେ ଏବଂ ସଙ୍ଗେ ସଙ୍ଗେ ସ୍ୱହସ୍ତର ଖଡ଼୍‍ଗଦ୍ୱାରା କ୍ରୁରକର୍ମୀ । ସେହି ଚୌରର ମସ୍ତକକୁ ଶରୀରରୁ ବିଚ୍ଛିନ୍ନ କରିଦେଇ ଭକ୍ତଶ୍ରେଷ୍ଠ ଭରତକୁ ଆସନ୍ତୁ ମୃତ୍ୟୁସଙ୍କଟରୁ ତ୍ରାଣକଲେ । ତତ୍ପରେ ଦେବୀଙ୍କ ଅନୁଚର–ଅନୁଚରୀ ପିଶାଚ ପିଶାଚୀମାନେ ଚୌରର ସଙ୍ଗୀମାନଙ୍କୁ ସେହିଠାରେ ହତ୍ୟା କରି ସେମାନଙ୍କ ଦୁଷ୍କର୍ମର ଉପଯୁକ୍ତ ଶାସ୍ତି ବିଧାନ କଲେ ।

 

ସେହି ସମୟରେ ସିନ୍ଧୁସୌବୀର ଦେଶର ରାଜା ରହୁଗଣ ଶିବିକାରେ ବସି ନିକଟବର୍ତ୍ତୀ ପଥ ଦେଇ ସ୍ଥାନାନ୍ତରକୁ ଯାତ୍ରା କରୁଥିଲେ । ଦୈବତ୍ ଜଣେ ବାହକର ପାଦ ଆହତ ହେବାରୁ ସେ ଆଉ ଶିବିକା ବହନ କରି ଦ୍ରୁତ ଗତିରେ ଚାଲିପାରିଲା ନାହିଁ । ତେଣୁ ଅନ୍ୟ ବାହକଗଣ ପାର୍ଶ୍ୱବର୍ତ୍ତୀ ବସତିମାନଙ୍କରୁ ବାହକଟିଏ ସଂଗ୍ରହ କରିବା ଉଦ୍ଦେଶ୍ୟରେ ଆସୁ ଆସୁ ଜଡ଼ଭରତଙ୍କୁ ଭେଟିଲେ ଏବଂ ତାଙ୍କୁ ଧରିନେଇ ରାଜାଙ୍କ ସମ୍ମୁଖରେ ଉପସ୍ଥାପିତ କଲେ । ରହୁଗଣ ନବାଗତ ମୁକ ଯୁବକଟିର କର୍ମକ୍ଷମ ବଳିଷ୍ଠବପୁ ଦେଖି ମୁଗ୍‍ଧ ହୋଇଗଲେ ଏବଂ ତାହାକୁ ଶିବିକା ବାହକ କାର୍ଯ୍ୟରେ ନିଯୁକ୍ତ କରିବାପାଇଁ ଆଦେଶ ଦେଲେ ।

 

ଭରତ ବାଧ୍ୟ ହୋଇ ସ୍କନ୍ଧରେ ଶିବିକା ବହନ କଲେ, କିନ୍ତୁ ଅନ୍ୟାନ୍ୟ ବାହକଙ୍କ ପରି କ୍ଷିପ୍ରଭାବରେ ଗତି ନ କରି ଧୀରେ ଧୀରେ ପଦ ବିକ୍ଷେପ କଲେ । ତାଙ୍କର ସେହି ମନ୍ଦ ଗତି ଦେଖି ବାହକମାନେ ଦ୍ରୁତ ପଦକ୍ଷେପାଇଁ ତାଙ୍କୁ ବହୁବାର ନିର୍ଦ୍ଦେଶ ଦେଲେ, ମାତ୍ର ତାହାର କୌଣସି ଫଳ ନ ହେବାରୁ ରାଜା ରହୁଗଣ ବିରକ୍ତ ହୋଇ ଭରତଙ୍କୁ ଡାକି କହିଲେ–

 

“ଏଡ଼େ ହୃଷ୍ଟପୃଷ୍ଟ ଓ ବଳବାନ୍ ହୋଇ ନିର୍ଜୀବଙ୍କ ପରି ଗତି କରୁଛ କାହିଁକି ? ଶିବିକାରୋହୀ ସିନ୍ଧୁସୌବୀର ନରପତିଙ୍କୁ ସ୍କନ୍ଧରେ ବହନ କରିବାର ଗୌରବ ଖୁବ୍ କ୍ୱଚିତ୍ ବ୍ୟକ୍ତିଙ୍କୁ ମିଳିଥାଏ । ସେହି ଦୁର୍ଲ୍ଲଭ ସୁଯୋଗ ଲାଭକରି ଆଜି ତୋର ଜୀବନ ଧନ୍ୟ ହୋଇଛି । ତେଣୁ ତୁ ନିଜକୁ ମହାଭାଗ୍ୟବାନ୍ ମନେକରି ସହବାହକମାନଙ୍କ ଗତି ସହିତ ସମାନ ଗତିରେ ପଦଚାଳନା କର ।”

 

ପ୍ରଭୁତ୍ୱଗର୍ବୀ ରାଜାଙ୍କର ଏହି ଭର୍ତ୍ସନାବାଣୀ ଭରତଙ୍କ ଜୀବନମାର୍ଗରେ ଏକ ମହାପରିବର୍ତ୍ତନ ସୃଷ୍ଟି କଲା । ଏତେ କାଳ ପରେ ତାଙ୍କର ନିର୍ବାକ୍ ମୁଖ ପ୍ରଥମ ଥରପାଇଁ ହଠାତ୍ ସବାକ୍ ହେଲା । ଆବାଲ୍ୟମୌନ ଭରତ ନିଜର ପ୍ରତିଜ୍ଞା ଭଙ୍ଗକରି ସେହିଠାରେ ରାଜାଙ୍କୁ ଯଥୋଚିତ ଉତ୍ତର ଦେଲେ–

 

“ହେ ରାଜା ! ତୁମେ ଅତ୍ୟନ୍ତ ମୋହାନ୍ଧ ଓ ଜ୍ଞାନହୀନ; ତେଣୁ ମୋ ପରି ମୁକ୍ତପୁରୁଷକୁ ଶିବିକାବାହକରୂପେ ହୀନ କାର୍ଯ୍ୟରେ ନିୟୋଜିତ କରିଛ ଏବଂ ଏ କର୍ମରେ ମୋର ଅନଭିଜ୍ଞତା କଥା ଅଦୌ ବିଚାର ନ କରି ମୋତେ ଅଯଥା ତିରସ୍କାର କରୁଛ । ମନେରଖ, ଆଚଣ୍ଡାଳବ୍ରାହ୍ମଣ ସମସ୍ତେ ଭଗବାନଙ୍କର ସନ୍ତାନ । ସମସ୍ତଙ୍କ ଉପରେ ତାଙ୍କ କରୁଣାଶିଷର ଧାରା ସମାନଭାବରେ ପ୍ରବାହିତ । ଜ୍ଞାନଦୃଷ୍ଟିରେ ଦେଖିଲେ ଜାଣିପାରିବ, ରାଜା ପ୍ରଜାର ପ୍ରଭୁ ନୁହେଁ କି ପ୍ରଜା ରାଜାର ଦାସ ନୁହେଁ । ଭଗବାନ ହିଁ ଜଗତର ଏକମାତ୍ର ପ୍ରଭୁ ଏବଂ କି ରାଜା, କି ପ୍ରଜା ସମସ୍ତେ ତାଙ୍କରି ଦାସ । ଏବେ ପ୍ରକୃତ ଜ୍ଞାନ ଲାଭକରି ଜୀବନକୁ ଆଲୋକ ମାର୍ଗରେ ପରିଚାଳିତ କର, ନୋହିଲେ ତୁମର ଜନ୍ମ ବ୍ୟର୍ଥ ହୋଇଯିବ ।”

 

ମୁକ ମୁଖରେ ତତ୍ତ୍ୱବାଣୀର ସ୍ଫୁରଣ ଦେଖି ରାଜା ରହୁଗଣ ଅବାକ୍ ହୋଇଗଲେ । ରାଜା ତତକ୍ଷଣାତ୍ ଶିବିକାମଧ୍ୟରୁ ଅବତରଣ କରି ଭରତଙ୍କ ନିକଟକୁ ଆବେଗପୂର୍ଣ୍ଣ ହୃଦୟରେ ଧାଇଁଆସିଲେ ଏବଂ ତାଙ୍କର ଚରଣ ଧରି କହିଲେ–

 

‘‘ହେ ପୁଣ୍ୟାତ୍ମା ! ଆପଣ ଦୟାପୂର୍ବକ ନିଜର ପରିଚୟ ଦେଇ ମୋତେ କୃତାର୍ଥ କରନ୍ତୁ । ଆପଣଙ୍କର ମାହାତ୍ମ୍ୟ ଜାଣି ନ ପାରି ମୁଁ ଆପଣଙ୍କୁ ଉତ୍କଟ ଅପମାନ ଦେଇଛି । ଆପଣଙ୍କ ମହତଜୀବନ ପ୍ରତି ଘୋର ଅସମ୍ମାନ ପ୍ରଦର୍ଶନ କରିଛି । ନିଜର ଉଦାର ଗୁଣରେ ସେଥିପାଇଁ ମୋତେ କ୍ଷମା ଦିଅନ୍ତୁ । ବ୍ରହ୍ମାଣ୍ଡରେ ମୁଁ କାହାରିକୁ ଭୟ କରେ ନାହିଁ–କେବଳ ଭୟ କରେ ବ୍ରାହ୍ମଣର ଅଭିଶାପକୁ । ଆପଣ ବ୍ରାହ୍ମଣ, ତେଣୁ ମୋ ପ୍ରତି ସଦୟ ଓ କ୍ଷମାଶୀଳ ହୁଅନ୍ତୁ, ଏତିକିମାତ୍ର ନିବେଦନ ।”

 

ଭରତ ରାଜାଙ୍କ ଅନ୍ତରଶୁଦ୍ଧିର ସୁଚନା ପାଇଲେ ଏବଂ ତାହାଙ୍କୁ ନିଜର ପୂର୍ଣ୍ଣ ପରିଚୟ ପ୍ରଦାନ କଲେ । ତତ୍ପରେ ସେ ନାନା ହିତୋପଦେଶ ଦେଇ ତାଙ୍କୁ ଆଶ୍ୱସ୍ତ କରାଇଲେ । ରହୁଗଣ ଭଗବାନଙ୍କ ସାନ୍ନିଧ୍ୟଲାଭର ଉପାୟ ଜିଜ୍ଞାସା କରନ୍ତେ ଭରତ ତାଙ୍କୁ ହରି–ଆରାଧନା ପାଇଁ ନିର୍ଦ୍ଦେଶ ଦେଲେ । ରାଜା କୃତକୃତ୍ୟ ହୋଇ ତାଙ୍କଠାରୁ ବିଦାୟଗ୍ରହଣପୂର୍ବକ ସ୍ୱୀୟ ରାଜଧାନୀକୁ ପ୍ରତ୍ୟାବର୍ତ୍ତନ କଲେ ଏବଂ ତାଙ୍କରି ଉପଦେଶାନୁସାରେ ଜୀବନ ପରିଚାଳିତ କରିବାକୁ ଲାଗିଲେ ।

 

ରାଜା ଚାଲିଯିବା ପରେ ମୁକ୍ତିପିପାସୁ ଭରତ ଯୋଗାସନରେ ଉପବିଷ୍ଟ ହେଲେ । ସେହି ଅବସ୍ଥାରେ ରହି ସେ ଅହୋରାତ୍ର ଶ୍ରୀହରିଙ୍କ ନାମ ସ୍ମରଣ କଲେ ଏବଂ ପରିଶେଷରେ ନଶ୍ୱର ଶରୀର ତ୍ୟାଗକରି ବୈକୁଣ୍ଠଧାମରେ ଆସନ ପାଇଲେ ।

Image